ମୁମ୍ବାଇ ୨୭/୦୨: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ମଧ୍ୟ ଏଣ୍ଟ୍ରି କରିସାରିଛନ୍ତି । ଆଜି ସକାଳୁ ଅଜୟ ଦେବଗନ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ଅଜୟ ଦେବଗନ ଏବଂ ସଞ୍ଜୟ ଲୀଲା ଭଂସାଲୀ ଦୀର୍ଘ ୨୨ ବର୍ଷ ପରେ ସାଥି ହୋଇ କାମ କରୁଥିବା ନଜର ଆସିଛନ୍ତି । ଶେଷ ଥର ପାଇଁ ଅଜୟଙ୍କୁ ସଞ୍ଜୟଙ୍କ ଫିଲ୍ମ ‘ହମ୍ ଦୀଲ୍ ଦେ ଚୁକେ ସନମ୍’ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାମୀ ବନରାଜ ର ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମଟି ବଡ ପରଦାରେ ଖୁବ୍ ହିଟ୍ ହୋଇଥିଲା । ଏହା ପରେ ଅଜୟ ଦେବଗନ ଅନେକ ଦିନ ହେବ ସଞ୍ଜୟଙ୍କର କୌଣସି ଫିଲ୍ମରେ ଭାଗ ନେଇନଥିଲେ ।
ଏବେ ଅନେକ ବର୍ଷ ପରେ ଅଜୟ ଦେବଗନ, ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଖାସ୍ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଅଜୟଙ୍କ ରୋଲ ବିଷୟରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ କିନ୍ତୁ କୁହାଯାଉଛି ସେ ଫିଲ୍ମରେ କରିମ ଲାଲା ରୋଲ୍ ରେ ନଜର ଆସିବେ । କରିମ ଲାଲା ସେହି ବ୍ୟକ୍ତି ଯାହାଙ୍କୁ ଗଙ୍ଗୁ ବାଇ ନ୍ୟାୟ ପାଇଁ ଗୁହାରି କରିଥିଲେ ।
ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇ ସାରିଛି ଏବଂ ଆଲିଆ ଭଟ୍ଟ ଗଙ୍ଗୁ ବାଇ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସି ସାରିଛନ୍ତି । ଏହି ଫିଲ୍ମର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ଏବଂ ନିର୍ଦେଶକ ଜୟନ୍ତୀଲାଲ ଗଡା । ଫିଲ୍ମ ୩୦ ଜୁଲାଇରେ ସିନେମା ଘରେ ରିଲିଜ୍ ହେବ ।

