ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ହେଲେ ମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏନେଇ ଏସଓପି ଜାରି କରିଛନ୍ତି।

-ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ୧୬ରୁ ମନ୍ଦିର ଖୋଲିବାକୁ ଥିବା ବେଳେ ମନ୍ଦିର ସେବକଙ୍କ ପରିବାର ଲୋକ ଅଗଷ୍ଟ ୧୨ ଏବଂ ୧୩ରେ ମହାପ୍ରଭୁଙ୍କ ଦର୍ଶନ କରିବେ। ମନ୍ଦିରରେ ପ୍ରବେଶ କରିବାବେଳେ, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ବା ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ଅନ୍ୟ କୌଣସି ପରିଚୟ ପତ୍ର ସହିତ ଆଧାର କାର୍ଡ ବା ଭୋଟର କାର୍ଡ ଦେଖାଇ ପ୍ରବେଶ କରିପାରିବେ।
– ଅଗଷ୍ଟ ୧୬ରୁ ୨୦ପର୍ଯ୍ୟନ୍ତ କେବଳ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କୁ ଆଧାର ବା ଭୋଟର କାର୍ଡ ଦେଖାଇବାକୁ ହେବ। ସିଂହଦ୍ବାରରେ ପ୍ରବେଶ କରି ଦର୍ଶନ କରିବା ସହ ଉତ୍ତରଦ୍ବାର ବାଟେ ବାହାରିବାକୁ ପଡ଼ିବ।
-ଅଗଷ୍ଟ ୨୩ରୁ ପୁରୀ ବାହାରର ସମସ୍ତ ଭକ୍ତ ପୁରୀ ଯାଇ ମହାବାହୁଙ୍କୁ ଦର୍ଶନ କରିବେ। ସିଂହଦ୍ବାରରେ ପ୍ରବେଶ କରି ଦର୍ଶନ କରିବା ସହ ଉତ୍ତରଦ୍ବାର ବାଟେ ବାହାରିବାକୁ ପଡ଼ିବ।
-ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇପାରିବେ।
-ସପ୍ତାହାନ୍ତ ସଟଡାଉନ ସମୟରେ ମନ୍ଦିରରେ ଦର୍ଶନ ବନ୍ଦ ରହିବ।
-ବଡ଼ ବଡ଼ ପର୍ବପର୍ବାଣୀରେ ଭିଡ଼ ହେବାର ଆଶାଙ୍କା ଥିବାରଚ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।
-ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତ ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବେ ଏବଂ ସାମାଜିିକ ଦୂରତା ଅବଲମ୍ବନ କରିବେ।
-ମନ୍ଦିର ଭିତରକୁ ଭୋଗ, ଫୁଲ ଏବଂ ଦୀପ ନେଇ ଯାଇପାରିବେ ନାହିଁ ଭକ୍ତ। ଯଦି କେହି ଏସବୁ ଆଣିଥିବେ, ତେବେ ସେମାନଙ୍କୁ ମନ୍ଦିର ଭାହାରେ ଥିବା ବଡ଼ କଣ୍ଟେନରରେ ଏହାକୁ ରଖିବାକୁ ପଡ଼ିବ। ମନ୍ଦିର ଭିତରେ ଥିବା କୌଣସି ମୂର୍ତ୍ତିକୁ ଭକ୍ତ ଛୁଇଁପାରିବେ ନାହିଁ।
-ତମ୍ବାକୁ କିମ୍ବା ପାନ ଖାଇ ଭକ୍ତ ଛେପ ପକାଇ ପାରିବେ ନାହିଁ । ଏଭଳି କଲେ ୫୦୦ଟଙ୍କା ଜରିମାନା ଦେବାକୁ ହେବ। ଏହା ସହ ମନ୍ଦିର ଭିତରକୁ ପଲିଥିନ ଆଣିଲେ ୧୦୦ଟଙ୍କା ଜରିମାନା ଦେବାକୁ ହେବ।
-କରୋନା ସ୍ଥିତି ପାଇଁ ୬୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ମନ୍ଦିର ନଆସିବାକୁ କୁହାଯାଇଛି।
-ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ କରୋନା ଟିକାକରଣ ପ୍ରମାଣପତ୍ର ବା ୯୬ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ।
