ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କିଏ ‘ପ୍ରକୃତ’ ଏନ୍‌ସିପି? ସୁପ୍ରିମ୍‌କୋର୍ଟଙ୍କ ତ୍ରି-ସୂତ୍ର ଅନୁସାରେ ନିଷ୍ପତ୍ତି ନେବ ନିର୍ବାଚନ କମିସନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ଭାଗଭାଗ ହେବା ପରେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଦ୍ରୋହ କରି ତାଙ୍କ ପୁତୁରା ଅଜିତ ପାୱାର ଆଉ ଗୋଟିଏ ଗୋଷ୍ଠୀ ସୃଷ୍ଟି କରିଛନ୍ତି। ଅଜିତ ପାୱାରଙ୍କ ସମେତ କେତେଜଣ ଏନ୍‌ସିପି ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଜେପି-ଶିବସେନା ସରକାରରେ ମନ୍ତ୍ରୀ ବି ହୋଇଛନ୍ତି। ଜୁନିୟର ପାୱାର ନିଜ ପାଖରେ ଅଧିକ ବିଧାୟକ ଅଛନ୍ତି ଏବଂ ମୂଳ ଦଳର ନାମ ଓ ଚିହ୍ନ ତାଙ୍କୁ ଦିଆଯିବାକୁ ଦାବି କରୁଛନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ କେଉଁ ଗୋଷ୍ଠୀକୁ ମୂଳ ଏନ୍‌ସିପି ଭାବେ ମାନ୍ୟତା ଦିଆଯିବ ସେ ନେଇ ଏଯାଏ କିଛି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହି ପ୍ରସଙ୍ଗରେ ନିର୍ବାଚନ କମିସନ ସୁପ୍ରିମ୍‌କୋର୍ଟଙ୍କ ଏକ ପୂର୍ବ ରାୟର ତ୍ରି-ସୂତ୍ରୀ ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଶା କରାଯାଉଛି। ୧୯୭୧ ମସିହାରେ ସାଦିକ ଅଲି ମାମଲାରେ ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଥିଲେ।
ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏ ନେଇ ପ୍ରଶ୍ନ କରାଯିବା ବେଳେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାୱତ ଓ ସୁନୀଲ ଆରୋଡ଼ା କହିଥିଲେ ଯେ ସିମ୍ବଲ ଅର୍ଡରର ପାରାଗ୍ରାଫ ୧୫ ଅଧୀନରେ ଥିବା ସମସ୍ତ ପ୍ରସଙ୍ଗର ବିଚାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ୧୯୭୧ର ସାଦିକ ଅଲି ରାୟ ମାର୍ଗଦର୍ଶିକା ହୋଇ ରହିଆସିଛି। ଆଜିଯାଏ ସମସ୍ତ ନିର୍ବାଚନ କମିସନ ଏହି ଅନୁଯାୟୀ ନିଷ୍ପତ୍ତି ନେଇ ଆସିଛନ୍ତି ବୋଲି ପୂର୍ବତନ ସିଇସି ସୁନୀଲ ଆରୋଡ଼ା କହିଥିଲେ।

୧୯୭୧ରେ କଂଗ୍ରେସ ଦଳରେ ବିଭାଜନ ଘଟିଥିଲା। ସେତେବେଳେ କଂଗ୍ରେସର ନିର୍ବାଚନୀ ସଂକେତ ଥିଲା ହଳଲଙ୍ଗଳ (ଯୋଡ଼ା ବଳଦ ଓ ଲଙ୍ଗଳ)। ସୁପ୍ରିମ୍‌କୋର୍ଟ ଜଗଜ୍ଜୀବନ ରାମ ଗୋଷ୍ଠୀର କଂଗ୍ରେସକୁ ଏହି ଚିହ୍ନ ଦେବା ପାଇଁ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଏଥି ସହ ଏ ସମ୍ପର୍କିତ ମାମଲାର ସମାଧାନ ପାଇଁ ତ୍ରି-ସୂତ୍ରୀ ପରୀକ୍ଷାର ଅବତାରଣା କରିଥିଲେ। ସେହି ତିନୋଟି ଟେଷ୍ଟ ହେଉଛି: ୧) ଦଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପରୀକ୍ଷା, ୨) ପାର୍ଟି ସମ୍ବିଧାନର ପରୀକ୍ଷା ଏବଂ ୩) ସଂଖ୍ୟାଗରିଷ୍ଠତାର ପରୀକ୍ଷା।

ଅର୍ଥାତ୍ ନିର୍ବାଚନ କମିସନଙ୍କୁ ପ୍ରଥମେ ଦେଖିବାକୁ ପଡ଼ିବ ଭାଗଭାଗ ହୋଇଯାଇଥିବା ଦୁଇ ଗୋଷ୍ଠୀ ଭିତରୁ ଦଳର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ‌କିଏ ଦୂରେଇ ଯାଇଛନ୍ତି କି ନାହିଁ। ଦୁଇ ଗୋଷ୍ଠୀ ଭିତରେ ମତପାର୍ଥକ୍ୟ ସୃଷ୍ଟି ହେବାର ମୂଳ କାରଣ ଏହା କି ନୁହେଁ। ଦ୍ବିତୀୟରେ ଦଳର ଏକ ସମ୍ବିଧାନ ଅଛି ଏବଂ ବିଭିନ୍ନ ଦଳୀୟ ବ୍ୟାପାରରେ ସେହି ସମ୍ବିଧାନର ଅନୁସରଣ କରାଯାଉଛି କି ନାହିଁ। ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଠିକ୍ ଅଛି କି ନାହିଁ। ଶେଷ ପରୀକ୍ଷାଟି ହେଉଛି ସଂଖ୍ୟାଗରିଷ୍ଠତା। ଦଳର କେତେ ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ ଏମ୍‌ପି କେଉଁ ଗୋଷ୍ଠୀରେ ଅଛନ୍ତି ଏବଂ ଦଳୀୟ ସଂଗଠନରୁ କେତେ ସଦସ୍ୟ କେଉଁ ଗୋଷ୍ଠୀରେ ଅଛନ୍ତି, ତାହା ଦେଖିବାକୁ ହେବ। ଯେଉଁ ଗୋଷ୍ଠୀ ପ୍ରଥମ ଦୁଇଟି ପରୀକ୍ଷାରେ ପାସ୍ କରିବ, ତା’ ସପକ୍ଷରେ ଯଦି ଅଧିକ ବିଧାୟକ ଓ ସଦସ୍ୟ ଆଦି ଥିବେ ତେବେ ସେମାନଙ୍କ ସପକ୍ଷରେ ନିର୍ବାଚନ କମିସନ ନିଷ୍ପତ୍ତି ନେଇପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ