କଟକ: ନୂଆବର୍ଷ ୨୦୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରହିବ। ବିରୋଧୀମାନେ ବିବାଦ ମଧ୍ୟକୁ ଟାଣି ଅସୁବିଧାରେ ପକାଇବାକୁ ସଫଳ ହେବାର ଯୋଗ ଅଛି। ଦଳ ମଧ୍ୟରେ ସାମୟିକ ବିବାଦ, ମତପାର୍ଥକ୍ୟ ଦେଖାଦେବ। ନୂତନ ପଦକ୍ଷେପ ପାଇଁ ସରକାର ବିରୋଧୀ ଜନଆନ୍ଦୋଳନ ଲାଗି ରହିବ। ଚଳିତ ବର୍ଷ ମଧ୍ୟଭାଗରେ (ଏପ୍ରିଲ୍ ପରେ) ପଡୋଶୀ ରାଷ୍ଟ୍ର ସହ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବ ଯାହା ଅତ୍ୟଧିକ ଭାରାକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ନୂଆ ଆଇନ ପ୍ରଣୟନ/ସଂଶୋଧନ କରିବାରେ ପ୍ରଧାନମନ୍ତ୍ରୀ ସକ୍ଷମ ହେବେ। ଏଥିପାଇଁ ଦେଶବାସୀଙ୍କ ଦ୍ବାରା କିନ୍ତୁ ସମାଲୋଚିତ ହେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଏବର୍ଷ ନୂତନ ଆବିଷ୍କାର ବା ଉଦ୍ଭାବନ ବିଷୟରେ ଦେଶବାସୀଙ୍କୁ ସୂଚନା ଦେବେ। ଭୁଲ ନିଷ୍ପତ୍ତି ପାଇଁ ବିରୋଧର ସମ୍ମୁଖୀନ ହେବେ। ସାଂଗଠନିକ ଦୃଢ଼ତା ପାଇଁ ଅତ୍ୟଧିକ ଶ୍ରମ କରିବାକୁ ପଡ଼ିବ। ଅତ୍ୟଧିକ ଯାତ୍ରା ବା ଗସ୍ତର ଯୋଗ ଅଛି। ଏଥି ପାଇଁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।
ନବୀନଙ୍କଲୋକପ୍ରିୟତା ଅକ୍ଷୁଣ୍ଣ ରହିବ
୨୦୨୩ ମସିହାର ପ୍ରଥମାର୍ଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ବିଭିନ୍ନ ସାମାଜିକ ବିପ୍ଳବ, ବିରୋଧୀଙ୍କ ବିରୋଧ ନବୀନଙ୍କ ମୁଣ୍ଡବିନ୍ଧାର କାରଣ ହେବ। ଏପ୍ରିଲ ପର୍ଯ୍ୟନ୍ତ ନବୀନଙ୍କ ପାଇଁ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସରକାରଙ୍କ ପ୍ରତି ବିରୋଧୀଙ୍କ ସ୍ବର ଶାଣିତ ରହିବ। ତେବେ ସବୁ ଆଶା, ଆଶଙ୍କା ସତ୍ତ୍ବେ ନବୀନଙ୍କ ଲୋକପ୍ରିୟତା ବଜାୟ ରହିବ ବୋଲି ଆକଳନ କରିଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ। ପଣ୍ଡିତ ଆଚାର୍ଯ୍ୟଙ୍କ ଗଣନା କହୁଛି, ମେ’ରୁ ବର୍ଷ ଶେଷ ପର୍ଯ୍ୟନ୍ତ ନବୀନଙ୍କ ଜାତକରେ କେତୁ+ବୁଧ ଅନ୍ତର୍ଦ୍ଦଶା ଚଳନ ହେବ। ଯାହାକି ସମୟ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ବିରୋଧୀ ଦଳମାନେ ଶାସକ ଦଳ ସହ ଆଦୌ ସାଲିସ୍ କରିବେ ନାହିଁ। ବିଭିନ୍ନ ସାମାଜିକ ଆନ୍ଦୋଳନ ଯୋଗୁଁ ଉଭୟ ଶାସକ ଓ ବିରୋଧୀ ଦଳ ଆସ୍ଥା ହରାଇବେ। ନୂତନ ବିକଳ୍ପ ପ୍ରତି ଲୋକମାନେ ଆଶାବାଦୀ ହେବେ। କଂଗ୍ରେସ ବା ଅନ୍ୟ ଦଳମାନେ ନିଜ ପତିଆରା ବିସ୍ତାର କରିବେ। କିନ୍ତୁ ମାର୍ଚ୍ଚ ୨୦୨୪ରେ ଶାସକ ଦଳ (ବିଜେଡି) ଉତ୍ତମ ପ୍ରଦର୍ଶନ କରି କ୍ଷମତା ହାତେଇବ।
ଅନ୍ୟପଟେ ଓଡ଼ିଶା ରାଜ୍ୟର ଭାଗ୍ୟ ଫଳକୁ ବିଚାରକୁ ନେଇ ପଣ୍ଡିତ ଆଚାର୍ଯ୍ୟ ଆକଳନ କରିଛନ୍ତି ଯେ ଏପ୍ରିଲ ଯାଏ ରାଜ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବ। ନିଅଣ୍ଟିଆ ବଜେଟ୍ ହେତୁ ରାଜ୍ୟରେ ଅସନ୍ତୋଷ ଲାଗି ରହିବ। ଏପ୍ରିଲ ଯାଏ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଉଗ୍ରରୂପ ନେବ। ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହେବ। ବହୁ ଯୋଜନା କେବଳ ମିଥ୍ୟା ପ୍ରତିଶ୍ରୁତିରେ ପରିଣତ ହେବ। ରାଜ୍ୟରେ ଅର୍ଥାଭାବ ଦେଖାଯିବ। ମେ’ରୁ ବର୍ଷ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିବ। କିନ୍ତୁ ରାଜ୍ୟରେ ୨୦୨୩ରେ ମରୁଡ଼ି ପରିସ୍ଥିତି ଉପୁଜିପାରେ। କେନ୍ଦ୍ରରେ ଶସ୍ୟ ବୀମା ପ୍ରଚଳନ ବେଳେ ରାଜ୍ୟରେ ଏହାର ପ୍ରଭାବ ରହିବ। କେନ୍ଦ୍ର ଓ ରାଜ୍ୟ ଭିତରେ ସମନ୍ବୟ ଅଭାବ ହେତୁ ରାଜ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବ। ଏପ୍ରିଲ ପରେ ସରକାରୀ ନିୟମ ସବୁ ପ୍ରଜାବତ୍ସଳ ହେବ। ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଆଇନ ପ୍ରଚଳନ ହେବ। ନୂତନ ନିଯୁକ୍ତି ସୃଷ୍ଟି ହେବ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲାଯିବ। ଧର୍ମ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଗଣନା କହୁଛି।
ଏ ବର୍ଷଟି କୃଷି ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ବର୍ଷାକାରକ ଗ୍ରହ ଚନ୍ଦ୍ର ଓ ଶୁକ୍ର ବହୁ ଉତ୍ତମ ସ୍ଥିତିରେ ବର୍ଷାରମ୍ଭରେ ରହିଛନ୍ତି। ଓଡ଼ିଶାର କୃଷି କ୍ଷେତ୍ର ପାଇଁ ବହୁ ସମ୍ଭାବନା ରହିଛି। ନୂତନ କୃଷି ନୀତି ଯୋଗୁଁ ଚାଷୀକୂଳ ଲାଭବାନ ହେବେ। ଆସନ୍ତା ଜୁନ୍ରେ ରବି ମିଥୁନ ରାଶିରେ ପ୍ରବେଶ କରିବେ। ଅନ୍ୟପଟେ ଶସ୍ୟକାର ଗ୍ରହ ବୃହସ୍ପତି ବର୍ଷ ଲଗ୍ନର ପଞ୍ଚମରେ ରହିଥିବାରୁ ଧାନ, ଚାଉଳର ଉତ୍ପାଦକ ଆଶାନୁରୂପ ହେବ। ଉତ୍ତମ ଅମଳ ହେବ ବୋଲି ଆଶା କରାଯାଉଛି।
ଏଥିସହ ପଣ୍ଡିତ ଆଚାର୍ଯ୍ୟ ୨୦୨୩ ମସିହା ପାଇଁ ଭାରତର ବର୍ଷଫଳ ମଧ୍ୟ ଗଣନା କରିଛନ୍ତି। ତାଙ୍କ ଆକଳନ କହୁଛି, ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆସନ ପ୍ରତି କିଛି ବିପଦ ନାହିଁ। ବର୍ଷ ଲଗ୍ନ ବିଛା ରହିଛି। ଫଳରେ ଦକ୍ଷିଣ ଭାରତରେ ରାଜନୈତିକ ଦଙ୍ଗା ଦେଖାଯିବ। ଉତ୍ତର-ପୂର୍ବ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ବେଶି ପରିମାଣରେ ଦେଖାଯିବ। ଚତୁର୍ଥାଧିପତି ଶନି ତୃତୀୟରେ ଶୁକ୍ର ଯୁକ୍ତ, ସପ୍ତମରେ ମଙ୍ଗଳ ଅବସ୍ଥାନ ହୋଇ ବିରୋଧୀ ଦଳ ପ୍ରତି ଶାସକ ଦଳର ନାନା ପ୍ରକାର କୁତ୍ସାରଟନା ଲାଗି ରହିବ। କିନ୍ତୁ ବିରୋଧୀ ଦଳମାନେ ଏକତ୍ର ହୋଇପାରିବେ ନାହିଁ। ଭାରତୀୟ ରାଜନୀତି କ୍ଷେତ୍ରରେ ବିଜେପି ଓ ଅନ୍ୟାନ୍ୟ ଦଳ ସମ୍ପର୍କ ବ୍ୟାହତ ହେବ। ପରିଶେଷରେ ଶାସକ ଦଳ ପ୍ରତିଟି କ୍ଷେତ୍ରରେ ନିଜର ଅଧିକାର ଜାରି ରଖିବ। ପଶ୍ଚିମ ଭାରତୀୟ ରାଜ୍ୟସମୂହ ତୀବ୍ର ବିରୋଧ କଲେ ମଧ୍ୟ ବର୍ଷାରମ୍ଭରୁ କେନ୍ଦ୍ର ସରକାରଙ୍କ ପାଖରେ ନତମସ୍ତକ ରହିବେ।
୨୦୨୩ରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମୁଦ୍ରାସ୍ଫୀତି ହାର ବହୁତ ବଢ଼ିବ। ଶସ୍ୟ ବୀମା ସହ ନୂତନ କୃଷି ନୀତି ଫଳରେ ଜନସାଧାରଣ ଉପକୃତ ହେବେ। ୨୦୨୩ରେ ଭାରତକୁ ବିଦେଶରୁ ବହୁ ଆର୍ଥିକ ସହାୟତା ମିଳିବ। ଦେଶର ବୈଦେଶିକ ନୀତିର ସଫଳ ରୂପାୟନ ହେବ। ଟିକସ କ୍ଷେତ୍ରରୁ ବହୁ ଅର୍ଥ ଆମଦାନି ହେବ। ସୁନାର ଦାମ୍ ବଢ଼ିବ। ଫଳରେ ଜନ ଅସନ୍ତୋଷ ବଢ଼ିବ। ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବହୁ ସରକାରୀ ପଦପଦବି ପୂରଣ ହେବ। ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକ ବହୁ କେନ୍ଦ୍ରୀୟ ଅନୁଦାନ ଲାଭ କରିବେ। ଅନ୍ୟପଟେ ୨୦୨୩ରେ ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କର ନିର୍ବାଚନ କେନ୍ଦ୍ର ସରକାରୀ କଳକୁ ଅଡ଼ୁଆରେ ପକାଇବ ବୋଲି ଆକଳନ କରିଛନ୍ତି ପଣ୍ଡିତ ଆଚାର୍ଯ୍ୟ।
ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢ଼ିବ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ୨୦୨୩ ସଫଳତାର ବର୍ଷ ହେବ। ଅଧିକ ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ କରିବାରେ ସଫଳ ହେବେ। ଅଟକିଥିବା କାର୍ଯ୍ୟ ବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଯୋଗ ରହିଛି। ଏଥିପାଇଁ ମାନସମ୍ମାନ ସହ ପ୍ରଭାବ ଓ କ୍ଷମତା ବୃଦ୍ଧି ଘଟିବାର ଯୋଗ ଅଛି। ନୂତନ ନୀତି/ଆଇନ/ କାର୍ଯ୍ୟପ୍ରଣାଳୀକୁ କାର୍ଯ୍ୟକାରୀ କରାଇ ଦେଶବାସୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେବେ। ରାଜ୍ୟରେ ଦଳୀୟ ସଂଗଠନ ବୃଦ୍ଧି ବା ସୁଦୃଢ଼ କରିବା ପାଇଁ ଅତ୍ୟଧିକ ଶ୍ରମ ଖଟାଇବେ। ଏଥି ପାଇଁ ବିରୋଧ ବା ଶତ୍ରୁ ବୃଦ୍ଧି ଘଟିବ। ଶତ୍ରୁମାନେ ଅଯଥା ବିବାଦକୁ ଟାଣିବେ। ଆବଶ୍ୟକ ନଥିବା ସ୍ଥଳେ ମତମନ୍ତବ୍ୟ ଦେବା ପ୍ରତି ଯତ୍ନବାନ ରହିବାକୁ ପଡ଼ିବ। ଦଳ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ଓ ପ୍ରଭାବ ବୃଦ୍ଧି ପାଇବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ବିବ୍ରତ ରହିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ଅତି ଜରୁରୀ।