ରାଜନୀତି ରାଜ୍ୟ

କେବେ ସ୍ବତନ୍ତ୍ର ଜିଲ୍ଲା ହେବ ଭୁବନେଶ୍ବର?

ଭୁବନେଶ୍ବର: ୧୯୯୩ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ୧୩ଟି ରାଜସ୍ୱ ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରି ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ଭୁବନେଶ୍ୱରକୁ ମଧ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଯିବାର ପ୍ରସ୍ତାବ ରହିଥିଲା। ୟା’ ଭିତରେ ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କେବଳ ସେମିତି ପ୍ରସ୍ତାବରେ ଅଟକିଛି। ଭୁବନେଶ୍ୱରକୁ ଏକ ଜିଲ୍ଲା କରିବାର ଆବଶ୍ୟକକତା ଉପଲବ୍ଧି କରି ତତ୍‌କାଳୀନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ମଧ୍ୟ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଏକ ଜିଲ୍ଲାର ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି (ଜଷ୍ଟିସ୍ ଦାସ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସମ୍ପୃକ୍ତ କମିଟି ବିଚାର ବିମର୍ଷ କରିବା ପରେ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା। ପୂର୍ବତନ ମୁଖ୍ୟଶାସନ ସଚିବ ତଥା ନିର୍ବାଚନ କମିସନର ଡ. ଅଜିତ କୁମାର ତ୍ରିପାଠୀ ଓ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ଉପବାଚସ୍ପତି ସୁରେନ୍ଦ୍ରନାଥ ନାୟକ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭୁବନେଶ୍ବର‌ରେ ୧୫ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ବେଳେ ଏବେ ଏହା ୨୨ଲକ୍ଷରୁ ଅଧିକ ହେଲାଣି। ଲୋକସଂଖ୍ୟା ବହୁଗୁଣିତ ହେବା ସହ ପ୍ରାଶାସନିକ କାର୍ଯ୍ୟ ଚାପ ମଧ୍ୟ ବଢ଼ିବଢ଼ି ଚାଲିଛି। ସେହି ଅନୁସାରେ ଜନସାଧାରଣଙ୍କୁ ସେବା ଯୋଗାଇବାରେ ମଧ୍ୟ ସମସ୍ୟା ଉପୁଜିଛି। ଏଣୁ ଭୁବନେଶ୍ୱରକୁ ତୁରନ୍ତ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦିଆଯାଉ ବୋଲି କହିଛି ‘ଭୁବନେଶ୍ବର ଜିଲ୍ଲା ଗଠନ ସଂଘ’।

ସଂଘର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ଅସିତ ମହାନ୍ତି, ସଂଗଠନ ସମ୍ପାଦକ ପ୍ରଦୋଷ କୁମାର ପଟ୍ଟନାୟକ ପ୍ରମୁଖ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ପଛରେ ରହିଥିବା ଯଥାର୍ଥତାକୁ ଉପସ୍ଥାପନ କରିଛନ୍ତି। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ସଂଘର ଏହି କର୍ମକର୍ତ୍ତାଙ୍କ ସହିତ ରଜନୀ ରଞ୍ଜନ, ଦିଲୀପ ଓଝା, ବାସୁଦେବ ଭଟ୍ଟ, ଉପେନ୍ଦ୍ର ରାଉତରାୟ, ମନୋଜ ନାୟକ ପ୍ରମୁଖ ଏହି ଦାବିକୁ ଦୃଢ଼ ସମର୍ଥନ କରିଛନ୍ତି।

ସଂଘର ଯୁକ୍ତି ହେଉଛି, ପୂର୍ବରୁ ଭୁବନେଶ୍ୱର ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା। ୨୦୦୯ ମସିହାଠାରୁ ଏହା ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପରିଣତ ହୋଇଛି। ସେହିଭଳି ଭୁବନେଶ୍ବର ମହାନଗର ସମେତ ଏକ ବଡ଼ ଅଞ୍ଚଳ ଏବେ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି। କଟକ ଜିଲ୍ଲାର ନିଆଳି ନିକଟସ୍ଥ ନରିଶୋ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି। ଏଠାରୁ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ପ୍ରାୟ ୭୦ କିମି ଦୂର। ଏଭଳି ଅନେକ ସ୍ଥାନ ଜିଲ୍ଲା ସଦର ମହକୁମା ଠାରୁ ୫୦/୬୦ କିମି ଦୂରରେ ରହିଛି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରୁ ଏହା ୨୦ କିମି ଦୂର। ସେଥିପାଇଁ ପ୍ରତିଦିନ ଭୁବନେଶ୍ୱର ମହାନଗରବାସୀ ତଥା ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଲୋକସେବା ଭବନଠାରୁ ଆରମ୍ଭ କରି ଅଧିକାଂଶ ବିଭାଗର ମୁଖ୍ୟାଳୟ ଭୁବନେଶ୍ୱରରେ ଥିବା ବେଳେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧାରେ ରହିଛି। ସେହିଭଳି ଜନସାଧାରଣ ହାତ ପାହାନ୍ତାରେ ଆଇନସେବା ପାଇବାରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱର କୋର୍ଟ ପରିସରରେ ନିର୍ମାଣାଧୀନ ‘ଜୁଡିସିଆଲ୍ କଂପ୍ଲେକ୍ସ’ ରେ ସମସ୍ତ ‘ଜୁଡିସିଆଲ୍ କୋର୍ଟ’ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାକୁ ଯାଉଛି। ସମସ୍ତ ‘ଏକ୍‌ଜିକ୍ୟୁଟିଭ୍ କୋର୍ଟ’ ଗୋଟିଏ ସ୍ଥାନରେ ସ୍ଥାପନ କରିବା ପାଇଁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ୪ ଏକର ୯୩୩ ଡିସିମିଲି ଜମି ରାଜସ୍ୱ ବିଭାଗକୁ ପ୍ରଦାନ କରିଛି। ହାତ ପାହାନ୍ତାରେ ନ୍ୟାୟ ପ୍ରଦାନ ପାଇଁ ଉଭୟ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ନ କଲେ ଏସବୁ ଜନସାଧାରଣଙ୍କୁ ସୁଫଳ ପ୍ରଦାନ କରିପାରିବ ନାହିଁ। ଏ ଦୃଷ୍ଟିରୁ ଭୁବନେଶ୍ୱର କୋର୍ଟର ଆଇନଜୀବୀମାନେ ମଧ୍ୟ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାର ପଦ୍ମପୁର ସବ୍‌ଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଘୋଷଣା କରିଛନ୍ତି। ପଦ୍ମପୁର ଓ ଭୁବନେଶ୍ୱର ସମେତ କେତୋଟି ଜିଲ୍ଲାର ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ସେ ସବୁ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଦାବି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଣୁ କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା, ଭୌଗୋଳିକ ସୀମା ଓ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଭୁବନେଶ୍ୱରକୁ ଯଥାଶୀଘ୍ର ଜିଲ୍ଲା ରୂପେ ଘୋଷଣା କରିବା ପାଇଁ ସଂଘ ଦାବି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର