ନୂଆଦିଲ୍ଲୀ ୨୭/୧୨: କରୋନା ମହାମାରୀ ବିରୋଧରେ ବିଶ୍ବ ଦୃଢ଼ତାର ସହ ଲଢ଼େଇ କରୁଛି। ବିଭିନ୍ନ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ, ଆମେରିକା, ଋଷ ସମେତ ଅନେକ ଦେଶରେ କରୋନା ପାଇଁ ଟିକାକରଣ ଚାଲିଛି। ୟୁରୋପରେ କରୋନା ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜର୍ମାନୀର ଜଣେ ପାଇଲଟ୍ ନିଆରା ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି।
ଆକାଶରେ ୨୦୦ କି.ମି ଉଡ଼ାଣ କରି ଆକାଶରେ ବିଶାଳ ଇଞ୍ଜେକ୍ସନ୍ (ସିରିଞ୍ଜ) ତିଆରି କଲେ ପାଇଲଟ୍ ସାମି କ୍ରାମର। ତେବେ ୨୦ ବର୍ଷୀୟ ସାମି ଆକାଶରେ ନିର୍ମାଣ କରିଥିବା ଇଞ୍ଜେକ୍ସନ ଜିପିଏସ୍ ଡିଭାଇସ୍ରେ ବି ଦେଖାଯାଇପାରୁଛି। ସିରିଞ୍ଜ ଆକୃତିର ରୁଟ୍ ଇଣ୍ଟେରନେଟ୍ରେ ଦେଖିବାକୁ ମିଳୁଛି।
ବହୁ ଲୋକ ଟିକାକରଣକୁ ବିରୋଧ କରୁଥିବା ବେଳେ ମୋର ଏହି ପ୍ରୟାସ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ ବୋଲି ସାମି କହିଛନ୍ତି। ରବିବାର ଏନେଇ ସାମ ରୟଟର୍ସକୁ କହିଛନ୍ତି।
ଅନ୍ୟପଟେ କରୋନା ମହାମାରୀ ବେସାମରିକ ବିଭାଗ ଉପରେ ମଧ୍ୟ ଦାଉ ସାଧିଥିଲା । ତେଣୁ ଏଭଳି ଏକ ପ୍ରୟାସ ଏକ ଖୁସିର କିରଣ ସଦୃଶ ହୋଇପାରେ ବୋଲି କ୍ରାମର କହିଛନ୍ତି। ଜର୍ମାନ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ୧.୩ ମିଲିୟନ୍ ଭ୍ୟାକ୍ସିନ୍ ଡୋଜ୍ ଦୋବକୁ ସ୍ଥିର କରିଛନ୍ତି। ଆସନ୍ତା ବର୍ଷ ପ୍ରତି ସପ୍ତାହରେ ୭ ଲକ୍ଷ ଟିକାକରଣ ହେବ ବୋଲି ମଧ୍ୟ ଜଣାପଡ଼ିଛି।