ପ୍ୟାରିସ: ରୁଷିଆର ଆନାସ୍ତେସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ସଂଘର୍ଷପୂର୍ଣ୍ଣ ତିନି ସେଟ୍ ବିଶିଷ୍ଟ ମ୍ୟାଚ୍ରେ ପରାସ୍ତ କରି ଚେକ୍ ଗଣରାଜ୍ୟର ୨୫ ବର୍ଷ ବୟସ୍କା ବାର୍ବୋରା କ୍ରେସିକୋଭା ଚଳିତ ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ୩୩ତମ ମାନ୍ୟତାପ୍ରାପ୍ତ କ୍ରେସିକୋଭା ଆଗରୁ କେବେ ବି ଚତୁର୍ଥ ରାଉଣ୍ଡ୍ ଅତିକ୍ରମ କରିନଥିଲେ। ହେଲେ ପ୍ରଥମ ଥର ଫାଇନାଲ୍ ପ୍ରବେଶ କରିଥିବା ଏହି ଚେକ୍ ମହିଳା ଟ୍ରଫି ଲଢ଼େଇରେ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ୬-୧, ୨-୬ ଓ ୬-୪ ସେଟ୍ରେ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାତେଇବାର ଗୌରବ ବହନ କଲେ। ଏଥି ସହିତ ୧୯୮୧ ପରେ ସୁଜାନା ଲେଙ୍ଗ୍ଲେନ୍ କପ୍ ଜିତିବାରେ ସେ ପ୍ରଥମ ଚେକ୍ ମହିଳା ହେବାର ଇତିହାସ ରଚିଛନ୍ତି। ୧୯୮୧ରେ ହାନା ମାଣ୍ଡଲିକୋଭା ଏଠାରେ ଟ୍ରଫି ଜିତିଥିଲେ।
ଅନ୍ୟପକ୍ଷରେ ରେକର୍ଡ ସଂଖ୍ୟକ ୫୨ ମ୍ୟାଚ୍ ପ୍ରୟାସ ପରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ ସ୍ଥାନ ପକ୍କା କରିଥିବା ପାଭ୍ଲ୍ୟୁଚେଙ୍କୋଭାଙ୍କୁ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବାରୁ ନିରାଶ ହେବାକୁ ପଡ଼ିଲା। ତେବେ ୧୯୭୮ ଅଷ୍ଟ୍ରେଲିଆନ୍ ଓପନ୍ ପରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡ୍ ସ୍ଲାମ୍ର ମହିଳା ଏକକ ବର୍ଗ ଟ୍ରଫି ଲଢ଼େଇରେ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ନଥିଲେ। ଫଳରେ ରୋଲାଁ ଗ୍ୟାରସ୍ ଏଥର ଜଣେ ନୂଆ ବିଜୟିନୀଙ୍କୁ ପାଇଲା।
ସେମିଫାଇନାଲ୍ରେ କ୍ରେସିକୋଭା ୧୭ତମ ମାନ୍ୟତାପ୍ରାପ୍ତ ଗ୍ରିକ୍ର ମାରିଆ ସାକାରିଙ୍କୁ ଏବଂ ପାଭ୍ଲ୍ୟୁଚେଙ୍କୋଭା ସ୍ଲୋଭେନିଆର ତାମରା ଜିଦାଁସେକ୍ଙ୍କୁ ପରାସ୍ତ କରି ଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ଫାଇନାଲ୍ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। କେହି କାହାରିକୁ ଛାଡ଼ିଦେଲା ଭଳି ଲାଗୁନଥିଲା। କ୍ରେସିକୋଭା ପ୍ରଥମ ସେଟ୍କୁ ୬-୧ରେ ଜିତିନେଇଥିଲେ। ଏହାପରେ ପାଭ୍ଲ୍ୟୁଚେଙ୍କୋଭା ମଧ୍ୟ ଦ୍ବିତୀୟ ସେଟ୍କୁ ୬-୨ରେ ଜିତି ସ୍ଥିତି ବରାବର କରିଥିଲେ। ଫଳରେ ମ୍ୟାଚ୍ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ହୋଇଯାଇଥିଲା। ଶେଷରେ ନିର୍ଣ୍ଣାୟକ ସେଟ୍କୁ ୬-୪ ଜିତି କ୍ରେସିକୋଭା ବିଜୟ ମୁକୁଟ ପିନ୍ଧି ନେଇଥିଲେ। ଉଭୟ ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଜିତିବା ଲକ୍ଷ୍ୟରେ ରହିଥିଲା ବେଳେ କ୍ରେସିକୋଭା ବାଜି ମାରିନେଲେ।