ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ସଂକ୍ରମଣ ହାର ରୋକିବା ପାଇଁ ଅତି କମରେ ଦୁଇମାସ ଆବଦ୍ଧ ପରିସରରେ ବା ଗୃହ କିଂବା ହଲ ମଧ୍ୟରେ ଜନ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେବା ଉଚିତ ବୋଲି କହିଛି ଲାନସେଟ । ଏହି ପଦକ୍ଷେପ ଭାରତରେ ସଂକ୍ରମଣର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବ ବୋଲି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜର୍ଣ୍ଣାଲ୍ ଲାନସେଟର କୋଭିଡ-୧୯ ଭାରତ ଟାସ୍କ ଫୋର୍ସ ଏକ ରିପୋର୍ଟରେ ପ୍ରକାଶ କରିଛି।
ଲାନସେଟର କୋଭିଡ୍ ଟାସ୍କ ଫୋର୍ସ ଏହାର ରିପୋର୍ଟରେ ସଂକ୍ରମଣ ବୃଦ୍ଧି ପାଇଁ ଧାର୍ମିକ, ରାଜନୈତିକ ସମାବେଶ (ରାଜ୍ୟ ନିର୍ବାଚନ) ଏବଂ ସାମାଜିକ ସମାବେଶ (ବିବାହ , କ୍ରୀଡା ଉତ୍ସବ) କୁ ଦାୟୀ କରିଛି। ଏବେ ଏହି ସବୁ ସମାବେଶ ଅଧିକ ହେଉଥିବାରୁ ଲାନସେଟ୍ କୋଭିଡ୍-୧୯ ଭାରତ ଟାସ୍କ ଫୋର୍ସ ଆସନ୍ତା ଦୁଇ ମାସ ପାଇଁ ୧୦ରୁ ଅଧିକ ଲୋକ ସାମିଲ ହେଉଥିବା ସମାବେଶ ଉପରେ ଏକ ସାମୟିକ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛି।