ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ଶୃଙ୍ଖଳା ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଛନ୍ତି ବହୁ ପୂର୍ବତନ ଖେଳାଳି ଏବଂ ପ୍ରଶଂସକମାନେ। ବିଶେଷ କରି ବୋଲିଂ ବାହିନୀର ନେତୃତ୍ବ ନେଉଥିବା ଯଶପ୍ରୀତ୍ ବୁମରାଙ୍କୁ ଠିକଣା ଭାବେ ଉପଯୋଗ କରାଯାଇନଥିବାରୁ କ୍ରିକେଟ୍ ବିଶାରଦମାନେ କୋହଲିଙ୍କ ନେତୃତ୍ବ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନୂଆ ବଲ୍ ତଥା ପ୍ରଥମ ସ୍ପେଲ୍ରେ ବୁମରା ୨ ଓଭର ବୋଲିଂ କରି ମାତ୍ର ୭ ରନ୍ ବ୍ୟୟ କରିଥିଲେ। କିନ୍ତୁ ୧୦ ଓଭର ଭିତରେ ମାତ୍ର ଆଉ ଗୋଟିଏ ଓଭର ବୋଲିଂ କରିବା ସୁଯୋଗ ପାଇଥିଲେ। ଗମ୍ଭୀର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ‘ନୂଆ ବଲ୍ରେ ବୁମରା ମାତ୍ର ୨ ଓଭର ବୋଲିଂ କରିବା ଯୋଜନାକୁ ମୁଁ ବୁଝି ପାରୁନାହିଁ। ଘରୋଇ ଦଳର ଏଭଳି ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍କୁ ଭେଦିବା ଲାଗି ଆମକୁ ୱିକେଟ୍ ନେବା ଗୁରୁତ୍ବପୂର୍ଣ୍ଣ ଥିଲା। ଏଭଳି ସମୟରେ ପ୍ରମୁଖ ବୋଲରଙ୍କୁ ମାତ୍ର ୨ ଓଭର ମିଳିବା ଠିକ୍ ନଥିଲା। ସାଧାରଣତଃ ଦିନିକିଆ ମ୍ୟାଚ୍ରେ ବୋଲରଙ୍କୁ ୩ଟି ସ୍ପେଲ୍ରେ ୪-୩-୩ ବିରାମରେ ବୋଲିଂ ସୁଯୋଗ ଦିଆଯାଇଥାଏ କିମ୍ବା ସର୍ବାଧିକ ୪ ଓଭର ବୋଲିଂ ମିଳିଥାଏ। ପ୍ରମୁଖ ବୋଲରଙ୍କୁ ବୋଲିଂରୁ ଦୂରେଇ ରଖିବା କିଭଳି ପ୍ରକାର ଅଧିନାୟକତ୍ବ ବୋଲି ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି। ଏହା ଟି-୨୦ କ୍ରିକେଟ୍ ନୁହେଁ, ଏହା ପଛରେ କି କାରଣ ରହିଛି ମୋ ପାଇଁ ଅବୁଝା। ବିଶ୍ବର କୌଣସି ଅଧିନାୟକ ବି ବୁମରାଙ୍କୁ ଓପନିଂ ସ୍ପେଲ୍ରେ ମାତ୍ର ୨ ଓଭର ଦେଇନଥାନ୍ତେ। ଏହା ନିଶ୍ଚିତ ଦୁର୍ବଳ ଅଧିନାୟକତ୍ବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ଭାରତ ୱାସିଂଟନ୍ ସୁନ୍ଦର କିମ୍ବା ଶିଭମ ଦୁବେଙ୍କ ଭଳି ଖେଳାଳିଙ୍କୁ ଖେଳାଇବାର ଥିଲା। ଦିନିକିଆ ଦଳ ଚୟନ ଉପରେ ନଜର ପକାଇଲେ ଏଥିରେ ତ୍ରୁଟି ଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି ଗମ୍ଭୀର କହିଥିଲେ।
କୋହଲିଙ୍କ ନେତୃତ୍ବ ଉପରେ ପ୍ରଶ୍ନ, ବୁମରାଙ୍କ ୨ ଓଭର ପ୍ରଥମ ସ୍ପେଲକୁ ନେଇ ଗମ୍ଭୀର ଖପ୍ପା ଘନଘନ ବୋଲିଂ ପରିବର୍ତନକୁ ନେହେରାଙ୍କ ନାପସନ୍ଦ