ନୂଆଦିଲ୍ଲୀ: କରୋନା ଟିକାକରଣ ଅଭିଯାନରେ ଭାରତ ୨ ବିଲିୟନ ଅର୍ଥାତ ୨୦୦ କୋଟି ଡୋଜ ଟିକା ପ୍ରଦାନ କରି ଇତିହାସ ରଚିଛି । କେବଳ ୧୮ମାସରେ ଏହି ଉପଲବ୍ଧି ହାସଲ କରି ଭାରତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଟିକାକରଣରେ ୧୦୦ କୋଟି ଛୁଇଁଥିଲା ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜୁଲାଇ ୧୭, ୨୦୨୨ ଚିରଦିନ ମନେ ରଖିବାର ଦିନଟିଏ ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭାରତର ଏହି ଉପଲବ୍ଧିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ କହିଛନ୍ତି, ଦେଶବାସୀ ପୁଣି ଥରେ ଇତିହାସ ରଚିଛନ୍ତି । ସେ କହିଛନ୍ତି ଦେଶର ଲୋକେ ବିଜ୍ଞାନ ଉପରେ ଭରଷା କଲେ ଏବଂ ଦେଶର ଡାକ୍ତର, ନର୍ସ, ସମ୍ମୁଖ ଯୋଦ୍ଧା ସହ ବୈଜ୍ଞାନିକମାନେ ସୁରକ୍ଷିତ ପୃଥିବୀ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଟିକାର ୨୦୦ କୋଟି ଡୋଜ ପ୍ରଦାନ ସଂଖ୍ୟା ପାର କରିବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା।
ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୁଲାଇ ୧୫ ତାରିଖରୁ ସାରା ଦେଶରେ କୋଭିଡ ଭ୍ୟାକ୍ସିନେସନ ଅମୃତ ମହୋତ୍ସବ ଆରମ୍ଭ କରିଥିଲେ । ଏହି ଅଭିଯାନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆସନ୍ତା ୭୫ ଦିନ ଯାଏଁ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ ।
ଭାରତରେ କେବେ ଆରମ୍ଭ ହୋଇଥିଲା ଟିକାକରଣ ?
ଦେଶରେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରାଯାଇଥିଲା
ଏହାପରେ ୨୦୨୧ ଫେବ୍ରୁଆରୀ ୨ରେ ସମ୍ମୁଖ ଯୋଦ୍ଧା ପୋଲିସ, ଅର୍ଦ୍ଧସୈନିକ ବଳ, ସେନା କର୍ମଚାରୀଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା।
ଏହାପରେ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ଆକ୍ରାନ୍ତ ସେମାନଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଅନ୍ୟପଟେ ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା ।
୨୦୨୧ଜୁନ ୨୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣା ଟିକା ପ୍ରଦାନ ଆରମ୍ଭ ହୋଇଥିଲା । ୨୦୨୨ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଥିଲା
ଜାନୁଆରୀ ୧୮ରୁ କୋଭିଡ ଭ୍ୟାକ୍ସିନର ତୃତୀୟ ଡୋଜ ଯାହାକୁ ବୁଷ୍ଟର ଡୋଜ କୁହାଯାଏ ତାହା ଲୋକଙ୍କୁ ଦିଆଯିବା ଆରମ୍ଭ ହୋଇଥିଲା। ପ୍ରିକସନ ଡୋଜ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା।
ମାର୍ଚ୍ଚ ୧୬ରେ ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଥିଲା।
ଏପ୍ରିଲ ୧୦ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ ପ୍ରଦାନ ଆରମ୍ଭ ହୋଇଥିଲା । ଅନ୍ୟପଟେ ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ଟଙ୍କା ଦେଇ ବୁଷ୍ଟର ଡୋଜ ନେବା ଆରମ୍ଭ କରିଥିଲେ।
ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ସରକାରୀ ଟିକାକରଣ କେନ୍ଦ୍ରରେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି ।