କଟକ : ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ନଥିବା ବ୍ୟକ୍ତି ଯଦି ନିଜ ପରିଚୟ ଓ ରହୁଥିବା ଅଞ୍ଚଳ ପ୍ରସଂଗରେ ପ୍ରମାଣ ଉପସ୍ଥାପନ କରନ୍ତି ତେବେ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସୁବିଧା ପ୍ରଦାନ ପାଇଁ କଣ ବ୍ୟବସ୍ଥା ରହିଛି ସେ ନେଇ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ପ୍ରବାସୀ ଶ୍ରମିକମାନେ ନିର୍ଦ୍ଦିଷ୍ଟ ଋତୁରେ କାମ ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି। ପ୍ରବାସୀ ଶ୍ରମିକ ନିଜ ଅଞ୍ଚଳ ବା ଗାଁକୁ ଫେରିବା ପରେ ଖାଦ୍ୟ ସୁରକ୍ଷା ଯୋଜନାର ସୁଫଳ ପାଇ ପାରୁଛନ୍ତି କି ନାହିଁ ସେ ନେଇ ଜବାବ ରଖିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନୁସଚିବ ୨୦୨୩, ମେ ୧୫ରେ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ପ୍ରତିଜବାବ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଧାର ସଂଯୋଗ ହୋଇ ନଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ରାସନରୁ ବଞ୍ଚିତ କରାଯାଇ ପାରିବ ନାହିଁ। ପୂର୍ବରୁ ଏହି ମାମଲାରେ ଅାବେଦନକାରୀ ଦେଇଥିବା ସତ୍ୟପାଠ ଅନୁସାରେ ରାଜ୍ୟରେ ୨୦୧୯ ମସିହାର ଏକ ସର୍ଭେ ଅନୁସାରେ ୧୯ଲକ୍ଷ ଲୋକ ଅାଧାର ସଂଯୋଗ ନଥିବା କାରଣରୁ ରାସନରୁ ବଞ୍ଚିତ ହୋଇଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷରେ ହାଇକୋର୍ଟରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବ ଏକ ସତ୍ୟପାଠ ଦାଖଲ କରି ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ। ଆଧାର ସଂଯୋଗ ନଥିବା କାରଣରୁ କାହାକୁ ବି ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ଦିଆଯାଇ ନଥିବା ସରକାର ଦର୍ଶାଇଥିଲେ।