ଭୁବନେଶ୍ବର: ଗତବର୍ଷ ଭଳି ଏବର୍ଷ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟରକୁ କରୋନା ଭୂତାଣୁ ଧସେଇ ପଶିଛି। ଗତବର୍ଷ ଏଠାରେ କାର୍ଯ୍ୟରତ ହକି ହାଇପରଫର୍ମାନ୍ସ ସେଣ୍ଟରର କିଛି ଖେଳାଳି ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଏବର୍ଷ କରୋନାର ଦ୍ବିତୀୟ ଲହର ଅଚାନକ ଦୌଡ଼କୁଦ ହାଇପରଫର୍ମାନ୍ସ ଓ ଭାରୋତ୍ତୋଳନ ହାଇପରଫର୍ମାନ୍ସ ସେଣ୍ଟରକୁ ମାଡ଼ିଛି। ଉଭୟ ସେଣ୍ଟରକୁ ମିଶାଇ ପାଖାପାଖି ୩୦ ଜଣ ଖେଳାଳି, କର୍ମଚାରୀ ଓ ଅଧିକାରୀଙ୍କୁ କରୋନା ସଂକ୍ରମିତ ହୋଇସାରିଛି। ଏମାନେ ଷ୍ଟାଡିୟମ୍ ଭିତରେ ହିଁ ସଙ୍ଗରୋଧରେ ରହିଛନ୍ତି। ବିଶେଷ କରି ନିଜ ନିଜ ଘରେ ଛୁଟି କଟାଇ ଫେରିଥିବା ଖେଳାଳି ଅଧିକ ସଂଖ୍ୟାରେ କରୋନାରେ ପୀଡ଼ିତ ଅଛନ୍ତି। ଏକଥା କିନ୍ତୁ ବାହାରକୁ ପ୍ରକାଶ କରାଯାଉନି। ହେଲେ ହାଇପରଫର୍ମାନ୍ସ ସେଣ୍ଟରରେ ଥିବା ଅନ୍ୟ ଖେଳାଳି ଓ ଅଧିକାରୀଙ୍କ ସହ ଷ୍ଟାଡିୟମ୍କୁ ଅଭ୍ୟାସ ପାଇଁ ଯାଉଥିବା ରାଜ୍ୟର ଆଗଧାଡ଼ିର ଖେଳାଳିମାନେ ସଂପ୍ରତି ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନଙ୍କ ପ୍ରଶିକ୍ଷକ ବି ଚିନ୍ତାରେ ପଡ଼ିଯାଇଛନ୍ତି।
କରୋନାର ବର୍ଦ୍ଧିତ ମାମଲା ପାଇଁ ରାଜ୍ୟ ସରକାର କ୍ରୀଡ଼ା ଛାତ୍ରାବାସଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଥିଲା ବେଳେ କେଉଁ ପରିସ୍ଥିତି ଏବଂ କାହା ପାଇଁ ଷ୍ଟାଡିୟମ୍ ଭିତରେ ହାଇପରଫର୍ମାନ୍ସ ସେଣ୍ଟର ଚାଲିବାକୁ ଅନୁମତି ଦିଆଯାଇଛି, ତାହା ବୁଝିହେଉନି। ବିଶେଷ କରି ବିଭିନ୍ନ ରାଜ୍ୟର ଖେଳାଳିଙ୍କୁ କରୋନା ସଂକ୍ରମଣର ଭୟାବହତା ଭିତରେ ଛୁଟିଦେବା ଏବଂ କିଛି ଦିନର ବ୍ୟବଧାନରେ ପୁଣି ଥରେ ସେଣ୍ଟରରେ ଯୋଗ ଦେବାକୁ କହିବା ସେଣ୍ଟରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ ଆଥ୍ଲେଟିକ୍ସ ଏଚ୍ପିସିର ଖେଳାଳିମାନଙ୍କୁ ସେଣ୍ଟର ପକ୍ଷରୁ ଗତମାସ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରାଯାଇଥିଲା। ଖେଳାଳିମାନେ ୧୦ ଦିନ ନିଜ ନଜ ଘରେ ରହିବା ପରେ ପୁଣି ଥରେ ସେଣ୍ଟରକୁ ଫେରିଥିଲେ। ଏହି ଖେଳାଳିମାନେ ଫେରିଲା ପରେ ଏକାଧିକ ଖେଳାଳିଙ୍କ ଦେହ ଖରାପ ହେବା ଆରମ୍ଭ ହୋଇଥିଲା। ପରେ ସଂଖ୍ୟା ୩୦ ଟପିଥିଲା। ଏକଥା କ୍ରୀଡ଼ା ବିଭାଗ ଜାଣିବା ପରେ ବୁଧବାର ଷ୍ଟାଡିୟମ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବି ବସିଥିଲା। ଏଥିରେ ଡାକ୍ତର, ନର୍ସ ଆଦିଙ୍କୁ ଷ୍ଟାଡିୟମ ଭିତରକୁ ଆଣି ଖେଳାଳିଙ୍କ ଚିକିତ୍ସା କରାଯିବା ସହ ବାହାରକୁ ନେଇ ଚିକିତ୍ସା କରିବାର ବିକଳ୍ପ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେହିଭଳି କୋଭିଡ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ତେବେ ୩୦ରୁ ଅଧିକ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀ କରୋନା ସଂକ୍ରମଣ ହେବା ପରେ ଷ୍ଟାଡିୟମ୍ ଭିତରେ ଏବେ ଏକପ୍ରକାର ଭୟର ବାତାବରଣ ରହିଛି। କିଛି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣେ ଅଧିକାରୀ ସ୍ବୀକାର କରିଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ କେବଳ ଯାହା କିଛି ଖେଳାଳିଙ୍କର ସାମାନ୍ୟ ଜ୍ବର ହେଉଛି ବୋଲି କହିଛନ୍ତି। ଏଥିନେଇ ଉଭୟ ହାଇପରଫର୍ମାନ୍ସ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ପାଇଁ ଗତବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିଥିଲା। ଏବର୍ଷ ମଧ୍ୟ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।