ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାଗଜ ଅଭାବରୁ ସ୍କୁଲ୍‌ ପରୀକ୍ଷା ବାତିଲ୍‌ କଲା ଶ୍ରୀଲଙ୍କା

କଲମ୍ବୋ: ଛାପା ନିମନ୍ତେ ଆବଶ୍ୟକ କାଗଜ ଅଭାବ ହେବାରୁ ଶ୍ରୀଲଙ୍କା ନିୟୁତ ନିୟୁତ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାତିଲ କରିଥିବା କଥା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, କାଗଜ ଆମଦାନି ନିମନ୍ତେ ଅର୍ଥ ଯୋଗାଇବାକୁ କଲମ୍ବୋ ପାଖରେ ଡଲାର୍‌ ଅଭାବ ହେବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଶିକ୍ଷା କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, କାଗଜର ଉତ୍କଟ ଅଭାବ ହେତୁ ସୋମବାରଠାରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ‘ଟର୍ମ ଟେଷ୍ଟ୍‌’କୁ (ସ୍କୁଲ୍‌ ପରୀକ୍ଷା) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି। ୧୯୪୮ ମସିହାରେ ସ୍ବାଧୀନ ହେବା ପରଠାରୁ ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବଡ଼ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି।

ପଶ୍ଚିମ ପ୍ରଦେଶର ଶିକ୍ଷା ବିଭାଗ କହିଛି, ଆବଶ୍ୟକ କାଗଜ ଓ କାଳି ଆମାଦାନି କରିବା ଲାଗି ମୁଦ୍ରାକାରମାନେ ବୈଦେଶିକ ବିନିମୟ ଅର୍ଥ ପାଇବାରେ ଅସମର୍ଥ ହେବାରୁ ସ୍କୁଲ୍‌ ଅଧ୍ୟକ୍ଷମାନେ ପରୀକ୍ଷା କରାଇ ପାରୁନାହାନ୍ତି।

ସରକାରୀସୂତ୍ରରୁ ଜଣାପଡ଼ିଛି, କାଗଜ ଆମଦାନି ନ ହୋଇ ପାରିବାରୁ ସମଗ୍ର ଶ୍ରୀଲଙ୍କାରେ ଥିବା ୪.୫ ନିୟୁତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦୁଇତୃତୀୟାଂଶ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

କେବଳ କାଗଜ ନୁହେଁ, ବୈଦେଶିକ ବିନିମୟ ମୁଦ୍ରାଜନିତ ସଙ୍କଟ ହେତୁ ଶ୍ରୀଲଙ୍କାରେ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ମଧ୍ୟ ହ୍ରାସ ପାଇଛି।

୨୨ ନିୟୁତ ଜନତା ବାସକରୁଥିବା ଏହି ଦେଶର ବୈଦେଶିକ ଋଣ ସଙ୍କଟ ସମାଧାନ ନିମନ୍ତେ ଶ୍ରୀଲଙ୍କା ସରକାର ଆର୍ଥିକ ସହାୟତା ପାଇଁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’କୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ଦିନ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ମଧ୍ୟ ସୁନିଶ୍ଚିତ କରି କହିଛି ଯେ, ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେଙ୍କ ଅନୁରୋଧ ପ୍ରସଙ୍ଗରେ ବିଚାର ଚାଲିଛି।

ଶ୍ରୀଲଙ୍କାକୁ ଅର୍ଥ ଉଧାର ଦେଉଥିବା ଅନ୍ୟତମ ରାଷ୍ଟ୍ର ଚୀନ୍‌କୁ ମଧ୍ୟ ସରକାର ସହାୟତା ମାଗିଛନ୍ତି। କିନ୍ତୁ, ବେଜିଙ୍ଗ୍‌ଠାରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଉତ୍ତର ଆସିନାହିଁ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି