ଭୁବନେଶ୍ୱର ୦୭/୦୧ : କିଡନୀ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଶରୀରକୁ ସୁସ୍ଥ ରଖିବାରେ କିଡନୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। କିଡନୀ ରକ୍ତରୁ ଅତିରିକ୍ତ ପାଣି, ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ଅଶୁଦ୍ଧ ପଦାର୍ଥଗୁଡିକୁ ଫିଲ୍ଟର କରିଥାଏ। କିଡନୀ ରକ୍ତକୁ ସଫା କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ପରିସ୍ରା ଜରିଆରେ ବାହାର କରିଥାଏ। କିନ୍ତୁ ଭୁଲ ଜୀବନଶୈଳୀ ଏବଂ ଅଧିକ ଔଷଧ ସେବନ ଯୋଗୁଁ କିଡନୀ ଉପରେ ଭୁଲ ପ୍ରଭାବ ପଡିଥାଏ। ସେଥିପାଇଁ କିଡନୀର ଯତ୍ନ ନେବା ନିହାତି ଆବଶ୍ୟକ।
୧. ସୁସ୍ଥ ରହିବା ପାଇଁ କିଡନୀକୁ ସୁସ୍ଥ ରଖିବା ଆବଶ୍ୟକ। ସେଥିପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ବ୍ୟାୟାମ ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଏବଂ ହୃଦୟ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନାଥେ। ଫିଟ୍ ରହିବା ପାଇଁ ନିୟମିତ ଚାଲିବା, ନାଚିବା, ସାଇକେଲ ଚଲାଇବା, ଦୌଡିବା ଆଦି ଅଭ୍ୟାସ ଶରୀରକୁ ସୁସ୍ଥ ରଖିଥାଏ।
୨. ଡାଏବେଟିସ୍ ପାଇଁ କିଡନୀ ପ୍ରଭାବିତ ହୋଇଥାଏ। ସେଥିପାଇଁ ବ୍ଲଡ଼ ସୁଗାର ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ। ଉଚିତ ସମୟରେ ଡାକ୍ତରଙ୍କୁ ପରାମର୍ଶ କରି ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦ ଏଡାଇ ପାରିବେ। ଅଧିକ ସୁଗାରଯୁକ୍ତ ଖାଦ୍ୟ ସେବନ ବାରଣ କରିବା ଉଚିତ।
୩. ଉଚ୍ଚ ରକ୍ତଚାପ ଯୋଗୁଁ ମଧ୍ୟ କିଡନୀ ପ୍ରଭାବିତ ହୋଇଥାଏ। ସେଥିପାଇଁ ରକ୍ତଚାପ ଉପରେ ନିୟମିତ ନଜର ରଖିବା ଦରକାର। ସଠିକ ଜୀବନଶୈଳୀ ଆପଣେଇ ସୁସ୍ଥ ରହିପାରିବେ।
୪. ମୋଟାପଣ ଅନେକ ରୋଗର କାରକ ହୋଇଥାଏ। ଓଜନ ବଢିଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଫଳରେ କିଡନୀ ମଧ୍ୟ ପ୍ରଭାବିତ ହୋଇଥାଏ। ଓଜନ ବଢିବା ଯୋଗୁଁ ମଧୁମେହ, ହୃଦୟ ରୋଗ ଓ କିଡନୀ ରୋଗ ହେବାର ସମ୍ଭାବନା ରହିଛି। ସେଥିପାଇଁ ଓଜନ ନିୟନ୍ତ୍ରଣ କରିବା ଆବଶ୍ୟକ। ଡାଏଟିରେ ତଟକା ପନିପରିବା, ଫଳ, ମାଛ, ଶସ୍ୟଜାତୀୟ ଖାଦ୍ୟ ସାମିଲ କରନ୍ତୁ।
୫. ଧୂମପାନ ଶରୀରରେ ରକ୍ତ ବାହକକୁ ହାନି ପହଞ୍ଚାଇଥାଏ। ଧୂମପାନ ଯୋଗୁଁ କିଡନୀରେ ରକ୍ତ ପ୍ରବାହ ମନ୍ଥର ହୋଇଯାଇଥାଏ। ଧୂମପାନ ଯୋଗୁଁ କିଡନୀ କ୍ୟାନସରର ସମ୍ଭାବନା ଅଧିକ ଥାଏ। କିଡନୀକୁ ସୁସ୍ଥ ରଖିବାକୁ ଧୂମପାନ କରନ୍ତୁ ନାହିଁ।
୬. ଯଦି ଆପଣ ଅଧିକ ଔଷଧ ସେବନ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ଅଧିକ ଔଷଧ କିଡନୀ ପାଇଁ ହାନିକାରକ। ନିୟମିତ ପେନ୍ କିଲର୍ ସେବନ ଦ୍ୱାରା କିଡନୀ ଖରାପ ହେବାର ସମ୍ଭାବନା ରହିଛି। ସେଥିପାଇଁ ପେନ୍ କିଲର୍ ନେବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ।
୭. ୬୦ ବର୍ଷରୁ ଅଧିକ ବୟସ୍କ ଲୋକ, ବିଶେଷକରି ଯେଉଁମାନେ ହୃଦୟ ରୋଗ, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପରେ ପୀଡିତ କିମ୍ବା ଯେଉଁମାନଙ୍କ ଓଜନ ଅଧିକ ସେମାନେ ନିଜ କିଡନୀର ବିଶେଷ ଯତ୍ନ ନେବା ଆବଶ୍ୟକ। ଏମାନେ ସମୟ ସମୟରେ ନିଜ କିଡନୀ ପରୀକ୍ଷା କରାଇବା ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।