ରାଜ୍ୟ ସ୍ପେଶାଲ ରିପୋର୍ଟ

ଓସିପିଏଲ୍ କର୍ତ୍ତୃପକ୍ଷଙ୍କ ମୁନାଫା ନିଶା: ଓପିଜିସିର କ୍ଷତି ୧୨୭.୩୩ କୋଟି

ଭୁବନେଶ୍ବର: ଆମେରିକୀୟ କମ୍ପାନି ଏଇଏସ୍‌ର ଅଂଶଧନ (୪୯%) ପ୍ରତ୍ୟାହୃତ ପରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଏବେ ଶତ ପ୍ରତିଶତ ସରକାରୀ ସଂସ୍ଥା। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ମନୋହରପୁର କୋଇଲା ଖଣି ପରିଚାଳନା ନାମରେ ଓପିଜିସିକୁ ଅଯଥାରେ ବ୍ୟାପକ କ୍ଷତି ବୋଝ ଦେଇ ଆସୁଥିବା ଓସିପିଏଲ୍ ଆଉ କାର୍ଯ୍ୟକ୍ଷମ ରହିବ କାହିଁକି? ଏହାର ଯଥାର୍ଥତାକୁ ନେଇ ଅର୍ଥନୀତିଜ୍ଞ ଓ ବିଦ୍ୟୁତ ସମୀକ୍ଷକମାନେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ସରକାର ଏ ଯାଏ ନିରବ। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ତର୍ଜମା ଜୋର ଧରିଥିବା ବେ​ଳେ ଏବେ ଆଉ ଏକ ସାଂଘାତିକ ପ୍ରସଙ୍ଗ ସାମ୍ନାକୁ ଆସିଛି। ଓସିପିଏଲ୍ କର୍ତ୍ତୃପକ୍ଷଙ୍କ କୋଇଲା ବିକ୍ରି କେଳେଙ୍କାରୀ ଯୋଗୁଁ ଓପିଜିସି ଗୋଟିଏ ବର୍ଷରେ ୧୨୭ କୋଟି ୩୩ ଲକ୍ଷ ଟଙ୍କାର ଅଯଥା କ୍ଷତି ମୁଣ୍ଡାଇଛି।

ତଥ୍ୟ ଅନୁସାରେ, ଓପିଜିସିର ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ଅଧିକ ୨୬୪୦ ମେଗାୱାଟ୍ ବୃଦ୍ଧି କରିବା ଲକ୍ଷ୍ୟରେ ନିର୍ମାଣାଧୀନ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ବିଦ୍ୟୁତ କେନ୍ଦ୍ରର କଞ୍ଚାମାଲ ଆବଶ୍ୟକତା ପୂରଣ ନିମନ୍ତେ ସ୍ବତନ୍ତ୍ର ଆଇନ ବଳରେ କେନ୍ଦ୍ର ସରକାର ୨୦୧୫ରେ ମନୋହରପୁର କୋଇଲା ଖଣି ମଞ୍ଜୁର କରିଥିଲେ। ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ରାଜ୍ୟ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ମନୋହରପୁର ଅନ୍ତର୍ଗତ କୋଇଲା ଖଣି ଅଞ୍ଚଳରେ ବର୍ଜ୍ୟ ଗଦା (ଓଭର୍ ବର୍ଡ଼ନ୍) ଯଥେଷ୍ଟ କମ୍ ଓ ସେଠାରେ କୋଇଲାର ମାନ ଜି-୧୪ରୁ ଆଦୌ କମ୍ ନୁହେଁ। ଏପରିକି ସେହି ଉପତ୍ୟକାରୁ କୋଇଲା ଉତ୍ତୋଳନ କରୁଥିବା କେନ୍ଦ୍ରୀୟ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡସ୍ (ଏମ୍ସିଏଲ୍)ର ବାର୍ଷିକ ଉତ୍ପାଦନ ରିପୋର୍ଟକୁ ଦେଖିଲେ ସ୍ପଷ୍ଟ ଜଣାଯାଏ ଯେ ଏହି ସଂସ୍ଥା ଥରେ-ଦୁଇଥର ନଗଣ୍ୟ ପରିମାଣର ଜି-୧୫ ଗ୍ରେଡ୍ କୋଇଲା ଉତ୍ତୋଳନ କରିଥିବା ବେଳେ ଏହାର ସିଂହଭାଗ ଜି-୧୪ ଗ୍ରେଡ୍ ଉପରେ। ହେଲେ ଏସବୁ ବାସ୍ତବତାକୁ ଏଡ଼ାଇ ଓସିପିଏଲ୍‌ର ପ୍ରଭାବଶାଳୀ କର୍ତ୍ତୃପକ୍ଷ କିଛି କୋଇଲାକୁ ଜି-୧୭ ଗ୍ରେଡ୍ ଦର୍ଶାଇ ସେଥିରୁ ୭ ଲକ୍ଷ ୫୦ ହଜାର ଟନ୍ ଘରୋଇ କମ୍ପାନିଙ୍କୁ ଖୁବ୍ କମ୍ ଦରରେ ନିଲାମ କରିଦେଇଛନ୍ତି। ଏହାଦ୍ବାରା ଓପିଜିସିକୁ ୧୨୭.୩୩ କୋଟି ଟଙ୍କା କ୍ଷତି ପହଞ୍ଚିଛି।

ଘରୋଇ ସଂସ୍ଥାଙ୍କ ସ୍ବାର୍ଥ ପାଇଁ କୋଇଲା ମାନରେ ହେରଫେର
ଶସ୍ତାରେ ଟେକିଦେଲେ ୭.୫ ଲକ୍ଷ ଟନ୍ ଓପିଜିସି କୋଇଲା
ସନ୍ଦେହଘେରରେ ଖଣି ନିର୍ଦ୍ଦେଶକଙ୍କ ଢାଲ

‘ସମ୍ବାଦ’ ହାତରେ ଲାଗିଥିବା କର୍ତ୍ତୃପକ୍ଷଙ୍କ ଏଭଳି ଚଞ୍ଚକତାର କେତେକ ଖିଅ ପ୍ରଣିଧାନସାପେକ୍ଷ। ହସ୍ତଗତ ଦଲିଲ୍ ଅନୁସାରେ, ମନୋହରପୁର ଖଣିରୁ ଉତ୍ତୋଳିତ କୋଇଲାରୁ ଆଖିଦୃଶିଆ ପରିମାଣକୁ ଗ୍ରେଡ୍ ଅବମୂଲ୍ୟାୟନ କରି ଘରୋଇ କମ୍ପାନିଙ୍କୁ ଶସ୍ତାରେ ଟେକିଦେବାକୁ ମନ୍ଦ ଉଦ୍ଦେଶ୍ୟ ଆରମ୍ଭ ହୋଇଥିଲା ୨୦୨୨ ଏପ୍ରିଲ ୯ରେ। ସେହି ତାରିଖରେ ଗ୍ରେଡ୍-୧୭ ଦର୍ଶାଯାଇ ୩ ଲକ୍ଷ ଟନ୍ ଓ ପରବର୍ତ୍ତୀ ମେ’ ମାସ ୨୨ରେ ଆଉ ୩ ଲକ୍ଷ ଟନ୍ କୋଇଲା ଘରୋଇ ସଂସ୍ଥାଙ୍କ ପାଇଁ ନିଲାମ କରିଥିଲା ଓସିପିଏଲ୍। ଘରୋଇ କମ୍ପାନିଙ୍କୁ ଏଭଳି ଅନୁଚିତ ଫାଇଦା ଦେବା ଲାଗି ଜି-୧୪କୁ ଜି-୧୭ ଗ୍ରେଡ୍ ଦର୍ଶାଇ ଶସ୍ତାରେ ନିଲାମ କରାଯାଇଥିବାରୁ ଉଭୟ କାରବାରରେ ଯଥାକ୍ରମେ ୪୩.୬୫ କୋଟି ଓ ୪୨.୭୮ କୋଟି ଟଙ୍କା କ୍ଷତି ହୋଇଥିଲା। ସେତେବେଳେ ଜି-୧୪ କୋଇଲା ଦର ଟନ୍ ପିଛା ୬୩୮୭ ଟଙ୍କା ଓ ୬୩୫୮ ଟଙ୍କା ଥିବା ବେଳେ ଓସିପିଏଲ୍‌ର ପ୍ରଭାବଶାଳୀ କର୍ତ୍ତୃପକ୍ଷ ତାହାକୁ ୪୯୩୨ ଟଙ୍କା ଦରରେ ନିଲାମ ଚୂଡ଼ାନ୍ତ କରିବାରୁ ଉପରୋକ୍ତ ଅଯଥା କ୍ଷତି ଓପିଜିସି ମୁଣ୍ଡାଇଥିବା ହିସାବରୁ ସ୍ପଷ୍ଟ। ସମ୍ଭବତଃ ଏଭଳି ଚଞ୍ଚକତା ସମ୍ପର୍କରେ କିଛି ମହଲରୁ କଳ୍ପନାଜଳ୍ପନା ପ୍ରକାଶ ପାଇବାରୁ ଓସିପିଏଲ୍ କର୍ତ୍ତୃପକ୍ଷ ଆତ୍ମରକ୍ଷା ପାଇଁ ଖଣି ନିର୍ଦ୍ଦେଶକଙ୍କୁ ଢ଼ାଲ କରିବାରେ ସକ୍ଷମ ହୋଇଥିଲେ। ବିକ୍ରିଯୋଗ୍ୟ ବଳକା କୋଇଲାର ଗ୍ରେଡ୍ ଅବମୂଲ୍ୟାୟନ କାରସାଦି ପାଇଁ ପୂର୍ବରୁ ଖଣି ନିର୍ଦ୍ଦେଶକଙ୍କ ଠାରୁ ରାସାୟନିକ ବିଶ୍ଳେଷଣ ରିପୋର୍ଟ ଆବଶ୍ୟକ କରିନଥିବା ଓସିପିଏଲ୍ କର୍ତ୍ତୃପକ୍ଷ ଦୁଇ ଥରରେ ୬ ଲକ୍ଷ ଟନ୍ କୋଇଲା ନିଲାମ କରିବା ପରେ ଖଣି ନିର୍ଦ୍ଦେଶାଳୟର ଶରଣ ନେଇଥିଲେ। ଶେଷରେ ଖଣି ନିର୍ଦ୍ଦେଶକ ତଥାକଥିତ ସଫେଇ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ଯେ ନିର୍ଦ୍ଦିଷ୍ଟ ବଳକା ଗଦା କୋଇଲାର ରାସାୟନିକ ବିଶ୍ଳେଷଣ ପରେ ତାହା ଜି-୧୭ ଗ୍ରେଡ୍ ବୋଲି ଜଣାପଡ଼ିଛି। ଏହି ବିଶ୍ଳେଷଣ ରିପୋର୍ଟ କେବଳ ବଳକା କୋଇଲା ବିକ୍ରି ପାଇଁ ଉର୍ଦ୍ଦିଷ୍ଟ।

ପୁନଶ୍ଚ ସେହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା ଯେ ମନୋହରପୁର ଖଣି କୋଇଲା (ଅର୍ଥାତ୍ ଜି-୧୪ ଗ୍ରେଡ୍) ପାଇଁ ୨୦୨୦ ନଭେମ୍ବର ୨୭ରେ ବିଜ୍ଞପିତ ଦର ହିସାବରେ ରୟାଲ୍‌ଟିି ଅସୁଲ କରାଯିବ। ସୁତରାଂ ଖଣି ନିର୍ଦ୍ଦେଶକଙ୍କ ଦ୍ବିଅର୍ଥବୋଧକ ନିର୍ଦ୍ଦେଶନାମା ଓ ତଥାକଥିତ ବଳକା କୋଇଲା ଗଦାର ରାସାୟନିକ ବିଶ୍ଳେଷଣର ନିରପେକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। କାରଣ ମନୋହରପୁର ଉପତ୍ୟକାରେ ଗଚ୍ଛିତ କୋଇଲାର ମାନକୁ ନେଇ ଏକ ପକ୍ଷରେ କେନ୍ଦ୍ର ଓ ରାଜ୍ୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପୂର୍ବରୁ ଦେଇଥିବା ରିପୋର୍ଟ, ଅନ୍ୟ ପକ୍ଷରେ ସେହି ଅଞ୍ଚଳରେ ଏମ୍‌ସିଏଲ୍ ଦ୍ବାରା ଉତ୍ତୋଳିତ କୋଇଲାର ବାର୍ଷିକ ରିପୋର୍ଟରେ କେବେ ବି ଜି-୧୭ ଗ୍ରେଡ୍ କୋଇଲା ବାହାରି ନାହିଁ। ଏହା ସତ୍ତ୍ବେ ଖଣି ନିର୍ଦ୍ଦେଶାଳୟରୁ ହାସଲ ତଥାକଥିତ ଢ଼ାଲକୁ ଆୟୁଧ କରି ଓସିପିଏଲ୍ କର୍ତ୍ତୃପକ୍ଷ ପୂର୍ବ ପରି ଜି-୧୭ ଗ୍ରେଡ୍ ଦରରେ ୨୦୨୨ ଜୁନ ଓ ଅକ୍ଟୋବରରେ ଓ ୨୦୨୩ ଜାନୁଆରିରେ ୫୦ ହଜାର ଟନ୍ ଲେଖାଏଁ ଆଉ ଦେଢ଼ ଲକ୍ଷ ଟନ୍ କୋଇଲା ଘରୋଇ ସଂସ୍ଥାଙ୍କ ପାଇଁ ନିଲାମ କରିଥିଲେ। ମୋଟାମୋଟି ଭାବେ ୨୦୨୨-୨୩ ବର୍ଷରେ ଗ୍ରେଡ୍ ଅବମୂଲ୍ୟାୟନ କରି ୭.୫୦ ଲକ୍ଷ ଟନ୍ କୋଇଲା ଘରୋଇ କମ୍ପାନିଙ୍କୁ ଟେକିଦେବା ଲାଗି ହୋଇଥିବା ଚଞ୍ଚକତା ଯୋଗୁଁ ଓପିଜିସିର ୧୨୭ କୋଟି ୩୩ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହେବା ଘଟଣାକୁ ଆଦୌ ହାଲୁକା ଭାବେ ନିଆଯାଇ ନପାରେ। ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଉପରୋକ୍ତ ବୈଷୟିକ ଓ ଆର୍ଥିକ ହେରଫେରର ଉଚ୍ଚସ୍ତରୀୟ ଅନୁସନ୍ଧାନ ପୂର୍ବକ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସରକାର କାହିଁକି ନିରବ ବସିଛନ୍ତି?

ସ୍ମରଣଥାଉକି, ସେ ସମୟରେ ଆଇନଗତ ବାଧ୍ୟ ବାଧକତା ଥିଲା; ଏଣୁ ରାଜ୍ୟ ସରକାର ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିଃ (ଓସିପିଏଲ) ଗଠନ କରିଥିଲେ। ସେତେବେଳେ ଲକ୍ଷ୍ୟ ଥିଲା ରାଜ୍ୟର ନିଜସ୍ବ ଶକ୍ତି ଉତ୍ପାଦନ ନିଗମ (ଓପିଜିସି)ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ବିଦ୍ୟୁତ କେନ୍ଦ୍ରର କଞ୍ଚାମାଲ ଆବଶ୍ୟକତା ପୂରଣ ନିମନ୍ତେ ମନୋହରପୁର ଖଣିରୁ ଓସିପିଏଲ୍ ସୁଲଭ ମୂଲ୍ୟରେ କୋଇଲା ଯୋଗାଇବ। ଫଳରେ ଓପିଜିସିର ବିଦ୍ୟୁତ ଉତ୍ପାଦନ ମୂଲ୍ୟ କମିବ ଓ ଉପଭୋକ୍ତାମାନେ ଉପକୃତ ହେବେ। ଏବେ କିନ୍ତୁ ଓସିପିଏଲ୍‌ର ପ୍ରଭାବଶାଳୀ କର୍ତ୍ତୃପକ୍ଷଙ୍କ ମୁନାଫାଖୋର ବ୍ୟାବସାୟିକ ପରିଚାଳନା ରାଜ୍ୟ ପାଇଁ ବିପଦ ଟାଣିଆଣିଲାଣି, ଏହା ତାର ଆଉ ଏକ ଉଦାହରଣ। ଏହାଦ୍ବାରା ସରକାରଙ୍କ ଲକ୍ଷ୍ୟ କେବଳ ପରାହତ ହୋଇଛି ତା’ ନୁହେଁ, ସୁଲଭ ମୂଲ୍ୟରେ କୋଇଲା ପାଇବା ବଦଳରେ ଓପିଜିସି ମହଙ୍ଗା ବୋଝ ମୁଣ୍ଡାଇ କ୍ଷତି ସାମ୍ନା କଲାଣି। ଏ ସଂକ୍ରାନ୍ତରେ ‘ସମ୍ବାଦ’ର ୨୮ ତାରିଖ ସଂସ୍କରଣରେ ମଧ୍ୟ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।