କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ

କିଏ ହୁଏ ପିଶାଚ

ଆମର ପୁରାଣଗୁଡ଼ିକ ହେଉଛି ଧର୍ମ-ଅଧର୍ମ ବିଚାରର ଗନ୍ତାଘର। ‘ମାଘ ମାହାତ୍ମ୍ୟ’ ସେଥିମଧ୍ୟରୁ ଗୋଟିଏ। କେଉଁମାନେ ମୃତ୍ୟୁପରେ ପିଶାଚ ହୁଅନ୍ତି, ସେ ବର୍ଣ୍ଣନା ତାହାର ୩୦ ଅଧ୍ୟାୟରେ ଅଛି।

ସେଥିରେ କୁହାଯାଇଛି- ଧନବନ୍ତ ପ୍ରାଣୀ ଯଦି ଦାନ ଧର୍ମ ନକରନ୍ତି, ତେବେ ସେ ପିଶାଚ ହୁଅନ୍ତି। ଯେଉଁ ବ୍ୟକ୍ତି ସ୍ତ୍ରୀର ଅଳଙ୍କାର ବିକ୍ରି କରେ, ବାଳକର ଧନ ଅପହରଣ କରେ, ସଙ୍କଟ ସମୟରେ ଅନ୍ୟର ସଂପତ୍ତି ନଷ୍ଟ କରେ, ପରଘର ପୋଡ଼ିଦେଇ ସୁଖ ପାଏ, ଅନ୍ଧ, କୁଜା ବା ସେପରି ଲୋକଙ୍କୁ କଷ୍ଟ ଦିଏ, ସେ ମୃତ୍ୟୁ ପରେ ପିଶାଚ ହୁଏ।

ସେଥିରେ ଆହୁରି ମଧ୍ୟ କୁହାଯାଇଛି- ଯେଉଁ ବ୍ୟକ୍ତି ରୋଗରେ ପଡ଼ିଥିବା ଲୋକର ଧନ ଚୋରି କରିନିଏ, ମାଆ-ବାପାଙ୍କୁ ନ ପୋଷି ସ୍ତ୍ରୀକୁ ନେଇ ଅଲଗା ରହେ, ସେ ମହାପାପ କରେ ଏବଂ ଯମଦେବତା ତାକୁ ପିଶାଚ ରୂପେ ଜନ୍ମ କରି ଅନେକ ଦଣ୍ଡ ଦିଅନ୍ତି।

ଏହି କ୍ରମରେ ବିଷ୍ଣୁନିନ୍ଦାକାରୀ କିପରି ପିଶାଚ ହୁଅନ୍ତି, ତାହାର ବର୍ଣ୍ଣନା ଅଛି। ତାହା ଅନୁସାରେ- ଦ୍ରାବିଡ଼ ଦେଶରେ ଥିଲେ ଚିତ୍ରରାଜା ନାମରେ ଜଣେ ରାଜା। ସେ ଥିଲେ ବେଦଜ୍ଞ ଓ ବିଷ୍ଣୁଭକ୍ତ। ଦିନେ ଜଟାଳ ନାମକ ଜଣେ ଋଷିଙ୍କ ଆଶ୍ରମକୁ ଯାଇଥିବା ବେଳେ, ଋଷି ତାଙ୍କୁ ବିଷ୍ଣୁପୂଜା କରିବାକୁ ବାରଣ କଲେ। କହିଲେ, ବେଦ ପଢ଼ି ଓ ବିଷ୍ଣୁପୂଜା କରି କିଛି ଲାଭ ନାହିଁ; ତୁମେ ଶିବପୂଜା କର। ରାଜା ସେଥିରେ ପ୍ରଭାବିତ ହୋଇ, ରାଜ୍ୟରେ ଥିବା ବିଷ୍ଣୁ ପ୍ରତିମା ସବୁକୁ ଜଳରେ ବିସର୍ଜନ କରିଦେଲେ ଏବଂ ବିଷ୍ଣୁ ମନ୍ଦିର ଓ ମଣ୍ଡପ ସବୁକୁ ଭାଙ୍ଗି ପକାଇଲେ। ବିଷ୍ଣୁ ପୂଜକ ସାଧୁମାନଙ୍କୁ ରାଜ୍ୟରୁ ଘଉଡ଼ାଇ ଦେଲେ।

ପରେ ଯେତେବେଳେ ରାଜାଙ୍କର ମୃତ୍ୟୁ ହେଲା, ଯମଗଣ ତାଙ୍କୁ ବାନ୍ଧିନେଇ ବହୁ ଦଣ୍ଡ ଦେଲେ ଏବଂ ଯମଙ୍କ ଆଦେଶରେ ନେଇ ନର୍କକୁଣ୍ଡରେ ପକାଇଦେଲେ। ପରେ ମଧ୍ୟ ଯମ ତାଙ୍କୁ ପିଶାଚ ଜନ୍ମ ଦେଲେ। ସେତେବେଳେ ଯାଇ ଚିତ୍ରରାଜା ନିଜର ଭୁଲ୍ ବୁଝିପାରିଲେ। ପ୍ରାଚୀପାର୍ବଣ ଦେଶର ଦେବବ୍ରତ ନାମକ ଜଣେ ବେଦବିଦ୍‌, ବିଷ୍ଣୁପୂଜକ ବ୍ରାହ୍ମଣଙ୍କ ପରାମର୍ଶରେ ସେ ପ୍ରୟାଗ ତୀର୍ଥରେ ମକର ସ୍ନାନ କରିବାରୁ, ସେହି ପିଶାଚ ଜନ୍ମରୁ ମୋକ୍ଷ ପାଇଲେ।

ଏହି ପୌରାଣିକ ଆଖ୍ୟାନରେ ମାଘସ୍ନାନ ଓ ବିଷ୍ଣୁପୂଜନର ପୁଣ୍ୟଫଳ କଥା କୁହାଯାଇଛି। ବିଷ୍ଣୁନିନ୍ଦା ଓ ଅଧର୍ମ କାର୍ଯ୍ୟ କଲେ ବ୍ୟକ୍ତି ମୃତ୍ୟୁ ପରେ ପିଶାଚ ହୁଏ ବୋଲି ଆମକୁ ଚେତାବନୀ ଦିଆଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ