ରାଜ୍ୟ

କୁଆଖାଇରେ ଛାତ୍ର ବୁଡ଼ି ଘଟଣା: ମିଳିଲା ଆଉ ୨ ମୃତଦେହ

ବାଲିଅନ୍ତା ବଜାର: ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ବଇଁଚୁଆ ଧବଳାହାର ପଠାରେ କୁଆଖାଇ ନଦୀରେ ୪ ଏମ୍‌ବିଏ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ଗତକାଲି ରାତି ୭ଟା ସୁଦ୍ଧା ୨ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଆଜି ସକାଳେ ଆଉ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲିଠାରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ମିଳିବା ପରେ ଆଜି ନଦୀପଠାରେ ସୃଷ୍ଟି ହୋଇଥିଲା ହୃଦୟବିଦାରକ ଦୃଶ୍ୟ। ସ୍ଥାନୀୟ ଅଞ୍ଚଳରୁ ଛୁଟିଆସିଥିବା ଶହଶହ ଲୋକଙ୍କ ଆଖିରେ ଲୁହ ଭରିହୋଇଯାଇଥିଲା। ମୃତ ଛାତ୍ରଦ୍ବୟଙ୍କ ସମ୍ପର୍କୀୟମାନଙ୍କ ବୁକୁଫଟା କ୍ରନ୍ଦନ ଉପସ୍ଥିତ ଲୋକଙ୍କ ଆଖି ଛଳଛଳ କରିପକାଇଥିଲା। ପରିବେଶ ଏମିତି ଥିଲା, ଲାଗୁଥିଲା ସତେ ଯେମିତି ଗଛଲତାଠାରୁ ଆରମ୍ଭ କରି ସମଗ୍ର ନଦୀପଠା କାନ୍ଦୁଥିଲା। ଏହା ଭିତରେ ସ୍ଥାନୀୟ ଲୋକମାନେ ବାଲିମାଫିଆଙ୍କ ସହ ତହସିଲ ଓ ପୁଲିସ ପ୍ରଶାସନ ଉପରେ କ୍ରୋଧ ଝାଡ଼ିଥିଲେ। ନଦୀ ଶଯ୍ୟାରେ ବାଲିମାଫିଆମାନଙ୍କ ଦ୍ବାରା ସୃଷ୍ଟ କୃତ୍ରିମ ଗଣ୍ଡ ବାରମ୍ବାର ମୁଣ୍ଡ ନେଉଛି ବୋଲି ଲୋକେ ଅଭିଯୋଗ କରିଥିଲେ। ବାଲିଅନ୍ତା ଥାନାଠାରୁ ରଙ୍ଗବଜାର ପର୍ଯ୍ୟନ୍ତ ନଦୀପଠାକୁ ରେଡ୍‌ ଜୋନ୍‌ ଘୋଷଣା କରିବା ସହ ସେଠାରେ ଭୋଜିଭାତ ବନ୍ଦ କରାଇବାକୁ ଲୋକେ ଦାବି କରିଥିଲେ।

ଗତକାଲିଠୁ ନିଖୋଜ ଥିବା ଛାତ୍ର ବାଲେଶ୍ବରର ରୋହିତ ପରିଡ଼ା(୨୪) ଓ କଟକର ପ୍ରତୀକ ଧଳସାମନ୍ତ(୨୩)ଙ୍କୁ ଆଜି ସକାଳୁ ପୁଣି ଖୋଜାହୋଇଥିଲା। ଗଭୀର ଗଣ୍ଡରେ ପଶିବା ପାଇଁ ଅଗ୍ନିଶମ ବାହିନୀର ସ୍କୁବା ଡାଇଭର୍‌ମାନେ ପହଞ୍ଚିଥିଲେ। ଗତକାଲିଠୁ ଉତ୍କଣ୍ଠାରେ ଥିବା ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ନଦୀପଠ‌ାରେ ରୁଣ୍ଡ ହୋଇଯାଇଥିଲେ। ପ୍ରାୟ ୨ ଘଣ୍ଟା ଖୋଜାଖୋଜି କରିବା ପରେ ୨ ଛାତ୍ରଙ୍କ ମୃତଦେହ ମିଳିଥିଲା। ମୃତଦେହ ଗଣ୍ଡ ଉପରକୁ ଆସିବା ମାତ୍ରେ କାନ୍ଦବୋବାଳିରେ ନଦୀ ପଠା ଫାଟିପଡ଼ିଥିଲା। ମୃତ ଛାତ୍ର ରୋହିତଙ୍କ ବାପା ଗଛରେ ମୁଣ୍ଡ ପିଟି କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଥିଲା। ସେତେବେଳେ ସମ୍ପର୍କୀୟମାନଙ୍କୁ ସାନ୍ତ୍ବନା ଦେବା ସମ୍ଭବ ହୋଇନଥିଲା। କିଏ ଭାଗ୍ୟକୁ ନିନ୍ଦା କରୁଥିଲା ତ କିଏ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ଚାରି ଚାରିଟା ଛାତ୍ରଙ୍କ ଜୀବନ ଅକାଳରେ ଝଡ଼ିଗଲା ବୋଲି କୋହକୋହ ହୋଇ ଅଭିଯୋଗ କରୁଥିଲା। ତେବେ ବହୁ କଷ୍ଟରେ ଲୋକଙ୍କୁ ଏଡ଼ାଇ ପୁଲିସ ମୃତଦେହଦ୍ବୟକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ନେଇଥିଲା।

ଏହି ଅଘଟଣକୁ ନେଇ ସ୍ଥାନୀୟ ଲୋକେ ବେଆଇନ ବାଲିଖନନକୁ ଦାୟୀ କରିଛନ୍ତି। ସରକାରୀ ଓ ବେସରକାରୀ କାମ ପାଇଁ ଏହି ନଦୀରୁ ବେଧଡ଼କ ବାଲିଖନନ କରାଯାଇଛି। ନିୟମାନୁସାରେ ନଦୀ ଶଯ୍ୟାକୁ ଖନନ କରାଯାଇନାହିଁ। ଭ୍ୟାକୁମ୍‌ ମେସିନ୍‌ ସାହାଯ୍ୟରେ ବାଲିଖନନ କରାଯାଇଥିବାରୁ ଗଭୀର ଗଣ୍ଡ ସବୁ ସୃଷ୍ଟି ହୋଇଛି। ଗୋଟିଏ ଗୋଟିଏ ସ୍ଥାନରେ ୫୦/୬୦ ଫୁଟ୍‌ ଗଭୀରର ଗଣ୍ଡ ସୃଷ୍ଟି ହୋଇଛି। ଜିଲ୍ଲା ତଥା ତହସିଲ ପ୍ରଶାସନ ସବୁ ଦେଖି ଆଖି ବୁଜିଦେଇଥିଲା। ତେଣୁ ଆଜି ସେହିସବୁ କୃତ୍ରିମ ଗଣ୍ଡ ମରଣଯନ୍ତା ସାଜିଛି। ପୂର୍ବରୁ ଗଣ୍ଡରେ ବୁଡ଼ି ବହୁ ଯୁବକ ପ୍ରାଣ ହରାଇଥିଲେ ବି ପ୍ରଶାସନ ଚେତିନାହିଁ। ଗଣ୍ଡରେ ନ ଗାଧୋଇବା ପାଇଁ କୌଣସି ନିଷେଧ ଫଳକ ଲଗାଯାଉନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।