ଦେଶ ବିଦେଶ

କଂଗ୍ରେସ ବିଧାୟକଙ୍କ ବିଦ୍ରୋହ: ହିମାଚଳରେ ହଲ୍‌ଚଲ୍‌

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ହରାଇବ‌ା ପରେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି। ୬ ଜଣ ଦଳୀୟ ବିଧାୟକ ବିଦ୍ରୋହ କରି ଗତକାଲି ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦେବାରୁ ଏପରି ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସଙ୍କଟ ଯୋଗୁଁ କଂଗ୍ରେସ ସରକାର ପ୍ରତି ବିପଦ ଦେଖାଦେବାରୁ ଏହାକୁ ଟାଳିବା ଲାଗି ଗତରାତିରୁ ଦଳୀୟ ହାଇକମାଣ୍ଡ ଲାଗି ପଡ଼ିଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶିବ କୁମାର, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ସାମିଲ ହୋଇଛନ୍ତି। ଏଭଳି ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଅାଣିବା ଲାଗି ବିରୋଧୀ ଦଳ ବିଜେପି ଯୋଜନା କରିଥିଲା। କିନ୍ତୁ ସ୍ବତନ୍ତ୍ର ରଣନୀତି ଦ୍ବାରା ଏହାକୁ ବ୍ୟର୍ଥ କରିଦେଇଛନ୍ତି ସରକାର। ବଜେଟ ଅନୁମୋଦନ ବେଳେ ଅସୁବିଧାର ଆଶଙ୍କା କରି ବାଚସ୍ପତି ହଟ୍ଟଗୋଳ କରୁଥିବା ବିଜେପିର ୧୫ ଜଣ ବିଧାୟକଙ୍କୁ ଗୃହରୁ ବହିଷ୍କାର କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ବଜେଟ ଗୃହର ଅନୁମୋଦନ ଲାଭ କରିଥିଲା। ବଜେଟ୍ ପାରିତ ହେବାପରେ ରାଜ୍ୟ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଏହାସହିତ ବର୍ତ୍ତମାନ ପାଇଁ କଂଗ୍ରେସ ସରକାର ଉପରୁ ସଙ୍କଟ ଟଳିଯାଇଛି। ଆସନ୍ତା ୩ ମାସ ପର୍ଯ୍ୟନ୍ତ କୌଣସି ବିପଦ ନ ଥିବାରୁ ସୁଖୁ ସରକାର ଆଶ୍ବସ୍ତ ହୋଇଛନ୍ତି।

ଆଜି ବିଧାନସଭା ବୈଠକ ଆରମ୍ଭ ହେବାମ‌ାତ୍ରେ ବିଜେପି ବିଧ‌ାୟକମାନେ ସରକାର ବିରୋଧରେ ନାରାବାଜି କରିବା ସହିତ ଗୃହମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। ତାଗିତ ସତ୍ତ୍ବେ ସେମାନେ ନିଜ ଆସନକୁ ନ ଯିବାରୁ ବାଚସ୍ପତି କୁଳଦୀପ ସିଂହ ପଠାନିଆ ସେମାନଙ୍କୁ ବହିଷ୍କାର କରିଥିଲେ। ଫଳରେ ଅନାସ୍ଥା ପ୍ରସ୍ତାବ ପାଇଁ ବିରୋଧୀ ଦଳର ଯୋଜନା ବିଫଳ ହୋଇଯାଇଥିଲା। ବିଧାନସଭା ବୈଠକ ପୂର୍ବରୁ ବିରୋଧୀ ଦଳର ନେତା ଜୟରାମ ଠାକୁର ଦଳୀୟ ବିଧାୟକଙ୍କ ସହ ଆଜି ରାଜଭବନରେ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସୁଖୁ ଜନାଦେଶ ହରାଇଥିବା କହି ଶକ୍ତି ପରୀକ୍ଷା ପାଇଁ ଦାବି କରିଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ଜୟରାମ ଠାକୁର ଗଣମାଧ୍ୟମକୁ କହିଥିଲ, ବର୍ତ୍ତମାନ କଂଗ୍ରେସ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି। ତେବେ ଏହି ଯୋଜନା ବିଫଳ ହେବାପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ବିଚାର କରାଯାଉଥିବା ସେ କହିଛନ୍ତି।

ବିଧାନସଭାରେ ହଟ୍ଟଗୋଳ
୧୫ ବିଜେପି ବିଧାୟକ ବହିଷ୍କୃତ
ପାରିତ ହେଲା ବଜେଟ୍‌
ଇସ୍ତଫା ପ୍ରତ୍ୟାହାର କଲେ ମନ୍ତ୍ରୀ

ସୂଚନାଯୋଗ୍ୟ ଯେ ୬୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସର ୪୦ ଜଣ ସଭ୍ୟ ଥିବା ବେଳେ ବିଜେପିର ୨୫ ସଭ୍ୟ ଅଛନ୍ତି। ତିନି ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଗତକାଲି ଗୋଟିଏ ମାତ୍ର ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହାରିଯାଇଥିଲେ। କଂଗ୍ରେସର ୬ ଜଣ ବିଧାୟକ ବିଦ୍ରୋହ କରି ବିଜେପିକୁ ଭୋଟ ଦେଇଥିଲେ। ଏହି ଘଟଣା ପରେ କଂଗ୍ରେସ ସରକାର ପ୍ରତି ବିପଦ ବଢ଼ିଯାଇଥିଲା। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଆଜି ସକାଳୁ ଜୋରଦାର ଚର୍ଚ୍ଚା ଚାଲିଥିଲା। ତେବେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ। ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ଦଳର ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ କଂଗ୍ରେସ ପ୍ରସ୍ତାବ ଆଣିଛି ବୋଲି ସେ କହିଥିଲେ। ରାଜନୈତିକ ସଙ୍କଟ ଭିତରେ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରୁ ହଠାତ୍‌ ଇସ୍ତଫା ଦେଇଥିଲେ ଶକ୍ତିଶାଳୀ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ। ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ। ବିକ୍ରମାଦିତ୍ୟ ଅଭିଯୋଗ କରିଥିଲେ ଯେ ଦଳୀୟ ବିଧାୟକଙ୍କ ମତକୁ ଅଣଦେଖା କରାଯାଉଛି। ତାଙ୍କର ସ୍ବର୍ଗତ ପିତା ଯିଏ ୬ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ପ୍ରତି କଂଗ୍ରେସର ସାମାନ୍ୟତମ ସମ୍ମାନ ନାହିଁ। ତାଙ୍କର ଏଭଳି ବିଦ୍ରୋହକୁ ନେଇ କଂଗ୍ରେସର ମୁଣ୍ଡବିନ୍ଧା ବଢ଼ିଯାଇଥିଲା। ତେବେ ସନ୍ଧ୍ୟା ବେଳେ ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେ କହିଛନ୍ତି ଯେ ଦଳର ବୃହତ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ସମସ୍ତଙ୍କୁ ଏକଜୁଟ୍ ହୋଇ କାମ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ମିଳିଥିବା ଖବର ଅନୁଯାୟୀ ସଙ୍କଟ ଟାଳିବା ଲାଗି ପ୍ରିୟଙ୍କା ଗାନ୍ଧୀ ଗତକାଲିଠାରୁ ବିକ୍ରମାଦିତ୍ୟ ସିଂହଙ୍କ ସମେତ ଅନେକ ବିଧାୟକଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ ୬ ଜଣ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଜଣେ ତାଙ୍କୁ କ୍ଷମା କରିବାକୁ ଅନୁରୋଧ କରିଛନ୍ତି। ବିକ୍ରମାଦିତ୍ୟ ସିଂହଙ୍କ ମନ୍ତ୍ରିପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ସୁଖୁ କହିଛନ୍ତି, ତାଙ୍କ ଇସ୍ତଫା ଗ୍ରହଣ କରିବାର କୌଣସି କାରଣ ନାହିଁ। ତାଙ୍କର କିଛି ଅଭିଯୋଗ ଅଛି ଯାହାର ସମାଧାନ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ