ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳେଶ୍ବର ମନ୍ଦିର ସଂରକ୍ଷଣ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କଲା ବିଜେଡି

ଭୁବନେଶ୍ୱର: କପିଳେଶ୍ବର ମନ୍ଦିର ସଂରକ୍ଷଣ ପ୍ରସଙ୍ଗରେ ରାଜନୀତି ଜୋର ଧରିଲାଣି। ଗତକାଲି ବିଜେପିର ମନ୍ତ୍ରୀ ଓ ସାଂସଦଙ୍କ ଛକାପଞ୍ଝା ଚର୍ଚ୍ଚାରେ ରହିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ସଂସ୍କୃତି ମନ୍ତ୍ରାଳୟର ବିଜ୍ଞପ୍ତି ପରେ ସଂସ୍କୃତି ବିଭାଗକୁ ଶ୍ରୀ ପ୍ରଧାନ ଚିଠି ଲେଖିବା ଘଟଣାରେ ଲୋକେ ହସୁଛନ୍ତି। ଓଡ଼ିଶା ପାଇଁ କାମ ନ କରି ମନ୍ତ୍ରୀ ପ୍ରଚାରରେ ମାତିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି।

ଗତ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କପିଳେଶ୍ବର ମନ୍ଦିରକୁ ରାଷ୍ଟ୍ରୀୟ ମହତ୍ତ୍ବ ଘୋଷଣା କରିବା ସହ ଏଏସ୍‌ଆଇ ଅଧୀନକୁ ଆଣିବା ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏପ୍ରିଲ ୩୦ରୁ ଏ ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ସାରିଥିବା ପ୍ରଚାର କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କର ଏହି ଘୋଷଣାର ୩ ଦିନ ପରେ ଅର୍ଥାତ୍‌ ୯ ତାରିଖରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଏହି ମନ୍ଦିରର ସଂରକ୍ଷଣ ଓ ଉନ୍ନତି ଦାୟିତ୍ବ ଏଏସ୍‌ଆଇକୁ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି, ନିଜର ପ୍ରଚାର ପ୍ରସାର କରିବା ଓ ଚିଠି ଦେବା ପରିବର୍ତ୍ତେ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବୁଝି ପାରିଥା’ନ୍ତେ। ତାଙ୍କ ଦଳର ଅନ୍ୟତମ ସହକର୍ମୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ସେ ଶିଖି ନେବା ଉଚିତ୍‍ ବୋଲି ସେ କହିଛନ୍ତି।

ଏଣେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, କପିଳେଶ୍ବର ମନ୍ଦିରକୁ ରାଜ୍ୟ ସରକାର ସଂରକ୍ଷିତ ଐତିହ୍ୟ ଘୋଷଣା କରି ରକ୍ଷଣାବେକ୍ଷଣ କରି ଆସୁଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ବ ଏହାର ରକ୍ଷଣାବେକ୍ଷଣ କରୁଛି। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଏଏସ୍‌ଆଇ ମନ୍ଦିରଗୁଡ଼ିକର କି ପ୍ରକାର ସଂରକ୍ଷଣ କରୁଛି ତାହା ସମେସ୍ତ ଜାଣନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ହୋଇଥିବା ଛକାପଞ୍ଝା ପରେ ନିରବ ରହିଥିବା ବିଜେପି ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ମୁହଁ ଖୋଲିଛି। ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଏକ ପ୍ରେସ୍‌ ବିବୃତିରେ ବିଜେଡି ପ୍ରବକ୍ତା ଲେନିନ୍‌ ମହାନ୍ତିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ବିଶ୍ବାଳ କହିଛନ୍ତି, ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଘୋଷଣା ପରେ ମଧ୍ୟ ବିଜେଡି ସରକାରରେ ଥିବା ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି? ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ପ୍ରବକ୍ତାମାନେ ନିଜେ ଶିଖିଲେ ଭଲ ହୁଅନ୍ତା। କପିଳେଶ୍ୱର ମନ୍ଦିର ସମ୍ପର୍କିତ ଏଏସଆଇ ଗେଜେଟ୍ ଓ ଚିଠିକୁ ଠିକ୍‌ରେ ପଢିଥିଲେ ବିଜେଡି ପ୍ରବକ୍ତା ଏଭଳି ଅପରିପକ୍ୱତା ମାନସିକତାର ଉତ୍ତର ଦେଇନଥାନ୍ତେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।