କଟକ ୨୨।୬: କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ । ଅପରାଧ ଦମନ ପାଇଁ ପୋଲିସ ଯେତେ ପଇଁତରା ମାରିଲେ ବି ଅପରାଧୀ କିନ୍ତୁ ନୂଆ ନୂଆ ତରିକା ଆପଣାଇ ଘଟାଇ ଚାଲିଛନ୍ତି ଅପରାଧ । ଅପରାଧୀଙ୍କ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଫେଲ୍ ମାରିବା ଭଳି ମନେ ହେଉଛି ।
କାରଣ କେଉଁଠି ସିସିଟିଭି କାମ କରୁନି ତ ଆଉ କେଉଁଠି ଭାଙ୍ଗିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ଅପରାଧୀ । ରାତିରେ କ’ଣ ଦିନ ଦ୍ବିପ୍ରହରରେ ମଧ୍ୟ ଲୁଟ୍, ଛିନତାଇ, ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି । ଆଉ ନିଜକୁ ଅସୁରକ୍ଷିତ ମଣୁଛନ୍ତି କଟକବାସୀ । କଟକ ସହରର କେବଳ ପ୍ରମୁଖ ସ୍ଥାନ ନୁହେଁ ସହରର ଗଳିକନ୍ଦିରେ ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି ।
କଟକ ସହରରେ ଏବେ ପାଖାପାଖି ୧୫୦ଟି ସ୍ଥାନରେ ସିସିଟିଭି ଲଗାଯାଇଛି । ସହରର କିଛି ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ରହିଛି । କଣ୍ଟ୍ରୋଲ ରୁମ୍ରେ ସବୁ ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି । ହେଲେ ସମ୍ପୂର୍ଣ୍ଣ ସହରରେ ସିସିଟିଭି ସର୍ଭେଲାନ୍ସ କାର୍ଯ୍ୟକାରୀ ହୋଇପାରିନାହିଁ ।
ତେବେ କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଯଥାଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ବ୍ୟକ୍ତିଗତ ଭାବେ ଘରୋଇ ସଂସ୍ଥା, ପୂଜା କମିଟି ଏବଂ ଯେଉଁ ବ୍ୟକ୍ତି ସିସିଟିଭି ଲଗାଇ ପାରିବେ ସେମାନେ ନିଜ ନିଜ ସ୍ଥାନରେ ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଏନେଇ ସଚେତନ କରିବାକୁ ବିଭିନ୍ନ ପୋଲିସ ଥାନାକୁ କୁହାଯାଇଛି ବୋଲି ଡିସିପି କହିଛନ୍ତି ।