ରାଜ୍ୟ

କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦

ଭୁବନେଶ୍ବର : ଦୋକାନରେ ୧କେଜି କାଜୁ ୮୦୦ରୁ ୫୦୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଓଡ଼ିଶା ଚାଷୀଙ୍କୁ ୧୦୦ ଟଙ୍କା ମଧ୍ୟ ମିଳୁନି। ସ୍ଥିତି ଏଭଳି ହୋଇଛି ଯେ କେଜି ପ୍ରତି ମାତ୍ର ୭୦ ଟଙ୍କାରେ ଚାଷୀ ବିକ୍ରି ପାଇଁ ବାଧ୍ୟ ହେଉଛି। ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ୮୩ ହଜାର ହେକ୍ଟର ଜମିରେ କାଜୁ ଚାଷ ହୋଇ ୭୫୧ ହଜାର ମେଟ୍ରିକ ଟନ୍‌ ଉତ୍ପାଦନ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏମଏସପି ବ୍ୟବସ୍ଥା ଘୋଷଣା କରାଯାଇ ନାହିଁ। ପରିଣାମସ୍ବରୂପ ଲାଭଜନକ ଅର୍ଥକାରୀ ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ଚାଷୀ ଶୋଷଣର ଶିକାର ହେଉଛନ୍ତି। କୋଭିଡ୍‌ ପରଠାରୁ କାଜୁ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ ୨ ଲକ୍ଷ ୨୩ ହଜାର ହେକ୍ଟର ଜମିରେ କାଜୁ ଚାଷ ହୋଇ ୧୨୧ ହଜାର ମେଟ୍ରିକ ଟନ୍‌ର ଉତ୍ପାଦନ ଦେଉଛି। ଯାହାକି ଦେଶରେ ତୃତୀୟ ସର୍ବାଧିକ। ରାଜ୍ୟରେ ଥିବା ୩୫୦ ପ୍ରୋସେସିଂ ୟୁନିଟ ଜରିଆରେ କାଜୁ ପ୍ୟାକେଜିଂ ହୋଇ ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଉଛି। ଦାମିକା ଫଳ କାଜୁର ଯେଉଁ ଚାହିଦା ରହିଛି ଚାଷୀ ଏହାର ଲାଭ ଉଠାଇ ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ଏହାର କ୍ରୟ ହୁଏ ନାହିଁ। ଓଡ଼ିଶା ସମେତ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କାଜୁ କ୍ରୟ କରନ୍ତି। ଅନ୍ୟ ରାଜ୍ୟ କିମ୍ବା ଦେଶରେ ଉନ୍ନତମାନର କାଜୁ ମିଳୁଥିବା କହି କମ୍‌ ଟଙ୍କାରେ ଏହାକୁ କ୍ରୟ କରି ନିଅନ୍ତି। ସ୍ଥାନୀୟ ବ୍ୟବସାୟୀମାନେ ଆହୁରି କମ୍‌ ମୂଲ୍ୟରେ ଚାଷୀଙ୍କ ଠାରୁ ନିଅନ୍ତି। ବିଶେଷଜ୍ଞଙ୍କ ଅନୁସାରେ, କରୋନା ପରଠାରୁ କାଜୁ ବ୍ୟବସାୟ ମାନ୍ଦା ପଡ଼ିଥିବାରୁ କାଜୁ ପ୍ରୋସେସିଂ ୟୁନିଟ୍‌ ବନ୍ଦ ପଡ଼ିଛି। ତେଣୁ ପୂର୍ବରୁ ଯେଉଁ ହାରରେ ଏହା ବିକ୍ରି ହେଉଥିଲା, ତାହା ହ୍ରାସ ପାଇବାରେ ଲାଗିଛି। ଯାହା କାଜୁ ଅଭାବୀ ବିକ୍ରିର ଅନ୍ୟତମ କାରଣ ବୋଲି କୁହାଯାଉଛି।

IndiaMART

ଏମ୍‌ଏସ୍‌ପି ଘୋଷଣା କେନ୍ଦ୍ର ସରକାରଙ୍କ ଦାୟିତ୍ବ ହେଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ଗୋଆରେ କାଜୁ ଚାଷୀଙ୍କୁ ନେଇ ସ୍ବତନ୍ତ୍ର ନୀତି ରହିଛି। ଓଡ଼ିଶାରେ ଏତେ ପରିମାଣରେ କାଜୁ ଚାଷ ହେଉଥିବାରୁ ରାଜ୍ୟ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ଦ୍ବିତୀୟତଃ ରାଜ୍ୟରେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଏବଂ କନ୍ଧମାଳକୁ ବାଦ ଦେଇ ପ୍ରତ୍ୟେକ ଜିଲ୍ଲାରେ କାଜୁ ଚାଷ ହୁଏ। ବାତ୍ୟା ପ୍ରଭାବିତ ଖୋର୍ଧା, ପୁରୀ, ଗଞ୍ଜାମରେ ସର୍ବାଧିକ ଚାଷ ହେଉଛି। ବାତ୍ୟା ଯୋଗୁଁ ଅଧିକାଂଶ ବର୍ଷ କାଜୁ ଗଛ ଉପୁଡ଼ି ଯାଇ ବ୍ୟାପକ ନଷ୍ଟ ହୁଏ। ଏହି ଚାଷୀଙ୍କୁ ବୀମାରେ ସାମିଲ କରାଯାଉନଥିବାରୁ ସେମାନେ କ୍ଷତିଗ୍ରସ୍ତ ହେଲେ ମଧ୍ୟ ଆର୍ଥିକ ସହାୟତା ପାଆନ୍ତି ନାହିଁ। ଯାହା ସେମାନଙ୍କ ସ୍ଥିତିକୁ ଜଟିଳ କରୁଛି।

ଓୟୁଏଟି କୃଷି ବିଶେଷଜ୍ଞ ପ୍ରମୋଦ ପଣ୍ଡା କହିଛନ୍ତି, କାଜୁ ଭାରତୀୟ ଫଳ ନୁହେଁ। ୧୬ ଶତାବ୍ଦୀରେ ପର୍ତ୍ତୁଗୀଜମାନେ ଏହାକୁ ବ୍ରାଜିଲରୁ ପ୍ରଥମେ ଗୋଆକୁ ଆଣିଥିଲେ। ଢିପ ଜମିରେ ମୃତ୍ତିକା ସଂରକ୍ଷଣ ଲକ୍ଷ୍ୟ ନେଇ ୨୦୦୦ ମସିହାରେ ଓଡ଼ିଶାରେ ଏହାର ଚାଷ ଆରମ୍ଭ ହୋଇଛି। ଯାହା ରାଜ୍ୟ ପାଇଁ ଅନେକ ସଫଳତା ଆଣିଛି। ନଡ଼ିଆ ଭଳି ଥରେ କାଜୁ ଲଗାଇଲେ ଏହା ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। କାଜୁ ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ କିଛି ଦିନ ପୂର୍ବରୁ କାଜୁ ନିଗମ ଏବଂ ରାଜ୍ୟ କୃଷି ବିଭାଗ ପକ୍ଷରୁ ଏମଓୟୁ ସ୍ବାକ୍ଷରିତ ହୋଇଥିବା ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଟ୍ବିଟ୍‌ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।