ଭୁବନେଶ୍ବର: କରୋନା ଏବଂ ଲକ୍ଡାଉନ ପରେ ରୋଜଗାର ପାଇଁ ଅଧିକ ସଂଖ୍ୟାରେ ବାହାର ରାଜ୍ୟ ମୁହାଁ ହୋଇଛନ୍ତି ଶ୍ରମିକ। କରୋନା ବେଳେ ଫେରିଥିବା ୧୦ ଲକ୍ଷ ୦୭ ହଜାର ୩୩୦ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରକୃତରେ କେତେ ଜଣ ଫେରିଛନ୍ତି, ଏହି ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ। ଏପରିକି ଆଶ୍ଚର୍ଯ୍ୟଜନକ ଭାବରେ ଏହି ଶ୍ରମିକଙ୍କ ଥଇଥାନ ପାଇଁ ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ନ ଥିବା କହିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ।। କିନ୍ତୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ)ଆଇନ ୧୯୭୯ ଅନ୍ତର୍ଗତରେ ୨୦୧୯ ମସିହାରେ ୭ ଜିଲ୍ଲାର ୫୧ ହଜାର ୮୦୮ ପ୍ରବାସୀ ଶ୍ରମିକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ୨୦୨୨ ମସିହାରେ ଏହା ସଂଖ୍ୟା ବୃଦ୍ଧି ପାଇ ଅର୍ଥାତ ୨୩ ଜିଲ୍ଲାର ୯୪ ହଜାର ୪୮୨ ଜଣଙ୍କୁ ଲାଇସେନ୍ସ ଦିଆଯାଇଛି। ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ୨୧ ଜିଲ୍ଲାର ୪୦ ହଜାର ୮୮ ଜଣଙ୍କୁ ଲାଇସେନ୍ସ ଦିଆଯାଇଛି। ବିଧାୟକ ସୌମ୍ୟରଞ୍ଜନ ପଟନାୟକଙ୍କ ପ୍ରଶ୍ନରେ ଏହି ସୂଚନା ଦିଆଯାଇଛି।
୨୦୧୯ ତୁଳନାରେ ୨୨ରେ ପ୍ରବାସୀ ଶ୍ରମିକ ସଂଖ୍ୟା ଅଧିକ
ପ୍ରବାସୀ ଶ୍ରମିକ ଥଇଥାନ ଖର୍ଚ୍ଚର ତଥ୍ୟ ନାହିଁ
ଲକଡାଉନରେ ଫେରିଥିଲେ ୧୦ ଲକ୍ଷରୁ ଅଧିକ
ସାମାଜିକ କର୍ମୀଙ୍କ କହିବା ଅନୁସାରେ, ଲକ୍ଡାଉନ ପ୍ରତ୍ୟାହାର ପରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକେ ବାହାର ରାଜ୍ୟକୁ ଯିବା ଆରମ୍ଭ କରି ଦେଲେ। ଏପରିକି ୨୦୨୧ ମସିହାରେ ଯେତେବେଳେ କରୋନା ସ୍ଥିତି ଜଟିଳ ଥିଲା ସେହି ସମୟରେ ମଧ୍ୟ ୨୧୩୪ ପ୍ରବାସୀ ଶ୍ରମିକଙ୍କ ପାଇଁ ଲାଇସେନ୍ସ ଜାରି କରାଯାଇ ଥିଲା। ବିନା ଲାଇସେନ୍ସରେ ଆହୁରି ଅଧିକ ସଂଖ୍ୟାରେ ବାହାର ରାଜ୍ୟକୁ ଯାଇଥିବେ। ଆଶ୍ଚର୍ଯ୍ୟଜନକ ଭାବରେ, ଲକ୍ଡାଉନରେ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ସରକାର ରଖିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣ ରୋଜଗାର ପାଇଁ ବାହାରିଗଲେ ସେହି ହିସାବ ରଖି ପାରିଲେ ନାହିଁ। ଏଥିଯୋଗୁଁ ଆଜି ପର୍ଯ୍ୟନ୍ତ ବାହାର ରାଜ୍ୟରେ ଶ୍ରମିକ ଶୋଷଣ ଉପରେ ଲଗାମ ଲାଗି ପାରି ନାହିଁ। ଶ୍ରମ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୧୯ ମସିହାରେ ବଲାଙ୍ଗୀରର ସର୍ବାଧିକ ୩୮ ହଜାର ୨୬୪, ନୁଆପଡ଼ାରେ ୧୨ ହଜାର ୫୬୪, ଗଞ୍ଜାମରେ ୭୨୦, କଳାହାଣ୍ଡିରେ ୧୦୦, ନବରଙ୍ଗପୁରରେ ୭୦, କେନ୍ଦ୍ରାପଡ଼ାରେ ୫୧, କେନ୍ଦୁଝରରେ ୨୧, କୋରାପୁଟରେ ୧୯ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଯିବା ପାଇଁ ଲାଇସେନ୍ସ ଦିଆଯାଇଥିଲା। ୨୦୨୨ ମସିହାରେ ବଲାଙ୍ଗୀରରେ ଲାଇସେନ୍ସ ନେଇ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ଅର୍ଥାତ ୬୭ ହଜାର ୧୫୯ରେ ପହଞ୍ଚିଛି। ନୁଆପଡ଼ାରେ ୧୫ ହଜାର ୮୬୨, ଗଞ୍ଜାମରେ ୨୭୯୯, ଅନୁଗୁଳରେ ୭୯୦, ବରଗଡ଼ରେ ୬୫୦, ବାଲେଶ୍ବରରେ ୧୧୦, କଟକରେ ୫୪୭, ଦେବଗଡ଼ରେ ୧୦୦, ଦେବଗଡ଼ରେ ୧୦୦, ଢେଙ୍କାନାଳରେ ୧୦୯୦, ଶିଳ୍ପ ଜିଲ୍ଲା ଝାରସୁଗୁଡ଼ାରେ ୧୬୬୦, କଳାହାଣ୍ଡିରେ ୯୨୭, ଖୋର୍ଧାରେ ୫୫୦, ଖଣି ଜିଲ୍ଲା କେନ୍ଦୁଝରରୁ ୪୦୦, ନୟାଗଡ଼ରୁ ୨୭୪, ପୁରୀରୁ ୫୦୦, ସମ୍ବଲପୁରରୁ ୫୮୦, ରାୟଗଡ଼ାରୁ ୧୨୦, ସୁବର୍ଣ୍ଣପୁରରୁ ୪୦ ଜଣ ଶ୍ରମିକ ବାହାରକୁ ଯାଇଛନ୍ତି। ୨୦୨୩ ମସିହାରେ ବଲାଙ୍ଗୀରରେ ୨୬ ହଜାର ୧୫୧ ଶ୍ରମିକ ବାହାରକୁ ଯାଇଛନ୍ତି।