କଟକ:୨୦୧୬ ଜାନୁଆରି ୨୯ରେ କମିସନରେଟ୍ ପୁଲିସ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିବା ଓ ତା ପରବର୍ତ୍ତୀ ପର୍ଯ୍ୟାୟରେ ଅପରାଧ ଦମନରେ କଠୋର ପଦକ୍ଷେପ ନେବା ସହରର ସ୍ଥିତିକୁ ବଦଳାଇ ଦେଇଥିଲା। ଅପରାଧୀ ଭୟ କରିବା ସହ ଲୁଚିବା ଆରମ୍ଭ କରିଥିଲେ। ନିର୍ଦ୍ଦିଷ୍ଟ କିଛି ପୁଲିସ ଅଧିକାରୀ ଅପରାଧୀଙ୍କ ପାଇଁ ଆତଙ୍କର କାରଣ ସାଜିଥିଲେ। କିନ୍ତୁ ଧୀରେ ଧୀରେ ଅଦାଲତରେ ଶୁଣାଣି ପ୍ରକ୍ରିୟା ଆଗକୁ ବଢିବା ପରେ ପୁଲିସର ଅପରାଧ ଦମନରେ ନିଷ୍କ୍ରିୟତା ଅନୁଭବ ହେବା, ସାକ୍ଷୀଙ୍କୁ ନିର୍ଭୟରେ ଆଣି ଅଦାଲତରେ ସାକ୍ଷ୍ୟ ଦେବା କ୍ଷେତ୍ରରେ ପୂର୍ବ ଭଳି ଆଉ ଦୃଢତା ଦେଖା ନଯିବା ଫଳରେ ଏବେ ପୁଣି ସ୍ଥିତି ଓଲଟିବା ଆରମ୍ଭ କରିଛି। ଏହାର ପ୍ରତିଫଳନ ବି ସହରରେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ପୁଣି ପୂର୍ବ ଢଙ୍ଗରେ ସହରର ଛୋଟବଡ଼ ଅପରାଧୀ ମୁଣ୍ଡ ଟେକି ସାଧାରଣରେ ଭୟ ସଂଚାର କରିବା ଭଳି କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ସାକ୍ଷୀମାନେ ବି ଅଦାଲତରେ ସାକ୍ଷ୍ୟ ପ୍ରଦାନ କ୍ଷେତ୍ରରେ ପଛଘୁଞ୍ଚା ଦେବା ଆରମ୍ଭ କରିଛନ୍ତି। ଏବେ ଅଦାଲତରେ ବିଚାରାଧୀନ ଥିବା ୩୦ଟି ମାମଲାରେ କୌଣସି ସାକ୍ଷୀ ଧଳସାମନ୍ତ ଭାଇଙ୍କ ବିରୋଧରେ ଅଦାଲତରେ ଛିଡ଼ା ହେବାକୁ ଆଉ ପ୍ରସ୍ତୁତ ନାହାନ୍ତି। ସମସ୍ତ ସାକ୍ଷୀ ଧଳସାମନ୍ତ ଭାଇଙ୍କୁ ଜାଣି ନଥିବା ଅଦାଲତରେ ସ୍ପଷ୍ଟ ଭାବେ କହୁଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ଧଳସାମନ୍ତ ଭାଇଙ୍କ ସମସ୍ତ ଅପରାଧୀକ ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା କୁହାଯାଉଛି। ଯଦି ଏହି ଦୁଇ ଭାଇ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ତେବେ କଟକର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ହେବ, ତାହାକୁ ନେଇ ଏବେଠାରୁ ଆଶଙ୍କା ସୃଷ୍ଟି ହେଲାଣି।
ସୂଚନା ଅନୁଯାୟୀ, ଧଳସାମନ୍ତ ଭାଇଙ୍କ ବିରୋଧରେ ମୋଟ ୩୮ଟି ଅପରାଧିକ ମାମଲା ରୁଜୁ ହୋଇଛି। ୫ଟି ମାମଲାରେ ଦୁଇ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି। ସିଏମସି ପକ୍ଷରୁ ସହରର ସଫେଇ ପାଇଁ ଠିକା ନେଇଥିବା ରାମକୀଠାରୁ ଧଳସାମନ୍ତ ଭାଇଙ୍କ ମେଟାଫର୍ ଟ୍ରାନସ କର୍ପୋରେସନକୁ ୨୦୧୧ରୁ ମାସିକ ୨ ଲକ୍ଷରୁ ଅଧିକ ଟଙ୍କା ଦାଦାବଟି ଆସୁଥିବା ମାମଲାରେ ଦୁଇ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅନ୍ୟତମ ଅଭିଯୁକ୍ତ ଭୋଲାନାଥ ଭଗତର ମାମଲା ଶୁଣାଣି ସମୟରେ ମୃତ୍ୟୁ ହୋଇଥିଲା। ପ୍ରମାଣ ଅଭାବରୁ କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧଳସାମନ୍ତ ଭାଇଙ୍କୁ ଖଲାସ କରିଥିଲେ। ସେହି ଏପ୍ରିଲରେ ସୁଶାନ୍ତ ଧଳସାମନ୍ତ ଆଉ ଏକ ବେଆଇନ ମଦ ଗଚ୍ଛିତ ମାମଲାରେ ଖଲାସ ହୋଇଥିଲା। ସିଡିଏ ଘରୁ ମଦ ଜବତ ମାମଲାରେ ପ୍ରମାଣ ଅଭାବରୁ ତାକୁ ଖଲାସ କରାଯାଇଥିଲା। ୨୦୧୬ରେ ଧଳସାମନ୍ତ ଭାଇଙ୍କ ସିଡିଏ ଘରୁ ବିଦେଶୀ ମଦ ଜବତ ହୋଇଥିଲା। ମର୍କତନଗର ଥାନାରେ ଏନେଇ ମାମଲା ହୋଇଥିଲା।
୨୦୨୨ ନଭେମ୍ବରରେ ଦୁଇଟି ପୃଥକ ମାମଲାରେ କଟକ ଜେଏମଏଫସି କୋର୍ଟରୁ ଦୁଇ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ବିଶାଖାପାଟଣାରେ ଥିବା ଏକ ଫ୍ଲାଟରେ ପୁଲିସର ଚଢ଼ଉ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ସୁଶାନ୍ତଙ୍କ ଫଟୋ ଥିବା ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଜବତ କରିଥିଲା। ଏହି ପରିଚୟପତ୍ରରେ ସୁଶାନ୍ତର ଫଟୋ ଥିବା ବେଳେ ଆଦିତ୍ୟର ନାଁ ଓ ଦସ୍ତଖତ ଥିଲା। ସେହିଭଳି ସୁଶୀଲ ନିକଟରୁ ଏକ ଘରୋଇ ବ୍ୟାଙ୍କର ଡେବିଟ କାର୍ଡ ମିଳିଥିଲା। ମନୋଜ ପଟ୍ଟନାୟକ ନାଁ ବ୍ୟବହାର କରି ସୁଶୀଲ ବ୍ୟାଙ୍କ ଖାତା ଖୋଲି ଡେବିଟ କାର୍ଡ ହାସଲ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଜାଲିଆତି ମାମଲାକୁ ଅଦାଲତରେ ପ୍ରମାଣିତ କରିବାରେ ପୁଲିସ ବିଫଳ ହୋଇଥିଲା।
୨୦୧୪ ନଭେମ୍ବର ୧୧ରେ କଟକ ମାଲଗୋଦାମରେ ଘଟିଥିବା ବହୁ ଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ବି ଧଳସାମନ୍ତ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୨୩ ମେ ୧୫ରେ କଟକ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ଦୁଇ ଭାଇଙ୍କ ସମେତ ସାର୍ପସୁଟର ଆରିଫ୍ ଖାଁକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହା ପୂର୍ବରୁ ଫାରୁକ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ସେକ୍ ସୋନା, ସେକ୍ ବାବୁ, ଜଗତସି˚ହପୁରର ଅସିତ୍ ଦାସ ଦୋଷମୁକ୍ତ ହୋଇସାରିଛନ୍ତି। ଫାରୁକଙ୍କ ପରିବାର ସଦସ୍ୟ ଏହି ମାମଲାରେ ପ୍ରଭାବିତ ହେବାରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମାଲଗୋଦାମ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୫ ରାଉଣ୍ଡ ଗୁଳିମାଡ଼ ଫୁଟାଇ ଅଭିଯୁକ୍ତମାନେ ଫାରୁକଙ୍କୁ ହତ୍ୟା କରିଥିବା ବେଳେ ଅଦାଲତରେ କେହି ପାଟି ଫିଟାଇଲେ ନାହିଁ।
ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମୋଟ ୩ଟି ମାମଲାରେ ଅଦାଲତ ଧଳସାମନ୍ତ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ବାରିପଦାର ଏକ ମାମଲାରେ ସାତ ବର୍ଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ ଅଗଷ୍ଟ ୨୦ରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ସୁଶାନ୍ତ ଧଳସାମନ୍ତକୁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ବେଆଇନ ବନ୍ଧୁକ ରଖିବା ମାମଲାରେ ୩ ବର୍ଷ ଓ ବେଆଇନ ବନ୍ଧୁକ ବ୍ୟବହାର ମାମଲାରେ ୨ ବର୍ଷ ସହିତ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ସୁଶାନ୍ତ ୧୯୯୯ ମସିହାରେ ବିଡାନାସୀ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଅବଶିଷ୍ଟ ୩୦ ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି। ଏଥିରେ ଥିବା ବହୁ ଚର୍ଚ୍ଚିତ ଦୀପୁ-ଓମ୍ ହତ୍ୟା ମାମଲାର ଶୁଣାଣି ଜିଲ୍ଲା ଜଜଙ୍କ କୋର୍ଟରେ ଚାଲିଛି। ତେବେ ଏହି ମାମଲାରେ ଶୁଣାଣି ଶେଷ ପରେ ଏହି ମାମଲାର ଭାଗ୍ୟ କଣ ହେବ ସେ ନେଇ ଏବେଠାରୁ ସନ୍ଦେହ ସୃଷ୍ଟି ହେଲାଣି। ଧଳସାମନ୍ତ ଭାଇ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେବା ପଛର ମୂଳ କାରଣ ହେଉଛି ସାକ୍ଷୀ ପ୍ରଭାବିତା ହେବା। ୩୮ଟି ମାମଲାରେ ପାଖାପାଖି ୨୦୦ ଜଣ ସାକ୍ଷୀ ଅଛନ୍ତି। କୌଣସି ସାକ୍ଷୀ ଅଦାଲତରେ ଦୁଇ ଭାଇଙ୍କ ବିରୋଧରେ ଛିଡ଼ା ହେବାକୁ ଏବେ ପ୍ରସ୍ତୁତ ନାହାନ୍ତି।
ଓଡ଼ିଶା ପୁଲିସରେ ସାକ୍ଷୀଙ୍କୁ ମାମଲାର ଶୁଣାଣି ସମୟରେ ସୁରକ୍ଷା ଯୋଗାଇବାକୁ ‘ସାକ୍ଷୀ ସୁରକ୍ଷା ଯୋଜନା ରହିଛି। କେହି ଅସୁରକ୍ଷିତ ମନେ କଲେ ସମ୍ପୃକ୍ତ ବ୍ୟକ୍ତି ପୁଲିସ କିମ୍ବା କୋର୍ଟରେ ସୁରକ୍ଷା ଆବେଦନ କରିପାରିବେ। ଧଳସାମନ୍ତ ମାମଲାରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। କୌଣସି ସାକ୍ଷୀ ନିଜ ଆଡ଼ୁ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ନିକଟରେ ଆବେଦନ କରି ନଥିବା ବେଳେ ପୁଲିସ ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବାକୁ ପାଲଟା ଉଦ୍ୟମ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, କେହି ସାକ୍ଷୀ ଏଥିପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। ଓଲଟି ଧଳସାମନ୍ତ ଭାଇଙ୍କୁ ସେମାନେ ଜାଣିନଥିବା ପୁଲିସକୁ ରୋକଠୋକ୍ କହୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଧଳସାମନ୍ତ ଭାଇଙ୍କୁ ଗିରଫ ଓ ପରବର୍ତ୍ତୀ ଅପରାଧ ଦମନ କାର୍ଯ୍ୟାନୁଷ୍ଠାନ ସମୟରେ ଯେଉଁ ସବୁ ପୁଲିସ ଅଧିକାରୀ ସେତେବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକେ ଏବେ ସହର ବାହାରେ ଅଛନ୍ତି। ଏଭଳି ସ୍ଥିତିରେ ସାକ୍ଷୀମାନେ ବି ଭୟ କରୁଥିବା କୁହାଯାଉଛି।