ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ କିଏ ଧରିବ ବିଜେପି ମଙ୍ଗ?

କଟକ: ବାରବାଟୀ-କଟକ ଓ ଚୌଦ୍ବାର-କଟକ ଆସନରେ ବିଜେପିର କିଏ ନେତୃତ୍ବ ନେବ? ନିର୍ବାଚନ ପାଖେଇ ଆସିବା ସହିତ ଦଳ ଭିତରେ ଓ ବାହାରେ ଏହି ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ପୂର୍ବତନ ମନ୍ତ୍ରୀ ସମୀର ଦେ କଟକ ସହର ଆସନରୁ ଲଗାତାର ୩ଥର ବିଜୟୀ ହୋଇଥିଲେ ଓ ଏକାଧିକ ଥର ମନ୍ତ୍ରୀ ବି। ଏଣୁ କଟକ ବିଜେପିର ସେ ଥିଲେ ସବୁଠୁ ପ୍ରଭାବଶାଳୀ ଚେହେରା। ସେବେ ଦଳ ମେୟର ପଦ ବି କବ୍‌ଜା କରିଥିଲା। ହେଲେ ୨୦୦୯ ନିର୍ବାଚନ ପରଠାରୁ ଚିତ୍ର ବଦଳିଯାଇଛି। ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ପରେ ଚୌଦ୍ବାର-କଟକ ଓ ବାରବାଟୀ-କଟକ ଆସନରୁ ବିଜେପି ବିଜୟୀ ହୋଇପାରି ନାହିଁ। ବିଶେଷ କସରତ ନ ହେଲେ, ଦଳ ଲଢ଼େଇକୁ ଆସିବା କଷ୍ଟସାଧ୍ୟ ହୋଇପାରେ।

ଅନ୍ୟପଟେ ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟା ସୃଷ୍ଟି କଲାଣି। ୨୦୧୯ ନିର୍ବାଚନରେ ବାରବାଟୀ-କଟକ ଆସନରୁ ଲଢ଼ି ଶ୍ରୀ ଦେ ତୃତୀୟ ସ୍ଥାନରେ ରହିଥିଲେ। ସେହି ନିର୍ବାଚନରେ ଚୌଦ୍ବାର-କଟକ ଆସନରୁ ଲଢ଼ିଥିବା ବରିଷ୍ଠ ନେତା ନୟନ ମହାନ୍ତି ଦ୍ବିତୀୟ ସ୍ଥାନରେ ଥିଲେ। ଏଥର ଉଭୟ ନେତା ଆଶା ରଖିଛନ୍ତି, ଦଳ ଟିକେଟ୍‌ ଦେଲେ ସେମାନେ ଲଢ଼ିବେ। ଏଣୁ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିଛନ୍ତି। ହେଲେ ଲଗାତାର ତିନି ଥର ପରାଜୟ ପରେ ନୂଆ ଚେହେରା ସାମ୍‌ନାକୁ ଆଣିବା ଲାଗି ଦଳ ଭିତରୁ ନେତୃତ୍ବ ଉପରେ ଚାପ ବଢ଼ିଲାଣି। କିନ୍ତୁ ଉଭୟ ଆସନରେ ଲୋକପ୍ରିୟ ଚେହେରାଟି କିଏ? ସେ ଉତ୍ତର କାହା ପାଖରେ ନାହିଁ। ଇତିମଧ୍ୟରେ ଲୋକପ୍ରିୟ ତଥା ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି। ସେ କଟକ ଲୋକସଭା ଆସନ ପାଇଁ ଲଢ଼ିବେ ନା ବାରବାଟୀ-କଟକ ବିଧାନସଭାର ପ୍ରାର୍ଥୀ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁ ନାହିଁ। ଦ୍ବନ୍ଦ୍ବ ବଢ଼ିବାର କାରଣ ହେଉଛି, କେନ୍ଦ୍ର ରେଳ ମନ୍ତ୍ରୀ ତଥା କଟକର ପୂର୍ବତନ ଜିଲ୍ଲାପାଳ ଅଶ୍ବିନୀ ବୈଷ୍ଣବ ଘନ ଘନ ଗସ୍ତ କରିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସଂପର୍କ ବଢ଼ାଉଛନ୍ତି।

ଉଲ୍ଲେଖଥାଉକି,ବାରବାଟୀ-କଟକରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଦଳର ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, କର୍ପୋରେଟର ଗଗନ ଓଝା, ବ୍ୟାଙ୍କ କର୍ମଚାରୀ ସଂଘ ନେତା ଦୁର୍ଯ୍ୟୋଧନ ଲେଙ୍କା, ବରିଷ୍ଠ ଆଇନଜୀବୀ ସୌର ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷା କଳ୍ପନା ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଗୀତା ଦାସ ଆଖେଇଛନ୍ତି। ଏମାନଙ୍କ ବ୍ୟତୀତ ମେୟର ପ୍ରାର୍ଥୀ ତଥା ଅଭିନେତା ଶ୍ରୀତମ ଦାସଙ୍କ ନାମ ବି ଏହି ତାଲିକାରେ ରହିଛି। ଏବେ ପୁଣି ବିଜେଡିରେ ଥିବା ଅଭିନେତା ଅରିନ୍ଦମ ରଏଙ୍କ ନାମ ବିଜେପି ଶିବିରରେ ଚର୍ଚ୍ଚା ହେଲାଣି। ଅରିନ୍ଦମ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ରମ କରୁଛନ୍ତି। ସେ ଅଶ୍ବିନୀ ବୈଷ୍ଣବ ଓ କଟକ ଜିଲ୍ଲା ବିଜେପି ସଭାପତି ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ଭେଟିବା ଏହି ଆଲୋଚନାକୁ ବଳ ଦେଇଛି। ଅନ୍ୟପକ୍ଷରେ ଚୌଦ୍ବାର-କଟକ ଆସନରୁ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି ପ୍ରମୋଦ ସାହୁ। କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ସନ୍ତୋଷ ମହାନ୍ତିଙ୍କ ନାମ ବି ଆଶାୟୀ ତାଲିକାରେ ରହିଛି। ଗତ ୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିଖରପୁର କାଳିଆବୋଦା ଗସ୍ତ ସମୟରେ ଯୁବ ନେତା ଶୁଭେନ୍ଦୁ ମହାନ୍ତିଙ୍କ ନାମ ଏଥିରେ ଯୋଡ଼ି ହୋଇ ଯାଇଛି। ମାହାଙ୍ଗା ଅଞ୍ଚଳର ବିଜେପି ନେତା ଶାରଦା ପ୍ରଧାନଙ୍କ ସହ ଶୁଭେନ୍ଦୁ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ‌ ଏକାଠି ହେଉଥିଲେ। ଏମାନଙ୍କ ବ୍ୟତୀତ ସିକନ୍ଦର ଅଲ୍ଲୀ, ଆଡ‌ଭୋକେଟ୍ ଶର୍ମିଷ୍ଠା ପ୍ରିୟଦର୍ଶିନୀଙ୍କୁ ନେଇ ବି ଆଲୋଚନା ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।