ଦେଶ ବିଦେଶ

ଖଣି ରୟାଲ୍‌ଟି ଆଦାୟ କରିପାରିବେ ରାଜ୍ୟ: କେନ୍ଦ୍ରର ଯୁକ୍ତିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ: ଖଣି ରୟାଲ୍‌ଟିକୁ ନେଇ ‌ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ଏସଂପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। କହିଛନ୍ତି ଯେ ଖଣିଜ ପଦାର୍ଥ ଉତ୍ପାଦନ ହେଉଥିବା ଜମି ଉପରେ ରାଜ୍ୟ ସରକାର ରୟାଲଟି ବସାଇପାରିବେ। ଏହା ହେଉଛି ରାଜ୍ୟମାନଙ୍କର ଅଧିକାର। ଏସଂପର୍କରେ କେନ୍ଦ୍ର ସରକାରଙ୍କର ସମସ୍ତ ଯୁକ୍ତିକୁ ଖାରଜ କରିଦେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ରୟାଲଟି ଆଦାୟ ଲାଗି ରାଜ୍ୟମାନଙ୍କର କ୍ଷମତା ରହିଛି। କୋର୍ଟ ରାୟ ଯୋଗୁଁ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଖଣିସଂପଦରେ ଭରପୂର ରାଜ୍ୟ ଉପକୃତ ହୋଇପାରିବେ। ଏହି ରାଜ୍ୟର ସରକାରମାନେ ସେମାନଙ୍କ ଅଞ୍ଚଳରେ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା କଂପାନିମାନଙ୍କ ଉପରେ ଅତିରିକ୍ତ ରୟାଲଟି ବସାଇପାରିବେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ୯ ଜଣିଆ ଖଣ୍ଡପୀଠରେ ଏହି ରାୟକୁ ୮ ଜଣ ବିଚାରପତି ସମର୍ଥନ କରିଥିବା ବେଳେ ଜଣେ ବିଚାରପତି ଏହାକୁ ବିରୋଧ କରିଥିଲେ। ରାୟ ଶୁଣାଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଲେ ଯେ ମାଇନ୍ସ ଏଣ୍ଡ ମିନେରାଲ୍ସ ଆଇନ (ଏମ୍‌ଏମ୍‌ଡି୍ଆରଏ)ରେ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଲାଗି ରାଜ୍ୟମାନଙ୍କୁ ବାରଣ କରାଯାଇ ନାହିଁ। ଅନ୍ୟପକ୍ଷରେ ଏହି ରାୟ ସହ ସହମତ ହୋଇନଥିବା ଜଷ୍ଟିସ ନାଗରତ୍ନ କହିଲେ ଯେ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଲାଗି ରାଜ୍ୟମାନଙ୍କୁ କ୍ଷମତା ଦିଆଗଲେ ରାଜସ୍ବ ସଂଗ୍ରହ ପାଇଁ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଅନାବଶ୍ୟକ ପ୍ରତିଦ୍ବନ୍ଦ୍ବିତା ହେବ। ଖଣିଜ ବିକାଶ ଦୃଷ୍ଟିରୁ ଏହା ଠିକ୍ ନୁହେଁ। କାରଣ ସଂଘୀୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କ ପିଟିସନକୁ କଡ଼ା ବିରୋଧ କରାଯାଇଥିଲା। କେନ୍ଦ୍ର ଯୁକ୍ତି କରିଥିଲା ଯେ ଖଣି ଉପରେ ରାଜ୍ୟମାନେ ରୟାଲଟି ବସାଇପାରିବେ ନାହିଁ। ଏହା ସେମାନଙ୍କର କ୍ଷମତା ପରିସରଭୁକ୍ତ ନୁହେଁ। ଏହି କ୍ଷମତା କେବଳ ‌ପାର୍ଲାମେଣ୍ଟର ରହିଛି। କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି। ଏହାସହିତ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଟିକସ ଓ ରୟାଲଟି ଏକା କଥା ନୁହେଁ। ୧୯୮୯ରେ ସୁପ୍ରିମ କୋର୍ଟ ଏସଂପର୍କରେ ଦେଇଥିବା ରାୟକୁ ଜଷ୍ଟିସ ଚନ୍ଦ୍ରଚୂଡ଼ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲେ। ସେହି ରାୟରେ ସୁପ୍ରିମ କୋର୍ଟ କହିଥିଲେ ଯେ ଖଣିଜ ପଦାର୍ଥ ଉପରେ ଲାଗୁ କରାଯାଉଥିବା ରୟାଲଟି ହେଉଛି ଟିକସ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ଏହି ମାମଲାର ଣୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଭାରତ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ ଯେ ଖଣି ରୟାଲଟି ବିବାଦ କଣ କେନ୍ଦ୍ର-ରାଜ୍ୟ କ୍ଷମତା ବଣ୍ଟନକୁ ପ୍ରଭାବିତ କରିବ? ଖଣି ରୟାଲଟିକୁ ନେଇ ଯେଉଁ ଆଇନ ବ୍ୟବସ୍ଥା ରହିଛି, ସେଥିରେ କାହିଁକି ସବୁକିଛି ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟ ସରକାର ଏଭଳି ରୟାଲଟି ବସାଇଲେ ଏହା ବେଆଇନ ଓ ଅସାମ୍ବିଧାନିକ ହେବ। କେବଳ କେନ୍ଦ୍ର ସରକାରଙ୍କ ରୟାଲଟି କ୍ଷମତା ରହିଛି, ରାଜ୍ୟମାନଙ୍କର ନାହିଁ। ଆଇନରେ ଏଭଳି କିଛି ବ୍ୟବସ୍ଥା ରହିଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ୧୯୮୯ ସୁପ୍ରିମ କୋର୍ଟ ରାୟ ପୂର୍ବରୁ ଖଣି ଉପରେ ୩୦୦ ପ୍ରତିଶତ, ୫୦୦ ପ୍ରତିଶତ ରୟାଲଟି ଲାଗୁ କରାଯାଉଥିଲା। ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ କହିଛନ୍ତି ଯେ ଖଣି ବିକାଶ ଲାଗି ପାର୍ଲାମେଣ୍ଟକୁ ସମ୍ବିଧାନ ଅଖଣ୍ଡ କ୍ଷମତା ଦେଇନାହିଁ। ଖଣି ଓ କଣିଜ ପଦାର୍ଥର ବିକାଶ ଓ ଏହା ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟମାନଙ୍କର ବି କ୍ଷମତା ରହିଛି। ତେବେ ଟିକସ ଲାଗୁ ପାଇଁ ସମ୍ବିଧାନ ରାଜ୍ୟମାନଙ୍କୁ ସୀମିତ କ୍ଷମତା ଦେଇଛି। ଟିକସ ଲାଗି ବେଶି କ୍ଷମତା କେନ୍ଦ୍ରକୁ ମିଳିଛି। ମଦ ଭଳି ଖୁବ କମ କ୍ଷେତ୍ରରେ ଟିକସ ପାଇଁ‌ ରାଜ୍ୟକୁ କ୍ଷମତା ମିଳିଛି। ସମ୍ବିଧାନରେ ରହିଥିବା ଏହି ବ୍ୟବସ୍ଥାରେ ହସ୍ତକ୍ଷେପ କରାଯିବା ଠିକ୍ ନୁହେଁ। ଆସନ୍ତା ବୁଧବାର ଏହି ମାମଲାର ପୁଣି ଶୁଣାଣି ହେବ। ଆଜି ଯେଉଁ ରାୟ ପ୍ରକାଶ ପାଇଛି ତାହା ପୁରୁଣା ତାରିଖରୁ ଲାଗୁ ହେବ ନା ରାୟ ପ୍ରକାଶ ପାଇବା ଦିନ ଠାରୁ ଲାଗୁ ହେବ? ଏହା ଉପରେ ସୁପ୍ରିମ କୋର୍ଟ ଶୁଣାଣି କରି ତାଙ୍କର ରାୟ ଦେବେ। ଏହି ସମୟ ମଧ୍ୟରେ କେନ୍ଦ୍ର ଆଦାୟ କରିଥିବା‌ ରୟାଲଟି ରାଜସ୍ବ ରିକଭରି କରାଯିବ କି ନାହିଁ, ତାହା ଉପରେ ମଧ୍ୟ ଶୁଣାଣି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ