କଟକ : କଟକରେ କାଠଯୋଡ଼ି ନଦୀ ପଠାରେ ଦୁଇବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଜଣେ ନାବାଳକ। ୧୭ ବର୍ଷୀୟ ଏହି ନାବାଳକ ଗଲା କାଲି ଶିଶୁ କନ୍ୟାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁକରି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ପରେ ତାକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରାୟ ୧୧ଟା ବେଳେ କାଠଯୋଡ଼ି ନଦୀକୂଳରେ ଏକ ବସ୍ତିରେ ଦିନ ମଜୁରିଆ ବାପାମା’ ବାହାରକୁ କାମ କରିବାକୁ ଯାଇଥିଲେ। ଏହିସମୟରେ ବସ୍ତିରେ ତାଙ୍କର ଦୁଇବର୍ଷର ଶିଶୁ କନ୍ୟା ଖେଳୁଥିଲା। ସେହି ବସ୍ତିର ଜଣେ ୧୭ ବର୍ଷୀୟ ନାବାଳକ ହଠାତ୍ ପହଞ୍ଚି ଶିଶୁ କନ୍ୟାକୁ ଟେକି ନେଇଥିଲା। ଏହି ବସ୍ତିଟି ନିଛାଟିଆ ସ୍ଥାନରେ ହୋଇଥିବାରୁ ଏକୁଟିଆ ପାଇ ସେ ଶିଶୁ କନ୍ୟା ସହିତ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମର୍କତନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁ କରିଥିବା ସୂଚନା ମିଳିଛି।