ରାଜ୍ୟ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡେଙ୍ଗୁ ଚାପ: ବାହାର ରୋଗୀଙ୍କୁ ମିଳୁନି ପ୍ଲେଟ୍‌ଲେଟ୍‌

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ଚାପ ଏବେ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ ସମସ୍ୟା ହେଲାଣି ପ୍ଲେଟ୍‌ଲେଟ୍‌। ଡେଙ୍ଗୁ ରୋଗୀଙ୍କୁ ଦରକାର ପଡ଼ୁଥିବା ପ୍ଲେଟ୍‌ଲେଟ୍‌ ଅଭାବ ଦିନକୁ ଦିନ ସଂଗିନ୍ ହେବାକୁ ଯାଉଛି। ରକ୍ତଦାତା ଅଭାବ ହେଉଥିବାରୁ ଏହି ରକ୍ତକଣିକା ଅଭାବ ହେଲାଣି। ଆଗକୁ ଏଭଳି ସ୍ଥିତି ଲାଗିରହିଲେ, ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଆଜି କ୍ୟାପିଟାଲ ହସ୍ପିଟାଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ୩୮ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୨୮ ଜଣ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ଏମିତିରେ ଦେଖିଲେ ଗତ ତିନି ସପ୍ତାହ ହେଲା ଏଠାରେ ୩୦ ଆକ୍ରାନ୍ତ ଶଯ୍ୟାରେ ରହୁଛନ୍ତି। ଏହି ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ୍‌ର ବ୍ଲଡ୍‌ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ଏହାବାଦ୍‌ ରାଜଧ‌ାନୀର ଅନ୍ୟାନ୍ୟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଡେଙ୍ଗୁ ଆକ୍ରାନ୍ତ ମଧ୍ୟ ଏଠାରୁ ରକ୍ତ ନେଉଛନ୍ତି।

ତେଣୁ ଦୈନିକ ୪୦ ରୁ ଅଧିକ ରୋଗୀଙ୍କୁ ଏଠାରୁ ପ୍ଲେଟ୍‌ଲେଟ୍‌ ନେବାକୁ ପଡ଼ୁଛି। ଏହାବାଦ୍‌ ଅନ୍ୟ ବିଭାଗ ପାଇଁ ରୋଗୀମାନଙ୍କୁ ରକ୍ତର ଆବଶ୍ୟକ ହେଉଛି। ତେଣୁ ଏବେ କ୍ୟାପିଟାଲ ହସ୍ପିଟାଲ୍‌ର ରକ୍ତଭଣ୍ଡାର ଉପରେ ଚାପ ବଢ଼ିବାରେ ଲାଗିଛି। ଏତିକିବେଳେ ରକ୍ତଦାତା ମିଳୁନଥିବାରୁ ସମସ୍ତଙ୍କୁ ପ୍ଲେଟ୍‌ଲେଟ ଯୋଗାଇବା କର୍ତ୍ତୃପକ୍ଷଙ୍କ ପାଇଁ କ‌ାଠିକର ପାଠ ହୋଇପଡ଼ୁଛି। ବିଶେଷଜ୍ଞଙ୍କ କହିବା କଥା ଗୋଟିଏ ୟୁନିଟ୍‌ ରକ୍ତରେ ଲୋହିତ ରକ୍ତକଣିକା(ପିଆର୍‌ବିସି ରେଡ୍‌ ବ୍ଲଡ୍‌ ସେଲ୍‌), ଡବ୍ଲୁବିସି, ପ୍ଳେଟ୍‌ଲେଟ୍‌ (ଆର୍‌ଡିପି), ପ୍ଲାଜ୍‌ମା (ଫ୍ରେସ୍‌ ଫ୍ରୋଜନ୍‌ ପ୍ଲାଜ୍‌ମା) ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ଥାଏ। ତେଣୁ ଜଣେ ବ୍ୟକ୍ତିଙ୍କ ରକ୍ତଦାନରେ ୪ ଜଣଙ୍କ ଜୀବନ ବଞ୍ଚି ପାରିବ। ରକ୍ତ ସଂଗ୍ରହର ୬ ଘଣ୍ଟା ମଧ୍ୟରେ ରକ୍ତ ପୃଥକୀକରଣ କରାଯାଏ। ଏଥିପାଇଁ ସ୍ବତନ୍ତ୍ର ମେସିନ୍‌ ରହିଛି। ରାଜଧାନୀରେ କେବଳ କ୍ୟାପିଟାଲ ହସ୍ପିଟାଲ୍‌ରେ ଏଭଳି ମେସିନ୍‌ ରହିଛି। ରକ୍ତରୁ ପୃଥକ ହୋଇଥିବା ପ୍ଲେଟ୍‌ଲେଟ୍‌ ମାତ୍ର ୪/୫ ଦିନ ମଧ୍ୟରେ ବ୍ୟବହାର କରାଯାଇ ପାରିବ। ତେଣୁ ଏହାକୁ ଅଧିକ ଦିନ ସଞ୍ଚୟ କରି ରଖାଯାଇପାରେ ନାହିଁ। ବିଏମ୍‌ସି ହସ୍ପିଟାଲରେ ପୃଥକୀକରଣ ମେସିନ ଥିଲେ ମଧ୍ୟ କର୍ମଚାରୀ ଅଭାବରୁ ସେହି ମେସିନ ଅଚ‌ଳ ହୋଇପଡ଼ିଛି। ଏଭଳି ସ୍ଥିତିରେ ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ର ରକ୍ତ ଭଣ୍ଡାର ସାହା ଭରସା। ଏହି ଡାକ୍ତରଖାନା ସମୁଦାୟ ଆବଶ୍ୟକତାର ୭୦ ଭାଗ ରକ୍ତ ଶିବିର ଜରିଆରେ ପୂରଣ କରେ। କିନ୍ତୁ ପ୍ରତିଦିନ ଶିବିର ଆୟୋଜନ ହେଉନଥିବାରୁ ଓ ରକ୍ତଦାତା ମିଳୁନଥିବାରୁ ଆଗକୁ ପ୍ଲେଟ୍‌ଲେଟ୍‌ ସଂଗ୍ରହରେ ସମସ୍ୟା ଉପୁଜିବ।

ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର କହିଛନ୍ତି ଯେ କ୍ୟାପିଟାଲ ଡାକ୍ତରଖାନା ନିକଟ ଅଞ୍ଚଳରେ ହେଉଥିବା ରକ୍ତଦାନ ଶିବିରରୁ ସଂଗୃହୀତ ରକ୍ତକୁ ପୃଥକୀକରଣ କରାଯାଇପାରେ। ଦୂର ସ୍ଥାନରୁ ରକ୍ତ ସଂଗୃହୀତ ହୋଇ ଆସିବା ପରେ ତାହାକୁ ପୃଥକୀକରଣ କରାଯାଇପାରିବନାହିଁ। କ୍ୟାନ୍‌ସର, ଥାଲାସେମିଆ, ଦୁର୍ଘଟଣା କିମ୍ବା ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ରକ୍ତ ‌ଯୋଗାଇ ଦିଆଯାଉଛି। ପୂର୍ବରୁ ଦୈନିକ ୧୦ରୁ ୧୨ ପ୍ୟାକେଟ୍‌ ରକ୍ତ ଆବଶ୍ୟକ ହେଉଥିଲା। କିନ୍ତୁ ଏବେ ଡେଙ୍ଗୁ ପାଇଁ ହଠାତ୍‌ ୩ରୁ ୪ ଗୁଣ ରକ୍ତ ଚାହିଦା ବଢ଼ିଯାଇଛି। ତେଣୁ ରକ୍ତ ଭଣ୍ଡାରରେ ଏବେ ଅଧିକ ଚାପ ରହୁଛି। ‌ଏଭଳି ସମୟରେ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗ ଜରୁରୀ ହୋଇପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।