ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଜଟିଳତା ଅନୁଧ୍ୟାନ ନେଇ କମିଟି ଗଠନ କଲେ ସରକାର

ଭୁବନେଶ୍ବର: ଗତବର୍ଷ ମେ’ ୧୫ତାରିଖରେ ଓଡ଼ିଶା ସରକାର କୋଭିଡ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରିଥିଲେ। ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ପିଏଚ୍‌ଏଫ୍‌ଆଇର ସଭାପତି କେ.ଶ୍ରୀନାଥ ରେଡ୍ଡୀଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦେଶର ପ୍ରମୁଖ ଡାକ୍ତରଙ୍କୁ ନିଆଯାଇଥିଲା। ରାଜ୍ୟରେ କୋଭିଡର ସମ୍ଭାବ୍ୟ ପରବର୍ତୀ ଲହର, ଭିତ୍ତିଭୂମି ବିକାଶ ଓ ଟିକାକରଣ ଉପରେ ରଣନୀତି କମିଟି ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା।

ଏହାଭିତରେ ରାଜ୍ୟରେ କୋଭିଡର ତୃତୀୟ ଲହର ଶେଷ ହେବା ସହିତ ‌କରୋନା ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି। ଟିକାକରଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମାତ୍ର ଏବେ ଲୋକଙ୍କ ମଧ୍ୟରେ କୋଭିଡ ପରବର୍ତୀ ଜଟିଳତା ବୃଦ୍ଧି ପାଉଛି। ତେଣୁ ଦେଶର ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ କମିଟିର ରାଜ୍ୟ ସରକାର ସାହାଯ୍ୟ ନେଉ ନାହାନ୍ତି କାହିଁକି ?

ଏହି ପ୍ରସଙ୍ଗଟି ଏଇଥିପାଇଁ ଚର୍ଚ୍ଚାକୁ ଆସିଛି ଯେ ଚଳିତମାସ ୧୫ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୋଭିଡରେ ଆକ୍ରାନ୍ତ ଓ ପରବର୍ତୀ ସମୟରେ ଲୋକଙ୍କଠାରେ ଦେଖା ଦେଉଥିବା ଜଟିଳତା ସଂପର୍କରେ ଜାଣିବା ଲାଗି ଏକ ୮ଜଣିଆ କମିଟି ଗଠନ କରିଛନ୍ତି। ଗତ ଜୁନ୍ ମାସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏ ସଂପର୍କରେ ବିଭାଗକୁ ଚିଠି ଲେଖିଥିଲେ। ଏହି ଚିଠିର ଆଧାରରେ ବିଭାଗ କମିଟି ଗଠନ କରିଛି। ଗଠିତ କମିଟିରେ ସ୍ବତନ୍ତ୍ର ସଚିବ(ଜନସ୍ବାସ୍ଥ୍ୟ) ଅଧ୍ୟକ୍ଷ ରହିଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ, ଡିଏମ୍‌ଇଟି, ଆୟୁଷ ନିର୍ଦେଶକ, ଏମ୍‌ସ ନିର୍ଦେଶକ/ପ୍ରତିନିଧି, ଓୟୁଏଟିର ପ୍ରତିନିଧି ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସଦସ୍ୟ ଆବାହକ ରହିଛନ୍ତି। ତେବେ ପିଏଚ୍‌ଏଫ୍‌ଆଇର ସଭାପତି କେ.ଶ୍ରୀନାଥ ରେଡ୍ଡୀ କେବଳ ଉଚ୍ଚସ୍ତରୀୟ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ନୁହଁନ୍ତି, ସେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଉପଦେଷ୍ଟା ମଧ୍ୟ। ତେଣୁ ରାଜ୍ୟ ସରକାର ଏହି ଉଚ୍ଚସ୍ତରୀୟ କମିଟିକୁ ଭୁଲି ଯାଇଛନ୍ତି ବୋଲି ଚର୍ଚା ହେଉଛି।

ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏହି ଉପଦେଷ୍ଟା କମିଟିରେ ନାରାୟଣ ହୃଦୟାଳୟର ଅଧ୍ୟକ୍ଷ ଡା.ଦେବୀ ସେଟ୍ଟୀ, ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ନିର୍ଦେଶକ ଡା.ରମାକାନ୍ତ ପଣ୍ଡା, ଏମ୍‌ସ ଭୁବନେଶ୍ବରର ସଭାପତି ଡ‌ା.ସୁବ୍ରତ ଆଚାର୍ଯ୍ୟ, ଆଇସିଏମ୍‌ଆରର ପୂର୍ବତନ ଉପ-ମହାପ୍ରବନ୍ଧକ ଡା.ଲଳିତ କାନ୍ତ, ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ମୃଦୁଳା ଫଡ଼କେ ରହିଛନ୍ତି। ରାଜ୍ୟ ଡିଏମ୍‌ଇଟି ଏହି କମିଟିର ଆବାହକ ରହିଛନ୍ତି। ଏହି କମିଟି ଭଙ୍ଗ ହୋଇନାହିଁ କି ଅବଧି ଶେଷ ହୋଇନାହିଁ। ତେଣୁ କୋଭିଡ ପରବର୍ତୀ ଜଟିଳତା ନେଇ କମିଟିର ପ୍ରସ୍ତାବକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି? କମିଟିର ସଦସ୍ୟ ଜଣେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କୁ ସମ୍ଭାବ୍ୟ ତୃତୀୟ ଲହର ଓ ଅନ୍ୟାନ୍ୟ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତୀ ସମୟରେ ଆଉ ବୈଠକ ବସିନାହିଁ। ତେଣୁ ରାଜ୍ୟ ସରକାର ଚାହିଁବେ ତାହାଲେ କମିଟି କୋଭିଡ ଜଟିଳତା ନେଇ କିଛି ପ୍ରସ୍ତାବ ଦେଇପାରେ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର କୋଭିଡ ଟିକାକରଣ ନେଇ ରାଜ୍ୟମାନଙ୍କୁ ନିର୍ଦେଶ ଦେବାପରେ ରାଜ୍ୟ ସରକାର ଏହି ଉପଦେଷ୍ଟା କମିଟି ଗଠନ କରିଥିଲେ। କିଭଳି ଭାବେ ରାଜ୍ୟରେ ଟିକାକରଣ ହୋଇପାରିବ ତାହା ସଂପର୍କରେ କମିଟି କିଛି ପ୍ରସ୍ତାବ ଦେଇଥିଲା। ମାତ୍ର ପରବର୍ତୀ ସମୟରେ କେନ୍ଦ୍ର ସରକାର ପୁଣିଥରେ ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ଘୋଷଣା କରିବା ପରେ କମିଟିର ପ୍ରସ୍ତାବର ଆବଶ୍ୟକତା ପଡ଼ି ନ ଥିବା କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ