ନୂଆଦିଲ୍ଲୀ, ୦୪/୦୧: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଆଣ୍ଠୁ ସମସ୍ୟାର ସାମ୍ନା କରିଥିବା ନଜର ଆସିଥିଲା । ସେ କେବଳ ୩.୫ ଓଭର ବୋଲିଂ କରିପାରିଥିଲେ । ତାଙ୍କ ଓଭର ଶାର୍ଦୁଳ ଠାକୁର ପୁରା କରିଥିଲେ । ସିରାଜଙ୍କ ଆହତ ଜନିତ ସମସ୍ୟା ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛି । ତେବେ ସିରାଜ ବୋଲିଂ କରିପାରିବେ ବୋଲି ଆଶା କରୁଛନ୍ତି ସ୍ପିନର ଆର ଅଶ୍ୱିନ ।
ପ୍ରଥମ ଦିନର ଖେଳ ଶେଷ ପରେ ଅଶ୍ୱିନୀଙ୍କୁ ସିରାଜଙ୍କ ଫିଟନେଶ୍ ବାବଦରେ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ଏବେ କିଛି କହି ହେବ ନାହିଁ । ସିରାଜଙ୍କ ସ୍ଥିତି ମେଡିକାଲ ଟିମ୍ ଯାଞ୍ଚ କରୁଛି । ତେବେ ସେ ପଡିଆକୁ ଫେରିବେ ଓ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି ।
ସେଞ୍ଚୁରିଆନ ଟେଷ୍ଟକୁ ୧୧୩ ରନରେ ଜିତିବା ପରେ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗରେ ଭଲ ପ୍ରଦର୍ଶନ କରିପାରି ନାହିଁ । ବିରାଟ କୋହଲି ଏହି ଟେଷ୍ଟ୍ ଖେଳୁ ନାହାଁନ୍ତି । ତାଙ୍କ ସ୍ଥାନରେ କେଏଲ ରାହୁଲ ଦଳର ନେତୃତ୍ୱ ନେଉଛନ୍ତି । ରାହୁଲ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇ ଯାଇଥିଲା । କେଏଲ ରାହୁଲ ୫୦ ଓ ଆର ଅଶ୍ୱିନ ୪୬ ରନ୍ କରିଥିଲେ ।