ନୂଆଦିଲ୍ଲୀ ୬।୫: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା କମିବାର ନାଁ ନେଉନି । ଏ ଭିତରେ ଆଉ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉତ୍ତର କୋଲକାତାରୁ ମିଳିଛି । ରାଜ୍ୟ ବିଜେପି ନେତା କହିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ହତ୍ୟା କରି ଟଙ୍ଗାଇ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଉତ୍ତର ୨୪ ପ୍ରଗଣା କାଶୀପୁର ରେଲଓ୍ବେ କଲୋନୀରେ ଜମେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାତିରେ ଅନ୍ୟ ସ୍ଥାନରେ ହତ୍ୟା କରିବା ପରେ ତାଙ୍କ ମୃତଦେହ ଏଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ସେପଟେ ପ୍ରାଥମିକ ତଦନ୍ତ ଅନୁଯାୟୀ ଅର୍ଜୁନ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପାଦ ଭୂମି ସ୍ପର୍ଶ କରିଛି ।
ଅର୍ଜୁନଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଥିଲା । ବହୁ ସମୟ ପରେ ବିଜେପି କାର୍ଯ୍ୟକର୍ତ୍ତା ମୃତଦେହକୁ ଛାଡିଥିଲେ । ସ୍ଥାନୀୟ ଅଞ୍ଚଳକୁ ଚିତପୁର ପୋଲିସ ସିଲ୍ କରିଦେଇଛି । ଲାଲବାଜାର ଅଞ୍ଚଳର ଗୁଇନ୍ଦା ବିଭାଗ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ତଳରେ ଉପସ୍ଥିତ ଅଛି ।
ବିଜେପି ନେତା କହିଥିଲେ ଯେ, ଅର୍ଜୁନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଆମେ ଗୁରୁବାର ରାତିରେ ତାଙ୍କ ନେତୃତ୍ବରେ ୨୦୦ ବାଇକ୍ ରାଲି ଆୟୋଜିତ କରିବାର ଯୋଜନା ମଧ୍ୟ କରିଥିଲୁ । ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କୋଲକାତା ଗସ୍ତରେ ଯାଉଥିବା ବେଳେ ଏହି ଘଟଣା ପରେ ସମସ୍ତ ସ୍ବାଗତ କାର୍ଯ୍ୟକ୍ରମ ରଦ୍ଦ କରିଦିଆଯାଇଛି ।