କରୋନାର କାୟା ବିସ୍ତାରକୁ ନେଇ ସମସ୍ତେ ଏବେ ଚିନ୍ତିତ ଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ସରକାର ଓ ଲୋକମାନଙ୍କ ଖାମଖିଆଲି ମନୋଭାବକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି। ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ କୁମ୍ଭମେଳାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଛି। ଇନ୍ଷ୍ଟାଗ୍ରାମ୍ରେ ସୋନୁ ଏକ ଭିଡିଓ ଅପ୍ଲୋଡ୍ କରି ନିଜ ସମ୍ପର୍କୀୟଙ୍କ କରୋନା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ଥିବା କହିଛନ୍ତି। ସୋନୁ ରାତି ୩ଟାରେ ନିଜର ଭିଡିଓ ବ୍ଲଗ୍ ତିଆରି କରି ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି।
ଏହି ଭିଡିଓରେ ସୋନୁ କହିଛନ୍ତି, ମୁଁ ଆଉ କାହା ବିଷୟରେ କିଛି କହିପାରିବି ନାହିଁ; ହେଲେ ଜଣେ ହିନ୍ଦୁ ଭାବେ ଏହା ନିଶ୍ଚୟ କହିପାରିବି କି କୁମ୍ଭମେଳା ହେବା ଉଚିତ ନଥିଲା। କିନ୍ତୁ ବିଳମ୍ବରେ ହେଉ ପଛେ ସମସ୍ତଙ୍କର ବୁଦ୍ଧି ପଶିଛି। ଠିକ୍ ଅଛି, ଆମେ ଆମ ବିଶ୍ବାସକୁ ସମ୍ମାନ ଦେବା କିନ୍ତୁ ଏହି ସମୟରେ ଲୋକଙ୍କ ଜୀବନ ସବୁଠାରୁ ଅଧିକ ଜରୁରୀ। ଏଥିସହ ସୋନୁ କହିଛନ୍ତି, ଆମକୁ ମଧ୍ୟ ସୋ’, କନ୍ସର୍ଟ ଆଦି କରିବାକୁ ଇଚ୍ଛା ହୁଏ। କିନ୍ତୁ ଏବେ ତା’ର ସମୟ ନୁହେଁ। ଭିଡିଓ ଓ ଅନ୍ଲାଇନ୍ ମାଧ୍ୟମରେ ହିଁ ଏବେ ସୋ’ କରି ଲୋକଙ୍କ ମନୋରଞ୍ଜନ କରିପାରିବା।

