ଲମତାପୁଟ ୧୪।୦୫: ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ ପୋଲିସ ମୁହାଁମୁହିଁ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ପଡି ଜଣେ ପୋଲିସ କର୍ମଚାରୀ ଆହତ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସର ଚଡାଉ ସମୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।
ଖବର ଅନୁଯାୟୀ, ଗଞ୍ଜେଇ ରେଡ଼ ପାଇଁ ଗାଁ ଭିତରକୁ ପଶିଥିଲା ପୋଲିସ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟ ବାଡାଇ ଥିଲେ । ପୋଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁ ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ । ପୋଲିସ ଲୋକଙ୍କୁ ଭୟଭୀତ କରିବା ପାଇଁ ୮ରୁ ୧୦ ରାଉଣ୍ଡ ଗୁଳି ଖୋଲା ଆକାଶକୁ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୁଳି ଶବ୍ଦକୁ ମଧ୍ୟ ଲୋକେ ଭୟ ନ କରି ପ୍ରତିବାଦ କରିଥିଲେ । ପରେ ପୋଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ହୋଇ ଯାଇଥିଲେ । ଜଣେ ପୁଲିସ କର୍ମଚାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଗାଁ ଲୋକେ ପୋଲିସ କର୍ମଚାରୀ ଜଣଙ୍କୁ ମାଡମାରିଛନ୍ତି ।
ଅନ୍ୟପଟେ ପୋଲିସ ବ୍ୟବହାର କରୁଥିବା ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ରାତ୍ରରେ ମାଟିଖାଲ ଗାଁରେ ପୋଲିସ ନାଁରେ ଡକାୟତ ମାନେପଶି ଡ଼କାୟତ କରୁଥିବା ଯୋଗୁଁ ଗ୍ରାମବାସୀ ପ୍ରତିବାଦ କରିଥିଲେ । ଗାଁ ଲୋକଙ୍କୁ ପୋଲିସ କର୍ମଚାରୀ ମାନେ ଓଲଟା ଭୟଭୀତ କରିଥିଲେ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କହିଛନ୍ତି । ଏପଟେ ଅଟକ ପୋଲିସ କର୍ମଚାରୀ କହିଛନ୍ତି ମାଲକାନଗିରି ଜିଲ୍ଲା SDPOଙ୍କ ନିର୍ଦ୍ଦେଶରେ ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଖବର ପରେ ରେଡ ହୋଇଥିଲା ।