ରାଜ୍ୟ ସ୍ପେଶାଲ ରିପୋର୍ଟ

କନକ ନ୍ୟୁଜ୍‌‌ରେ ଯାଁଳା ଭାଇଙ୍କ କାହାଣୀ: ‘ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତୁ ନାହିଁ’

ଭୁବନେଶ୍ବର: ପରିବାରଠାରୁ ବଡ଼ ସମ୍ବଳ ଆଉ କିଛି ନାହିଁ। କିନ୍ତୁ ଏଇ ସମ୍ବଳକୁ ଆଜି ଆମେ ହରେଇ ଦେଉଛେ। ଯୌଥ ପରିବାର ନାହିଁ କହିଲେ ଚଳେ। ପରିବାର ଭାଗଭାଗ ହୋଇ କେତେ ଛୋଟ ହୋଇ ପାରିବ, ସେଥିପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ସମୟରେ ଭାଇ-ଭାଇ ଭିତରେ ପଡ଼ୁନାହିଁ। ସାମାନ୍ୟ କଥାକୁ ନେଇ ପରିବାର ଭିତରେ ମତାନ୍ତର ସୃଷ୍ଟି ହେଉଛି। ଏହା ସମାଜିକ ବ୍ୟବସ୍ଥା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ତେଣୁ ପରିବାରକୁ ବିଭାଜନ ହେବାକୁ ଦିଅନ୍ତୁ ନାହିଁ ଏବଂ ସମ୍ପର୍କକୁ କୌଣସି ପରିସ୍ଥିତିରେ ଖରାପ କରନ୍ତୁ ନାହିଁ ବୋଲି ଆଜି ‘କନକ ନ୍ୟୁଜ୍‌’ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଯାଁଳା ଭାଇଙ୍କ କାହାଣୀ’ରେ କହିଛନ୍ତି ପ୍ରଫେସର ଅଶୋକ ବାସା ଓ ଇଂ କିଶୋର ବାସା।

କନକ ନ୍ୟୁଜ୍‌ରେ ଆଜି ଏହି ଦୁଇ ପ୍ରତିଷ୍ଠିତ ଯାଁଳା ଓଡ଼ିଆ ଭାଇଙ୍କ କାହାଣୀ ପ୍ରସାରିତ ହୋଇଥିଲା। ଏଥିରେ ଦୁଇ ଭାଇ ଅନେକ ଅନାଲୋଚିତ କଥା କହିଛନ୍ତି। ଦୁହିଁଙ୍କ ଭିତରେ ଇଂ ଅଶୋକ ବାସା ବଡ଼ ଓ ପ୍ରଫେସର କିଶୋର ବାସା ସାନ। ବଡ଼ ଭାଇଠାରୁ ସାନ ଭାଇ, ମାତ୍ର ୧୦ ମିନିଟ୍‌ର ବ୍ୟବଧାନରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟବିତ୍ତ ପରିବାରରେ ବାପା ସ୍ବର୍ଗତ ପରେଶ ଚନ୍ଦ୍ର ବାସା, ମା’ ବିନୋଦିନୀ ବାସାଙ୍କ ଦୁଇ ଯାଁଳା ସନ୍ତାନ ଏବେ ସୁପ୍ରତିଷ୍ଠିତ। ପିଲାବେଳୁ ଦୁଇ ଜଣ ମେଧାବୀ ଥିଲେ। ତୃତୀୟ, ସପ୍ତମ ଓ ଦଶମ ଶ୍ରେଣୀରେ ଦୁହେଁ ସ୍କଲାର୍‌ସିପ୍‌ ପାଇଥିଲେ। ୧୯୭୩ ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ସାରା ଓଡ଼ିଶାରେ ଜଣେ ପ୍ରଥମ ଓ ଜଣେ ୧୦ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଥିଲେ। ଏହାପରେ ଦୁଇ ଭାଇ ଦେଶ ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ବଡ଼ ଭାଇ ଅଶୋକ ବାସା ଜଣେ ପ୍ରତିଷ୍ଠିତ ଇଞ୍ଜିନିୟର୍‌। ନିଜର ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ୨୦୨୧ ମସିହାରୁ ସେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫ୍‌ଇଓ)ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାବେ କାମ କରୁଛନ୍ତି। ୧୯୬୮ ମସିହାରେ ୟୁନେସ୍କୋ ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯାଇଥିବା ଡବ୍ଲ୍ୟୁଏଫ୍‌ଇଓରେ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ହେବା ଓଡ଼ିଆ ଭାବରେ ସେ ପ୍ରଥମ ଏବଂ ଭାରତୀୟ ଭାବେ ଦ୍ବିତୀୟ।

ସାନଭାଇ ପ୍ରଫେସର କିଶୋର ବାସା ବିଭିନ୍ନ ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି। ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବି) କୁଳପତି ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର ତାଙ୍କୁ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗର ଅଧୀନରେ ଥିବା ଏହି ସମ୍ମାନ ଜନକ ପଦରେ ବସିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।

ପିଲାବେଳର କଥାକୁ ମନେ ପକାଇ ଦୁହେଁ କହିଥିଲେ ଯେ ଦୁହିଁଙ୍କ କଣ୍ଠ ସ୍ବର, ଚାଲିଚଳନ ସବୁ କିଛି ଏକାପରି ଥିଲା। ଏକଦା, ବସନ୍ତ ରୋଗ ଇଞ୍ଜେକସନ୍‌ ଦେବା ପାଇଁ ତାଙ୍କ ‌ଘରକୁ ଜଣେ ସ୍ବାସ୍ଥ୍ୟକର୍ମୀ ଆସିଥିଲେ। ଜଣଙ୍କୁ ଇଞ୍ଜେକସନ୍‌ ଦେବା ପରେ ସେ ଘରକୁ ଯିବା ପରେ ଅନ୍ୟ ଜଣେ ଇଞ୍ଜେକ୍ସନ୍‌ ନେବାକୁ ଆସିଥିଲେ। ତେଣୁ ସ୍ବାସ୍ଥ୍ୟକର୍ମୀଜଣଙ୍କ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ଯେଉଁ ପିଲାକୁ ଇଞ୍ଜେକ୍ସନ୍‌ ଦେଇଛନ୍ତି, ତାକୁ ଆଉଥରେ ଦେବେ ନାହିଁ ବୋଲି ସେ ମନା କରିଦେଇଥିଲେ। ତେଣୁ ଦୁଇଜଣ ଏକାସାଙ୍ଗରେ ବାହାରକୁ ଆସିବା ପରେ, ଦୁହେଁ ଯାଁଳା ଭାଇ ବୋଲି ସ୍ବାସ୍ଥ୍ୟକର୍ମୀଙ୍କ ବିଶ୍ବାସ ହୋଇଥିଲା। ସେହିପରି ବିଶ୍ବବିଦ୍ୟାଳୟରେ ପଢ଼ିବା ସମୟରେ ଅଶୋକ କିପରି ଭାଇଙ୍କ ଇଂରାଜୀ କ୍ଲାସ୍‌ରେ ଯାଇ ବସୁଥିଲେ ଓ କେହି ଜାଣି ପାରୁନଥିଲେ, ତାହା ବର୍ଣ୍ଣନା କରିଥିଲେ। କିଶୋର ବାସା କହିଛନ୍ତି ଯେ ଖାଲି ସେତିକି ନୁହେଁ, ଆମ ଦୁଇଜଣଙ୍କୁ ନେଇ ଅନେକେ ଏମିତି ହଟହଟା ହୋଇଛନ୍ତି।

ଏପରିକି ମୋ ସ୍ତ୍ରୀ ମଧ୍ୟ ପ୍ରଥମେ ପ୍ରଥମେ ଜାଣି ପାରୁନଥିଲା କିଏ ଅଶୋକ ଓ କିଏ କିଶୋର। ମା’ ତୃତୀୟ ଶ୍ରେଣୀ ପାସ୍‌ କରିଥିଲେ ମଧ୍ୟ ଉଚ୍ଚାଭିଳାଷୀ ଥିଲା। ସବୁ କଥାରେ ଆକଟ କରୁଥିଲା। ମା-ବାପାଙ୍କ ପ୍ରେରଣା ସହ ଜୀବନରେ ଆମେ ବହୁତ ଭଲ ସାଙ୍ଗ ଓ ଶିକ୍ଷକ ପାଇଛୁ, ଯାହା ଆମକୁ ସଫଳ କରିବାରେ ସହାୟକ ହୋଇଛି। ଏବେ ବି ଆମେ ଏକାଠି ରହୁଛୁ। ଗୋଟିଏ ସ୍ଥାନରେ ରୋଷେଇ ହେଉଛି। ଉଭୟଙ୍କ ବିପଦରେ ଉଭୟ ଛିଡ଼ା ହେଉଛୁ। ଏମିତିକି ସମ୍ପର୍କୀୟଙ୍କ ଭିତରେ ବହୁତ ଭଲ ସମ୍ପର୍କ ରହିଛି। ତେଣୁ ଛୋଟଛୋଟ ସ୍ବାର୍ଥ ପାଇଁ ଭାଇ-ଭାଇ, ଭାଇ-ଭଉଣୀ ସମ୍ପର୍କକୁ ଖରାପ କରିବା ଉଚିତ ନୁହେଁ। ସମ୍ପର୍କକୁ ଖରାପ କରନ୍ତୁ ନାହିଁ ବୋଲି ଦୁଇ ଭାଇ ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।