ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକର ପ୍ରଥମ ମେୟର୍‌ ନିବେଦିତା ପ୍ରଧାନଙ୍କ ପରଲୋକ

କଟକ: କଟକ ପୌରନିଗମର ପ୍ରଥମ ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି। ଗୁରୁବାର ଅପରାହ୍‌ଣରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ତାଙ୍କୁ ୬୦ବର୍ଷ ହୋଇଥିଲା। ଦେଢ଼ ବର୍ଷ ହେଲା ଅସୁସ୍ଥ ହୋଇ ନିୟମିତ ଚିକିତ୍ସାରେ ରହୁଥିବା ନିବେଦିତାଙ୍କୁ କିଛି ଦିନ ତଳେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍‌ଣରେ ତାଙ୍କ ମୃତ୍ୟୁ ଘଟିଥିଲା। ପରଲୋକ ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ମାତାମଠ, ମଣିସାହୁ ଛକ, ବକ୍ସିବଜାର, ଦରଘାବଜାର, ଚୌଧୁରୀବଜାର, ସିଏମ୍‌ସି କାର୍ଯ୍ୟାଳୟ, ଝୋଲାସାହି, ନିମସାହି, ସେମିନାରୀ ଛକ ପରିକ୍ରମା କରି ହରିପୁର ଦୋଳମୁଣ୍ଡାଇ ସଙ୍ଗମ ସିନେମା ପାଖ ବାସଭବନକୁ ନିଆଯାଇ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ଭଉଣୀ, ଭିଣୋଇଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ମେୟର ସୁବାସ ଚନ୍ଦ୍ର ସିଂହ, କଟକ ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ରାଜ୍ୟ ନିରାମୟ ଉପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ପୂର୍ବତନ ମେୟର୍‌ ସୌମେନ୍ଦ୍ର ଘୋଷ, ପୂର୍ବତନ ମେୟର୍‌ ମୀନାକ୍ଷୀ ବେହେରା, ପୂର୍ବତନ ମେୟର୍‌ ଅନିତା ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମହମ୍ମଦ ସକିଲ୍‌, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ବିଜେପି ନେତ୍ରୀ ଗୀତା ଦାସ, ପ୍ରବୀଣା ମହାପାତ୍ର, ବିଜେପି ନେତା ବିଶ୍ବରଞ୍ଜନ ମହାପାତ୍ର, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ଭବାନୀ ମିଶ୍ର, ମାନସ ମହାନ୍ତି, ବିଜେପି ରାଜ୍ୟ ସଂପାଦକ ସରୋଜ କର, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସିକନ୍ଦର ଅଲ୍ଳୀ, କର୍ପୋରେଟର୍‌ ପ୍ରଦୀପ ସାହୁ, ବିକାଶ ବେ‌ହେରା, ଦୀପ୍ତିମୟୀ ମୂଳିଆ, ମୋନାଲିସା ଦାସ, ଏ. ଶ୍ରୀଦେବୀ, ସନ୍ତୋଷ ଭୋଳ, ଦୀପକ ଦାସ, ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଶୋକ ସ୍ବାଇଁ, ଆଇନଜୀବୀ ଇଂ ଆକାଶ ଭୂୟଁା, ପ୍ରଳୟା ବେହେରାଙ୍କ ସମେତ ସିଏମ୍‌ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଜେଡି ନେତା ପ୍ରଶାନ୍ତ ନାୟକ, ଧର୍ମେଶ ନାୟକ, ଏଡିଏମ୍‌ ଶିବ ‌ଟପ୍ପୋ ପ୍ରମୁଖ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୁରୁବାର ସଂଧାରେ ଖାନ୍‌ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସାନଭାଇ ସତ୍ୟରଂଜନ ପ୍ରଧାନ ମୁଖାଗ୍ନି ଦେଇଥିଲେ।

କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବା ନିବେଦିତାଙ୍କର ଛାତ୍ର ଜୀବନରୁ ସମାଜସେବା ପ୍ରତି ରୁଚି ଥିଲା। କେନ୍ଦ୍ରାପଡ଼ା କଲେଜର ପଢ଼ୁଥିବା ସମୟରେ ସମୀର ଦେଙ୍କ ପରାମର୍ଶରେ ନିବେଦିତା ବିଜେପିରେ ଯୋଗଦେଇ ରାଜନୀତିକୁ ଆସିଥିଲେ। ବିଜେପିର ମହିଳା ମୋର୍ଚ୍ଚା, ରାଜ୍ୟ ସାଧାରଣ ସଂପାଦିକା ଭଳି ବହୁ ପଦପଦବିରେ ରହି ବିଜେପି ସଂଗଠନକୁ ରାଜ୍ୟରେ ସୁଦୃଢ଼ କରିଥିଲେ। ୧୯୯୮ରେ ସେ ହରିପୁର ଅଞ୍ଚଳରୁ ପ୍ରଥମଥର କାଉନ୍‌ସିଲର୍‌ ଭାବେ ନିର୍ବାଚନ ଲଢ଼ି ହାରିଥିଲେ। ତେବେ, ପରବର୍ତ୍ତୀ ସମୟରେ ଦ୍ବିତୀୟ ଥର ନିର୍ବାଚନ ଲଢ଼ି କାଉନସିଲର୍‌ ଭାବେ ନିର୍ବାଚିତ ‌ହୋଇଥିଲେ। ୨୦୦୦ ମସିହାରେ ସଦର ନିର୍ବାଚନମଣ୍ଡଳୀରୁ ସେ ବିଧାୟିକା ନିର୍ବାଚିତ ହୋଇ ୨୦୦୪ପର୍ଯ୍ୟନ୍ତ ସଦର ବିଧାୟିକା ଥିଲେ। ୨୦୦୩ରେ କଟକ କର୍ପୋ‌ରେସନ ଘୋଷଣା ହୋଇଥିଲା। ବିଧାୟିକା ଥାଇ ନିଦେବିତା ୨୦୦୩ରେ ସେହି ହରିପୁର ଅଞ୍ଚଳରୁ କର୍ପୋରେଟର ବିଜୟୀ ହୋଇ ପ୍ରଥମ ମେୟର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦୦୪ରେ ବିଧାୟିକା କାର୍ଯ୍ୟ ପୂରଣ ପରେ ନିବେଦିତା ମେୟର ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ୨୦୦୯ ପର୍ଯ୍ୟନ୍ତ ସେ ମେୟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ସହରର ବହୁ ବିକାଶମୂଳକ କାର୍ଯ୍ୟ ସଂପାଦିତ ହୋଇଛି। ୨୦୦୯ ପରେ ସେ ନିର୍ବାଚନ ଲଢ଼ି ନଥିଲେ ମଧ୍ୟ ବିଜେପି ସଂଗଠନ ସହ ସଂପୃକ୍ତି ଥିଲେ। ରାଜନୀତି ସହ ୧୯୯୬ରୁ ସେ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଥିଲେ। ଏହା ସହିତ ତାଙ୍କ ନିଜସ୍ବ ବ୍ୟବସାୟ ମଧ୍ୟ ରହିଥିଲା। ବାପାଙ୍କ ଦେହାନ୍ତ ପରେ ‌‌ସେ ନିଜ ଭଉଣୀମାନଙ୍କ ବାହାଘର, ଘର ଦାୟିତ୍ବ ନିଜ କାନ୍ଧରେ ବୋହିଥିଲେ। ଜଣେ ତ୍ୟାଗଦୀପ୍ତ ନେତ୍ରୀ, ସମାଜସେବୀ ଭାବେ ତାଙ୍କ ପଦଚିହ୍ନ ଅନ୍ୟମାନଙ୍କ ପାଇଁ ଉଦାହରଣ। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସମୀର ଦେ ଗଭୀର ଶୋକପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।