କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କରୋନା କାରୁଣ୍ୟ: ପାଲା କଳାକାରଙ୍କ ଦୁଃଖ ଶୁଣିବ କିଏ ?

ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ କ‌ରୋନା ମହାମାରୀର ପ୍ରାଦୁର୍ଭାବ କମିଛି। ଦୈନନ୍ଦିନ ସଂକ୍ରମଣ ଗ୍ରାଫ୍ ଆଶାତୀତ ଭାବେ ନିମ୍ନଗାମୀ ହେଉଛି। ଆଉ ‌ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଏବଂ ଜୀବନଜୀବିକା ସ୍ବାଭାବିକ ଲାଗି ପ୍ରଶାସନ କିଛି କଟକଣାକୁ ମଧ୍ୟ କୋହଳ କରିଛି। ହେଲେ ଦୁଃଖର କଥା ହେଲା, ଏଯାଏ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ସହ ଯାନିଯାତ୍ରା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ଉପରୁ ଅଙ୍କୁଶ ହଟିପାରିନି। ଯଦ୍ବାରା ବିଭିନ୍ନ ଲୋକକଳା ଓ ଯାତ୍ରା କଳାକାରଙ୍କ ଜୀବନଜୀବିକା ବର୍ତ୍ତମାନ ଦୁର୍ବିଷହ ପାଲଟିଛି। ପାଶ୍ଚାତ୍ୟକରଣର ପ୍ରଭାବରେ ଲୋକକଳା ଲୋପ ପାଇବାକୁ ବସିଥିଲେ ‌ହେଁ, ଯେଉଁ ମାନେ ଏହାର ସତ୍ତା ବଜାୟ ରଖିବାକୁ ଅହରହ ପରିଶ୍ରମ ଜାରି ରଖିଛନ୍ତି ସେମାନେ ଆଜି ଦୁଇଓଳା ଦାନା ଲାଗି ସଂଘର୍ଷ କରୁଛନ୍ତି।

ଗଞ୍ଜାମ ଜିଲ୍ଲାର ଅନେକ କଳାକାର ବର୍ତ୍ତମାନ ଅନ୍ୟ ଜୀବିକା ଆପଣାଇବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି, ପାତ୍ରପୁର ବ୍ଲକ୍‌ର ପାଲା କଳାକାର। କରୋନା କଟକଣା ଏହି କଳାକାର ମାନଙ୍କ ରୋଜଗାର ଛଡ଼ାଇନେଇଛି। ‘ପାଲା’ ଲୋକକଥାରେ ସତ୍ୟନାରାୟଣ ମହାପ୍ରଭୁଙ୍କ ମହିମା ଓ ଅଲୌକିକ କାହାଣୀ ବର୍ଣ୍ଣନା ହୋଇଥାଏ। ମାନସିକଧାରୀ ମାନେ ଘର ପିଣ୍ଡାରେ ଗ୍ରୁପ୍‌କୁ ଡକାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ଏହାସହ ପାଲା ମାଧ୍ୟମରେ ଅନେକ ସଚେତନତା କାର୍ଯ୍ୟକ୍ରମ ବି ପ୍ରଶାସନ ଦ୍ବାରା ‌ଆୟୋଜିତ ହୋଇଥାଏ। ବର୍ଷକ ୧୨ ମାସ ପାଲା ଗାୟକ ଓ କଳାକାର ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଲ ଦିପଇସା ରୋଜଗାର କରନ୍ତି। ପାତ୍ରପୁର ପଞ୍ଚାୟତ ସପଙ୍ଗ ଗ୍ରାମରେ ଦୁଇଟି ପାଲା ଗ୍ରୁପ୍ ରହିଥିବା ବେଳେ ତଣ୍ତିପୁର ପଞ୍ଚାୟତର ବୁରିପଦର, ବାଦପୁର ପଞ୍ଚାୟତର ବୁରୁପଡ଼ା ଓ ମନ୍ଦରଡ଼ା ପଞ୍ଚାୟତର ମନ୍ଦରଡ଼ାରେ ଗୋଟିଏ ଲେଖାଏଁ “ପାଲା” ଗ୍ରୁପ୍ ରହିଛନ୍ତି। ପ୍ରତି ଗ୍ରୁପ୍‌ରେ ପ୍ରାୟ ୬ଜଣ କଳାକାର ରହିଛନ୍ତି। କିନ୍ତୁ କରୋନା ମହାମାରୀର କରାଳ ଗ୍ରାସରେ କଳାକାରମାନେ ନିଜର ଜୀବିକା ହରାଇବା ସହ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ସଫଙ୍ଗ ଗ୍ରାମର କୁଠାରିଶ୍ବରୀ (ଏ) ଗ୍ରୁପ୍‌ରେ ରାଜେନ୍ଦ୍ର ପ୍ରଧାନ ପ୍ରଶିକ୍ଷକ ଭାବେ କାମ କରୁଥିବା ବେଳେ ବି ଗ୍ରୁପ୍‌ରେ ଅଞ୍ଚଳ ପ୍ରଧାନ, ବୁରିପଦର ଗ୍ରୁପରେ ରାଜେନ୍ଦ୍ର ଗୌଡ଼, ବୁରୁପଡ଼ାରେ ଡମ୍ବୁରୁ ପାତ୍ର ଓ ମନ୍ଦରଡ଼ାରେ କୃଷ୍ଣ ରଣା ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଉଛନ୍ତି। ସମସ୍ତ ଗ୍ରୁପ୍‌ରେ ପ୍ରାୟ ୩୦ରୁ ଅଧିକ କଳାକାର ଅଛନ୍ତି। କିନ୍ତୁ କରୋନା କଟକଣା ପରେ ସେମାନଙ୍କ ଜୀବନଜୀବିକା ଉଜୁଡ଼ିଯାଇଛି। ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଉପରୁ ଅଙ୍କୁଶ ଉଠୁ ନଥିବାରୁ ସେମାନେ ବୃତ୍ତି ହରାଇଛନ୍ତି। ସରକାରୀ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ ଲାଗି ପଦକ୍ଷେପ ନେବାକୁ କେସିଓ ଶିକ୍ଷକ ଅଲେଖ ପ୍ରଧାନ, ମୃଦଙ୍ଗ ବାଦକ ପ୍ରଫୁଲ୍ଲ ପ୍ରଧାନ, ନାରୀ କଳାକାର ଭାବେ ଅଭିନୟ କରୁଥିବା ରଞ୍ଜନ ପ୍ରଧାନ ଓ ହାସ୍ୟ ଅଭିନେତା କୈଳାସ ଗୌଡ଼ ପ୍ରମୁଖ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,