ଚଣ୍ଡୀଗଡ଼: କାର ସାମ୍ନାକୁ ହଠାତ ଚାଲି ଆସିଲା କୁକୁର | ଆଉ କୁକୁରକୁ ବଞ୍ଚାଇବାକୁ ବିଦ୍ୟୁତ ଖୁଣ୍ଟରେ ପିଟିଦେଲେ କାର | ହରିୟାଣାର ପାଲୱାଲ ଜିଲ୍ଲାରେ ଏଭଳି ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ କାରରେ ଥିବା ଚାରିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ରବିବାର ଦିନ ବିଳମ୍ବିତ ରାତିରେ ମୁମ୍ବାଇ-ଭଦୋଦରା ଏକ୍ସପ୍ରେସୱେରେ ହାଥିନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲେ | ଏହି ଯୁବକମାନେ ଏକ କାରରେ ରାଜସ୍ଥାନର ମେହେନ୍ଦୀପୁରର ବାଲାଜୀ ମନ୍ଦିରକୁ ଯାଉଥିଲେ । ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି, ଏହା ପରେ ପୁଲିସ ସେମାନଙ୍କୁ ସରକାରୀ ଡାକ୍ତରଖାନାକୁ ନେଇଥିଲା, ଯେଉଁଠାରେ ଡାକ୍ତରମାନେ କମଲେଶ ଏବଂ ବିରପାଲଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଦୁଇ ଗୁରୁତର ଆହତ ବ୍ୟକ୍ତିଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା |
ଯେଉଁଠାରେ ସୋନୁ ପାଲ ନାମକ ଯୁବକଙ୍କର ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳେ ଶେର ସିଂ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଚାରିଜଣ ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ନିୟାମତପୁର ଗାଁର ବାସିନ୍ଦା ହୋଇଥିବାବେଳେ ସମସ୍ତଙ୍କର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ଥିଲା | ଏହି ଯୁବକମାନେ ନୋଏଡାର ସେକ୍ଟର ୬୬ରେ ଭଡ଼ାରେ ରହୁଥିଲେ। କୁହାଯାଉଛି ଯେ ଏହି ୪ ଜଣ ସାଙ୍ଗ ଦ୍ରୁତ ଗତିରେ କାର ଚଳାଇ ଯାଉଥିବାବେଳେ ହଠାତ କାର ଆଗକୁ ଏକ କୁକୁର ଚାଲିଆସିଥିଲା | ତେବେ କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର କାର ଉପରୁ ଭାରସାମ୍ୟ ହରାଇଥିଲେ | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଦୁଇଫାଳ ହୋଇଯାଇଥିଲା।