ଓଭାଲ ୦୧।୦୯: ଭାରତୀୟ କ୍ରିକେଟ୍ ଦଳ ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଦଳରେ ବଡ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ୍ କରିଛି। ଏ ପର୍ଯ୍ୟନ୍ତ ସେ ଜଣେ ରିଜର୍ଭ ଖେଳାଳି ଭାବେ ଦଳ ସହିତ ଥିଲେ। ଆଶା କରାଯାଉଛି ତାଙ୍କୁ ଚତୁର୍ଥ ଟେଷ୍ଟରେ ସୁଯୋଗ ମିଳିପାରେ। ଭାରତ ଲର୍ଡ୍ସ ଟେଷ୍ଟ ଜିତିଥିବା ବେଳେ ଇଂଲଣ୍ଡ ଲିଡ୍ସ ଟେଷ୍ଟ ଜିତି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ପ୍ରଥମ ଟେଷ୍ଟ ଡ୍ର ରହିଥିଲା।
ବସିସିଆଇ ସଂପାଦକ ଜୟ ଶାହାଙ୍କ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ୍ କରାଯାଇଥିବା ସୂଚନା ଦେଇଛନ୍ତି। ଏବେ ଦଳରେ ରିଜର୍ଭ ଖେଳାଳି ଭାବେ କେବଳ ଅରଜାନ ନଗଓ୍ଵାସଓ୍ଵାଲ ରହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ମୟଙ୍କ ଅଗ୍ରଓ୍ଵାଲ, ଉମେଶ ଯାଦବ, ଅକ୍ଷର ପଟେଲ, ହନୁମା ବିହାରୀ, ଆର ଅଶ୍ଵିନ, ଋଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ଵରନ, ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିନାହିଁ। ଏମିତିରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ୍ କରାଯିବାର ଅର୍ଥ ସେ ଚତୁର୍ଥ ଟେଷ୍ଟ ଖେଳିବେ।
କେବଳ ୯ ପ୍ରଥମ ଶ୍ରେଣୀ କ୍ରିକେଟ୍ର ରହିଛି ଅନୁଭବ
୨୫ ବର୍ଷୀୟ ଏହି ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ପାଖରେ କେବଳ ୯ ପ୍ରଥମ ଶ୍ରେଣୀ ମ୍ୟାଚ୍ର ଅନୁଭବ ରହିଛି। ସେ ୯ଟି ମ୍ୟାଚ୍ରେ ୩୪ ଓ୍ଵିକେଟ୍ ନେଇଛନ୍ତି। ସେ ଅନ୍ତିମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଗତ ବର୍ଷ ମାର୍ଚ୍ଚରେ ଖେଳିଥିଲେ। ସେ ଭାରତୀୟ ଦଳ ପକ୍ଷରୁ ଦିନିକିଆରେ ପଦାର୍ପଣ କରି ସାରିଛନ୍ତି। ସେ ୩ଟି ଦିନିକିଆରୁ ୬ଟି ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ୫୧ ଲିଷ୍ଟ ଏ ମ୍ୟାଚ୍ରେ ୮୭ ଓ୍ଵିକେଟ୍ ହାସଲ କରିଛନ୍ତି।