ବରଗଡ ୨୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଖୋଲୁଛନ୍ତି । ହେଲେ କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ୍ ଆକ୍ରାନ୍ତମାନେ ଚିକିତ୍ସିତ ହେବାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବରଗଛ ମୂଳେ ରାତି ସାରା ବସି ରହିଲେ କୋଭିଡ୍ ସଂକ୍ରମିତ ଅଙ୍ଗନୱାଡୀ କର୍ମୀ ।
ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ୍ ଅଏଁଲାଭଟା ଗ୍ରାମର ଜଣେ ଅଙ୍ଗନୱାଡୀ କର୍ମୀଙ୍କର କିଛି ଦିନ ଆଗରୁ ଗୋଡ ଭାଙ୍ଗି ଯାଇଥିଲା । ଗତ ଦୁଇ ଦିନ ଆଗରୁ ତାଙ୍କୁ ଜ୍ବର ହେଉଥିଲା ଏବଂ ବୁଧବାର ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟର କି ହୋମ୍ ଆଇସୋଲେସନ ପାଇଁ ଘରକୁ ଯିବାକୁ ନକହି ଡାକ୍ତର ଆସିବା ଯାଏଁ ଅପେକ୍ଷା କରିବା ପାଇଁ କହିଥିଲେ । ରାତିସାରା କୋଭିଡ୍ ସଂକ୍ରମିତ ତାଙ୍କ ସ୍ବାମୀଙ୍କ ସହ ଡାକ୍ତରଖାନା ପରିସରରେ ଥିବା ଗଛ ତଳେ ବସି ରାତି କାଟିଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର ଅଙ୍ଗନୱାଡୀ କର୍ମୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ ତାଙ୍କ ସହ ଏପରି ବ୍ୟବହାର କେତେ ଦୂର ଠିକ୍ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।