ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଞ୍ଜାମ ରାଜନୀତିରେ ରାଜପରିବାର: ୨୦୨୪ରେ ତିନି ରାଣୀଙ୍କ ଭୂମିକା ଉପରେ ସଭିଙ୍କ ନଜର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜନୀତିରେ ରାଜପରିବାରର ସମ୍ପୃକ୍ତି ବହୁ ପୁରୁଣା। ଏବେ ମଧ୍ୟ ରାଜନୀତିର ରଣଭୂମିରେ ରାଜପରିବାରର ସଦସ୍ୟ ସକ୍ରିୟ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ବିଜେଡିର ମଙ୍ଗୁଆଳ ସାଜିଛନ୍ତି ୩ଜଣ ରାଣୀ। ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇଜଣ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଏବଂ ଚିକିଟି ରାଣୀ ଉଷା ଦେବୀ ବିଜେଡି ସହିତ ୨୦୦୦ ମସିହାରୁ ଜଡ଼ିତ ରହି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ଏବେ ଖଲ୍ଲିକୋଟ ରାଣୀ ସାହେବା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ନନ୍ଦିନୀ ଦେବୀ ଓ ଉଷା ଦେବୀ ରାଜନୀତିରେ ସକ୍ରିୟ ରହିଛନ୍ତି। ତେବେ ଏହା ଭିତରେ ଚିକିଟି ରାଣୀଙ୍କ ପୁତ୍ର ଶ୍ରୀରୂପ ଦେବ ଓ ଧରାକୋଟ ରାଣୀଙ୍କ କନ୍ୟା ସୁଲକ୍ଷଣା ଗୀତାଞ୍ଜଳି ରାଜନୀତିରେ ସକ୍ରିୟ ହେଲେଣି। ୨୦୨୪ ରେ ଗଞ୍ଜାମ ରାଜନୀତିରେ ଏହି ୩ ରାଣୀଙ୍କ ଭୂମିକା କଣ ରହୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।

ଗଞ୍ଜାମ ରାଜନୀତିରେ ଖଲ୍ଲିକୋଟ ରାଣୀଙ୍କ ବେଶ୍‌ ପ୍ରଭାବ ରହିଛି। ସେ ଲଗାତାର ୧୦ଥର ବିଧାୟିକା ହୋଇଛନ୍ତି। ବିଜୁ ବାବୁଙ୍କ ଅତ୍ୟନ୍ତ ନିକଟତର ଥିଲେ ଖଲ୍ଲିକୋଟ ରାଣୀ ସାହେବା। ନବୀନ ବାବୁ ରାଜନୀତିକୁ ଆସିବା ପରେ ମଧ୍ୟ ଶ୍ରୀମତୀ ଦେଓ ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ। ୧୯୬୧ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସେ ଲୋକଲୋଚନକୁ ଆସିଥିଲେ। ସେହି ଖଲ୍ଲିକୋଟ ଆସନରୁ ୧୯୭୪ରେ ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ୧୯୭୭ ଓ ୧୯୮୫ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ବିଧାୟିକା ହୋଇଥିଲେ। ୨୦୦୦ ଓ ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ଖଲ୍ଲିକୋଟ ବିଧାୟିକା ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟରୁ ବିଧାୟିକା ହୋଇଥିଲେ। ଏବେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ରାଜନୀତି ଠାରୁ ଦୂରେଇ ରହିଛନ୍ତି। ସେ ଚେନ୍ନାଇରେ ରହୁଥିଲେ ସୁଦ୍ଧା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଲୋକେ ଏବେ ବି ରାଣୀ ସାହେବାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୋଗାଯୋଗରେ ରହିଛନ୍ତି। ଏଣୁ ପ୍ରତ୍ୟେକ ନିର୍ବାଚନରେ ଉଭୟ ଆସନରେ ପ୍ରାର୍ଥୀ ଚୟନ ବେଳେ ରାଣୀ ସାହେବାଙ୍କ ମୋହର ଚୂଡ଼ାନ୍ତ ହୋଇଥାଏ। ୨୦୨୪ରେ ମଧ୍ୟ ତାଙ୍କର ଭୂମିକା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।

ଦ୍ବିତୀୟରେ ରହିଛନ୍ତି ଚିକିଟି ରାଣୀ ଉଷା ଦେବୀ। ଚିକିଟି ବିଧାନସଭା କ୍ଷେତ୍ରରୁ ସେ ୬ଥର ବିଧାୟିକା ହୋଇଛନ୍ତି। ସେ ବିଭିନ୍ନ ସମୟରେ ୧୦ଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦରେ ରହିଥିବା ବେଳେ ବର୍ତ୍ତମାନ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରହିଛନ୍ତି। ଜନତା ଦଳରୁ ସେ ପ୍ରଥମେ ୧୯୯୦ରେ ବିଧାୟିକା ହୋଇଥିଲେ। ୨୦୦୦ରୁ ବିଜେଡି ଚିକିଟି ନିର୍ବାଚନମଣ୍ଡଳୀରେ ଏକପାଖିଆ ଭାବେ ରାଣୀଙ୍କ ନେତୃତ୍ବରେ ବିଜୟଧାରା ବଜାୟ ରଖିଛି। କିନ୍ତୁ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ବିଜେଡିକୁ ଝଟ୍‌କା ଲାଗିଥିଲା। ଏହି ନିର୍ବାଚନମଣ୍ଡଳୀର ଗୋଟିଏ ଜିଲ୍ଲା ପରିଷଦ ଆସନ ଓ ପାତ୍ରପୁର ବ୍ଲକ୍‌ ବିଜେଡି ହାତକୁ ଖସି ଯାଇଥିଲା। ଏହା ବିଜେଡି ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି।

ତୃତୀୟରେ ରହିଛନ୍ତି ଧରାକୋଟ ରାଣୀ ନନ୍ଦିନୀ ଦେବୀ। ତାଙ୍କର ସ୍ବାମୀ କିଶୋର ଚନ୍ଦ୍ର ସିଂହଦେଓ ବିଜେପିରେ ଥିଲେ। ସେ ୨୦୦୯ରେ ବିଜେପି ଟିକଟରୁ ସାନଖେମୁଣ୍ଡି ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ। ସ୍ବାମୀଙ୍କ ଅକାଳ ବିୟୋଗ ପରେ ପତ୍ନୀ ନନ୍ଦିନୀ ଦେବୀ ବିଜେଡିରେ ସକ୍ରିୟ ହୋଇଥିଲେ। ୨୦୧୪ରେ ସେ ବିଜେଡି ଟିକଟରେ ସାନଖେମୁଣ୍ଡି ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିଥିବା ରମେଶ ଚନ୍ଦ୍ର ଜେନା ବାଜି ମାରି ନେଇଥିଲେ। ଗୋଷ୍ଠୀ କନ୍ଦଳ ଯୋଗୁଁ ୨୦୧୯ରେ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏଥର ମଧ୍ୟ ସାନମେଖୁଣ୍ଡି ନିର୍ବାଚନମଣ୍ଡଳୀର ବିଜେଡି ଶିବିରରେ ଗୋଷ୍ଠୀକନ୍ଦଳ ମୁଣ୍ଡ ଟେକିଛି। ଏଭଳି ସ୍ଥିତିରେ ବିଜେଡି କିଭଳି ରଣନୀତି ନେଇ ୨୦୨୪ ନିର୍ବାଚନରେ ଓହ୍ଲାଉଛି ତାହା ଦେଖିବାକୁ ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।