ମୁମ୍ବାଇ ୨୪/୦୪: ‘ଶୋଲେ’ର’ ସାମ୍ବା ନାମ ନେବା ମାତ୍ରେ ମନରେ ଏକ ଚେହେରା ଦେଖାଯାଏ । ଏହି ଚରିତ୍ରରେ ଅଭିନେତା ମାକ୍ ମୋହନ ଅଭିନୟ କରିଥିଲେ । ମାକ୍ ମୋହନ ୨୪ ଏପ୍ରିଲ ୧୯୩୮ ରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ମୋହନ ମାକିଜାନି । ମାକ୍ ମୋହନ ୭୦ ଏବଂ ୮୦ ଦଶକରେ ଭିଲେନ୍ ହୋଇ ଫେମସ୍ ହୋଇଥିଲେ । ସେ ୨୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ସେ ଗ୍ରହଣ କରିଥିବା ‘ଶୋଲେ’ର ଚରିତ୍ର ଏତେ ପ୍ରସିଦ୍ଧ ହୋଇଥିଲା ଯେ ବାସ୍ତବ ଜୀବନରେ ଲୋକମାନେ ତାଙ୍କୁ ଭୟ କରୁଥିଲେ ।
ମାକ ମୋହନ ହିନ୍ଦୀ ସିନେମାରେ ଏକରୁ ଅଧିକ ଚଳଚ୍ଚିତ୍ର କରିଥିଲେ, କିନ୍ତୁ ସେ ଯେତେବେଳେ କରାଚିରୁ ବମ୍ବେରେ ପହଞ୍ଚିଥିଲେ ସେତେବେଳେ ସେ କ୍ରିକେଟର ହେବାର ସ୍ୱପ୍ନ ନେଇ ଆସିଥିଲେ । ମାକ୍ ମୋହନଙ୍କର ପିଲାଦିନରୁ କ୍ରିକେଟ୍ ପ୍ରତି ଆଗ୍ରହ ଥିଲା ଏବଂ ସେ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ । ଥିଏଟର ଯୋଗୁଁ ଅଭିନୟ କ୍ଷେତ୍ରରେ ତାଙ୍କର ପ୍ରବଣତା ବଢିବାକୁ ଲାଗିଥିଲା । ପରେ ସେ ଥିଏଟରରେ ଯୋଗ ଦେଇ ମୁମ୍ବାଇର ଫିଲ୍ମାଲୟ ସ୍କୁଲ୍ ଅଫ୍ ଆକ୍ଟିଂରୁ ଅଭିନୟ ଶିଖିଥିଲେ ।
ମାକ୍ ମୋହନ ଜଣେ ସହକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଦେବ ଆନନ୍ଦଙ୍କ ଭାଇ ତଥା ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ସହ କାମ କରିବା ଆରମ୍ଭ କରିଥିଲେ । ସେ ୧୯୬୪ ଫିଲ୍ମ ‘ହକିକତ’ରେ ଜଣେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ । ହିନ୍ଦୀ ବ୍ୟତୀତ ମାକ ମୋହନ ଭୋଜପୁରୀ, ଗୁଜୁରାଟୀ, ହରିୟାଣୀ, ମରାଠୀ ଏବଂ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଜଣେ ଏଭଳି ଅଭିନେତା ଯିଏ ନିଜ ନାମ ‘ମାକ୍’ରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ ।
ମାକ୍ ମୋହନ ‘ଶାଗିର୍ଦ’, ‘ଆୟା ସାୱାନ୍ ଝୁମ୍ କେ’, ‘ସୁହାନା ସଫର’, ‘ହୀରା ପନ୍ନା’, ‘ଜଞ୍ଜୀର’, ‘ସରିଫ ବଦମାସ’, ‘ମଜବୁର’, ‘କାଲା ପଥର୍’, ‘କର୍ଜ’, ‘କୁର୍ବାନୀ’, ‘ଶାନ’, ‘ଦୋସ୍ତାନା’ ଏବଂ ‘ସତ୍ତେ ପେ ସତ୍ତେ’ ଭଳି ଅନେକ ଫିଲ୍ମ କରିଥିଲେ । ମାକ୍ ମୋହନଙ୍କ ଶେଷ ଫିଲ୍ମ ୨୦୧୦ ରେ ‘ଅତିଥି ତୁମ୍ କବ୍ ଜାଓଗେ’ ଥିଲା ।
ମାକ୍ ମୋହନ ୧୯୮୬ ରେ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ମଞ୍ଜରୀ ମାକିଜନି, ବିନତି ମାକିଜନି ଏବଂ ଗୋଟିଏ ପୁଅ ବିକ୍ରାନ୍ତ ମାକିଜାନି । | ସେ ୨୦୧୦ ରେ ୭୨ ବର୍ଷ ବୟସରେ ଫୁସଫୁସ କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିଲେ ।