ସୁନ୍ଦରଗଡ଼ ୨୩।୦୯: କୁବେର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୫ କୋଟି ୨ ଲକ୍ଷ ୬୦ ହଜାର ଟଙ୍କାର ସଂପତ୍ତିର ଠିକଣା ପାଇଛି ଭିଜିଲାନ୍ସ। ଏଥିସହ କୁଳମଣି ପଟେଲଙ୍କୁ ଗିରଫ କରାଯାଇଛି। ଅତିରିକ୍ତ ତହସିଲଦାର ବାବୁ ଏତେ ଖାଇଛନ୍ତି ଯେ, ସଂପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଭିଜିଲାନ୍ସକୁ ଲାଗିଥିଲା ୩୦ ଘଣ୍ଟାରୁ ଅଧିକ ସମୟ ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଟାଙ୍ଗରପାଲି ତହସିଲ୍ ର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଥିଲା । ଚଢାଉ ବେଳେ ବାବୁଙ୍କର ୨୧ ଟି ମୂଲ୍ୟବାନ ପ୍ଲଟ୍ , ୬ ଟି ବହୁ ମହଲା କୋଠା, ୩ଟି ୪ ଚକିଆ , ୩ ଟି ୨ ଚକିଆ ଗାଡି, ୨ ଟି ଟ୍ରାକ୍ଟର, ୨ ଟି ଟ୍ରେଲର, ୧୫ଟି ବ୍ୟାଙ୍କ ଆକାଉଣ୍ଟ, ବୀମାରେ ନିବେଶ ହୋଇଥିବା ୩୮ ଲକ୍ଷ ଟଙ୍କାର ସୁରାଗ ମିଳିଥିଲା ।
ସେହିଭଳି ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର ଠାବ ହୋଇଛି । ଭିଜିଲାନ୍ସର ୮ ଟି ଟିମ୍ ତାଙ୍କ ସୁନ୍ଦରଗଡ଼ ମିଶନ୍ ରୋଡ୍ ସ୍ଥିତ ଘର, ଲେଫ୍ରିପଡ଼ାରେ ଥିବା ପୈତୃକ ଘର, ଶ୍ବଶ୍ବର ଘର ସହ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ କରିଥିଲେ । କିରାଣୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ କୁଳମଣି ପଟେଲ୍ । ୪ ବର୍ଷ ତଳେ ଅତିରିକ୍ତ ତହସିଲଦାର ଭାବେ ପଦୋନ୍ନତି ପାଇଥିଲେ । ଚାକିରି କାଳ ଭିତରେ ବାବୁ ମୁହଁ ବୁଡ଼ାଇ ଖାଇଛନ୍ତି । କୁଳମଣି ପଟେଲ ହେମଗିରିର ଅତିରିକ୍ତ ତହସିଲଦାର ଥିବା ବେଳେ , କୋଇଲା ଖଣି ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ମଞ୍ଜୁର କରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା । ବାରମ୍ବାର ଅଭିଯୋଗ ସତ୍ବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।