ରାଜନୀତି ରାଜ୍ୟ

କେବେ ବଢ଼ିବ କଳାକାରଙ୍କ ପ୍ରୋତ୍ସାହନ ରାଶି? ସରକାରୀ ବାବୁମାନେ ଚୁପ୍‌ କାହିଁକି?

ଭୁବନେଶ୍ବର : ଉତ୍କୃଷ୍ଟ କଳାର ରାଜ୍ୟ ହେଉଛି ଉତ୍କଳ। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ, ସଙ୍ଗୀତ ବି ପାରମ୍ପରିକ ଧାରାରେ ସାମିଲ ହୋଇଛି। ରାଜ୍ୟରେ ପ୍ରାୟ ୪୭୧ଟି ଲୋକକଳା ଶୈଳୀ ରହିଛି। ଯେଉଁଥିରେ କି ଲୋକନାଟ୍ୟ, ଲୋକନୃତ୍ୟ ଓ ଲୋକସଙ୍ଗୀତ ରହିଛି। ଏତେ ସଂଖ୍ୟକ ଲୋକକଳା ରହିବା ଯେକୌଣସି ରାଜ୍ୟର ସ୍ବାତନ୍ତ୍ରତା ନିଶ୍ଚୟ। କିନ୍ତୁ ଏହି କଳାର ବାହକ କଳାକାରମାନଙ୍କ ଭାଗ୍ୟ ସେତିକି ଉତ୍କୃଷ୍ଟ ନୁହେଁ। ହାତଗଣତି କିଛି ବଡ଼ ବଡ଼ କଳାକାରଙ୍କୁ ଛାଡ଼ିଦେଲେ ଅବଶିଷ୍ଟ କଳାକାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ। ଏଭଳି ପରିସ୍ଥିତିରେ ଲୋକକଳାକୁ ଜୀବିକା ଭାବେ ଗ୍ରହଣ କରିବାକୁ ଆମ ଯୁବପିଢ଼ି ଆଗେଇ ଆସିବେ ବା କାହିଁକି? ଦରଦାମ୍‌ ଏବେ ଆକାଶଛୁଆଁ ହୋଇଥିବା ବେଳେ ଗୋଟିଏ କଳା ପରିବେଷଣ ପିଛା ଯଦି ଜଣେ କଳାକାର ୧ ହଜାର ଟଙ୍କାରୁ କମ୍‌ ପାରିଶ୍ରମିକ ପାଇବ ତେବେ ଓଡ଼ିଶାର କଳା, ସଂସ୍କୃତି ପରପିଢ଼ିକୁ ଅବତରିତ ହେବ କେମିତି? କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ନେଇ ବାରମ୍ବାର ଦାବି ସତ୍ତ୍ବେ ସରକାରୀ ବାବୁମାନେ ଚୁପ୍‌ କାହିଁକି ବୋଲି ସଂସ୍କୃତି ପ୍ରେମୀମାନେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଲୋକନୃତ୍ୟ ଓ କଳାକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକନୃତ୍ୟ ଦଳ ପଠାଯାଏ। ଛଉ, ଗୋଟିପୁଅ ହେଉ ଅବା ପାଇକ ଆଖଡ଼ା…। ଯେକୌଣସି ଲୋକକଳା ଓଡ଼ିଶା ଭିତରେ ପ୍ରଦର୍ଶନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଟ୍ରୁପ୍‌ ପିଛା ପ୍ରୋତ୍ସାହନ ରାଶି ଦିଆଯାଉଛି ୧୩ ହଜାର ଟଙ୍କା। ଏଥିସହ ଓଡ଼ିଶା ବାହାରେ ଯେ‌କୌଣସି ସ୍ଥାନରେ କଳା ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ରହିଛି ୧୭ ହଜାର ଟଙ୍କା। ଲୋକକଳାର ଗୋଟିଏ ଦଳରେ ସାଧାରଣତଃ ୧୨ରୁ ୧୫ ଜଣ କଳାକାର ରହୁଥିବା ବେଳେ ଜଣକୁ ଏକ କଳା ପ୍ରଦର୍ଶନ ପିଛା ୧ ହଜାର ଟଙ୍କାରୁ କମ୍‌ ପ୍ରୋତ୍ସାହନ ରାଶି ମିଳୁଛି। ଫଳରେ କଳାକାରମାନେ ଲୋକ ନୃତ୍ୟରୁ ଧୀ‌ରେଧୀରେ ମୁହଁ ଫେରାଇ ନେଲେଣି। ଏମିତି ହେଲେ ଆମେ ଗର୍ବ କରୁଥିବା ଲୋକକଳା ଦିନେ ମରିଯିବ ବୋଲି ଆଶଙ୍କା କରାଯାଉଛି।

ଖାଲି ସେତିକି ନୁହେଁ, ଓଡ଼ିଶୀ ନୃତ୍ୟ ଆମର ଶାସ୍ତ୍ରୀୟ ନୃତ୍ୟ। ଓଡ଼ିଶୀ ନୃତ୍ୟକୁ ନେଇ ଆମେ ଗର୍ବ‌ରେ ଫାଟିପଡ଼ୁ। ହେଲେ ଓଡ଼ିଶୀ ଦଳ ଓଡ଼ିଶା ମଧ୍ୟରେ କଳା ପରିବେଷଣ କଲେ ସଂସ୍କୃତି ବିଭାଗ ପ୍ରୋତ୍ସାହନ ରାଶି ଦେଉଛି ୧୦ ହଜାର ଟଙ୍କା। ଏହି ଦଳ ଓଡ଼ିଶା ବାହାରେ କୌଣସି ସ୍ଥାନରେ ନୃତ୍ୟ ପରି‌ବେଷଣ କରିବାକୁ ଗଲେ ପାଆନ୍ତି ମାତ୍ର ୧୨ ହଜାର ଟଙ୍କା। ଗୋଟିଏ ଦଳରେ ୧୦ରୁ ଅଧିକ ଓଡ଼ିଶୀ ନୃତ୍ୟଶିଳ୍ପୀ ରହୁଥିବା ବେଳେ ମାତ୍ର ୧୦ରୁ ୧୨ ହଜାର ଟଙ୍କା ତାଙ୍କ ପାଇଁ ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ଭଳି ହେଉଛି। ଦଳର ମୁଖିଆମାନେ ଅଧିକ ଟଙ୍କା ନେଉଥିବା ବେଳେ ସହ-କଳାକାରମାନଙ୍କ ଭାଗରେ ୧୦୦୦ ଟଙ୍କା ପଡ଼ିବା ବି କଷ୍ଟକର ହୋଇପଡ଼ିଛି। ଏଥିସହ ପୋଷାକ, ‌କେଶସଜ୍ଜା, ଶୃଙ୍ଗାର ସହ ନୃତ୍ୟ‌ ଓ ଲୋକକଳାରେ ବ୍ୟବହୃତ ହେଉଥିବା ସାମଗ୍ରୀ ପିଛା ବି ଅଧାରୁ ଅଧିକ ଟଙ୍କା ବ୍ୟୟ ହୋଇଯାଏ। ଫଳରେ ଦଳର ମୁଖିଆଙ୍କଠାରୁ ଆରମ୍ଭ କରି ସହକଳାକାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇଯାଏ। ଓଡ଼ିଶୀ ସଙ୍ଗୀତକୁ ନେଇ ଏତେ କୋଳାହଳ ହେଉଥିବା ବେଳେ ଓଡ଼ିଶୀ ସଙ୍ଗୀତ ଟ୍ରୁପ୍‌ର ଅବସ୍ଥା ଠିକ୍‌ ଏହିଭଳି।

ଏନେଇ ଅଲ୍‌ ଓଡ଼ିଶା ପର୍‌ଫର୍ମିଂ ଆର୍ଟଷ୍ଟ ଆସୋସିଏସନ୍‌ର ସମ୍ପାଦକ ବାସୁଦେବ ନାଥ କୁହନ୍ତି, ଆଦିର ଆକାଶଛୁଆଁ ଦରଦାମ୍‌ ଯୁଗରେ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଅତ୍ୟନ୍ତ ଆବଶ୍ୟକୀୟ ହୋଇଯାଉଛି। ଲୋକକଳା ଟ୍ରୁପ୍‌ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ପୂର୍ବରୁ ୮ ହଜାର ଟଙ୍କା ଦିଆଯାଉଥିବା ବେଳେ ଏହାକୁ ୨୦୧୯ ମସିହାରେ ବୃଦ୍ଧି କରାଯାଇ ୧୩ ହଜାର ଟଙ୍କା କରାଯାଇଛି। ହେଲେ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମରତ କଳାକାରଟିଏ ଯଦି ଗୋଟିଏ ଦିନ କଳା ପ୍ରଦର୍ଶନ କଲେ ୧ ହଜାର ଟଙ୍କା ପାଇବ ନାହିଁ, ତା’ହେଲେ ସେ ପରିବାର ପ୍ରତିପୋଷଣ କରିବ କେମିତି? ଏଥିସହ ଓଡ଼ିଶା ବାହାରକୁ ଗଲେ, କଳାକାରମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦକୁ ଦିନକୁ ୨୦୦ ଟଙ୍କା ମିଳୁଛି। ଟ୍ରେନ୍‌ରେ ଗୋଟିଏ ମିଲ୍‌ର ଦାମ୍‌ ୧୬୦ ଟଙ୍କା ହୋଇଥିବା ବେଳେ ଯାତ୍ରା ସମୟରେ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି। ଏଣୁ ପ୍ରୋତ୍ସାହନ ରାଶି ବଢ଼ିବା ସହ ଗସ୍ତ ଖର୍ଚ୍ଚ ବି ବଢ଼ାଇବାକୁ ଆସୋସିଏସନ୍‌ ଦାବି କରୁଥିବା ସେ କହିଛନ୍ତି।

ସଂସ୍କୃତି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ବରିହା କହିଛନ୍ତି, କଳାକାରଙ୍କ ପାରିଶ୍ରମିକ ନିୟମିତ ବ୍ୟବଧାନରେ ବଢ଼େ। ଏବେ ଖୁବ୍‌ଶୀଘ୍ର ଏହି ପାରିଶ୍ରମିକ ବଢ଼ିବ। କଳାକାରଙ୍କ କଳା ଓ ଆର୍ଥିକ ସ୍ବଚ୍ଛଳତା ପାଇଁ ସଂସ୍କୃତି ବିଭାଗ ସଚେତନ ଓ ସମ୍ବେଦନଶୀଳ ଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର