ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ହକି ରାଜନୀତି: ବବିଙ୍କ ବୈଠକକୁ ଚିଠି କରି ଡାକିଲେ ପ୍ରଭାତ

କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବି‌ଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର ପ୍ରତିନିଧିଙ୍କୁ ଆଜି ଓସିଏରେ ଆୟୋଜିତ ବୈଠକରେ ଦେଖିବାକୁ ମିଳି ନାହିଁ। ଏମିତିକି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଂସଦ ଭର୍ତ୍ତୃହରି ମହତାବ ବି ଏହି ବୈଠକରେ ଯୋଗ ଦେଇ ନାହାନ୍ତି। ଏହି ବୈଠକକୁ ଯେଉଁଭଳି ଢଙ୍ଗରେ ଡକା ଯାଇଛି, ସେଥିପାଇଁ ବିଭିନ୍ନ ଦଳର ନେତୃବୃନ୍ଦ ଏଥିରୁ ଦୂରେଇ ରହିଥିବା କୁହାଯାଉଛି।

ଆୟୋଜନ ହେଉଛି ହକିର କାର୍ଯ୍ୟକ୍ରମ। କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ତଥା ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ବୈଠକରେ ଉପସ୍ଥିତ ରହି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ‌ବୋଲି ଉଲ୍ଲେଖ କରି ବୈଠକକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରିଛନ୍ତି କଟକ ମହାନଗର ପୂଜା କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ସରକାର ଅଥବା ପ୍ରଶାସନ ପକ୍ଷରୁ ଏଭଳି ଏକ ବୈଠକ ହୁଏତ ଡକା ଯାଇ ପାରିଥାନ୍ତା, ବବିଙ୍କ ବୈଠକ ପାଇଁ ପ୍ରଭାତ କାହିଁକି ଚିଠି ଲେଖୁଛନ୍ତି ବୋଲି କେତେକ ବରିଷ୍ଠ ନେତା ମତ ଦେଇଛନ୍ତି। କିନ୍ତୁ କଟକରେ ଏଭଳି ଏକ କାର୍ଯ୍ୟକ୍ରମରେ କୌଣସି ବିବାଦ ସୃଷ୍ଟି ନ କରି ସେଥିରୁ ବରଂ ଦୂରେଇ ରହିବା ଭଲ ବୋଲି ସେମାନେ ମତ ଦେଇଛନ୍ତି। ଓସିଏ ସମ୍ମିଳନୀ କକ୍ଷରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକକୁ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ କଟକର ଶାନ୍ତି କମିଟି ଓ ପୂଜା କମିଟିର କର୍ମକର୍ତ୍ତାଙ୍କୁ ବି ଡକା ଯାଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା। ମେୟର ସୁବାସ ସିଂହଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଣବ ପ୍ରକାଶ ଦାସ (ବବି), ପ୍ରଭାତ ତ୍ରିପାଠୀଙ୍କ ସହିତ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ରଂଜନ ବିଶ୍ବାଳ, ଓସିଏ ସଂପାଦକ ‌ସଂଜୟ ବେହେରା, ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଆଶୀର୍ବାଦ ବେହେରା, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ଓ ସାଧାରଣ ସଂପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ସିପିଏମ୍‌ ନେତା ଅମରେନ୍ଦୁ ମହାନ୍ତି ଯୋଗ ଦେଇଥିଲେ।

ବୈଠକରେ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ବୀରାଜ ସାହୁ ପ୍ରଶାସନ ପକ୍ଷରୁ ସହରରେ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ କଟକ ମୁରବିଙ୍କୁ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ। କ୍ରୀଡ଼ା ଆୟୋଜନ କାର୍ଯ୍ୟକ୍ରମରେ ସହରର ମୁରବିଙ୍କୁ ଯୋଡ଼ିଲେ ସେମାନେ ପାସ୍‌ ପରି ବିଭିନ୍ନ ସୁବିଧା ମାଗିବେ। ଏଣୁ ମୁରବିମାନେ କ୍ରୀଡ଼ା କାର୍ଯ୍ୟକ୍ରମ‌ରେ ହସ୍ତକ୍ଷେପ କରିବା ଉଚିତ ହେବ ନାହିଁ ବୋଲି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସଭାରେ କହିଥିଲେ। ଏହାକୁ କିନ୍ତୁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିରୋଧ କରି କଟକର ମୁରବି କେବେ କାହାରିକୁ ଟିକେଟ କିମ୍ବା ପାସ୍‌ ମାଗି ନାହାନ୍ତି। କଟକର ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବାକୁ ମୁରବିଙ୍କ ପକ୍ଷରୁ ବୈଠକରେ ପ୍ରସ୍ତାବ ରଖାଯାଇଛି। ସେମାନେ ଖେଳ ପାସ ପାଇଁ କାହା ଆଗରେ ହାତ ପାତି ନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ ସଭାରେ କ୍ଷୋଭର ସହ କହିଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ଓସିଏ ସଭାପତି ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ କ୍ଷେତ୍ରରେ ମୁରବିଙ୍କୁ ଗୁରୁତ୍ବ ଦିଆଯାଉଛି, ସହରର ମୁରବିଙ୍କ ବଷୟରେ ଏପରି କହିବା ଠିକ ହେବ ନାହିଁ ବୋଲି କହିଥିଲେ।

ଅନ୍ୟପଟେ ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉ ଥିବା ବେଳେ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ‌ ‌ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଉଦ୍‌ଘାଟନୀ ଉତ୍ସବକୁ ଇଣ୍ଡୋନେସିଆର ଯୁବରାଜ ଓ ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ କରିବା, ଉତ୍ସବରେ ଯୋଗ ଦେବାକୁ ଆସୁଥିବା ଅତିଥି ଓ ହକି ଖେଳାଳିଙ୍କୁ କଟକର ତାରକସୀ କାମର ଉପହାର ଦେବା, ହକି ଉଦ୍‌ଘାଟନୀ ଉତ୍ସବ ଓ ଖେଳ ବିଭିନ୍ନ ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ବେଳେ ସବୁ ସ୍ଥାନରେ ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟକୁ ନେଇ ପ୍ରଦର୍ଶନୀ ଆୟୋଜନ କରିବା, ୱାର୍ଡସ୍ତରରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଖେଳାଳିଙ୍କୁ ଉଦ୍‌ଘାଟନୀ ଉତ୍ସବର ପାସ୍‌ ଦେବାକୁ ପ୍ରସ୍ତାବ ଦିଆଯାଇଛି। ‌ଅନ୍ୟମାନଙ୍କ ମଧ୍ୟରେ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ଆଇନଜୀବୀ ବିଜୟ ଦାଶ, ଦେବେନ୍ଦ୍ର କାହାଳୀ, ଦେବାଶିଷ ରାୟ‌, ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂହ, ପ୍ରଦୀପ କୁମାର ସିହ୍ନା, ନିରଂଜନ ସାହୁ(ଶିବ), ଡକ୍ଟର ଦ୍ବୀପାୟନ ପଟ୍ଟନାୟକ, ରମେଶଚନ୍ଦ୍ର ବେହେରାଙ୍କ ସହିତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।