ରାଜ୍ୟ

ଓଲିଉଡ୍‌ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌! ଅଦାଲତଙ୍କ ନିର୍ଦ୍ଦେଶ ପରେ ଥାନାରେ ମାମଲା

ଭୁବନେଶ୍ବର : ଓଲିଉଡ୍‌ରେ ପୁଣି ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌। ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଧମକ ସହ ମାନସିକ ନିର୍ଯାତନା। ଜଣେ ଯୁବ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଛି। ଅଭିଯୋଗ ନେଇ ଅଭିନେତ୍ରୀ ଶୀତଲ ପାତ୍ର ଅଦାଲତକୁ ଯିବାପରେ ଘଟଣା ପଦାକୁ ଆସିଛି। ଅଦାଲତଙ୍କ ନିର୍ଦେଶ କ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍‌ ନଂ-୨୯୮ରେ ଆଇପିସି ଦଫା ୨୬୮,୨୯୪, ୩୪୯, ୩୫୦, ୩୫୪, ୩୫୪-ଏ, ୩୫୪-ସି, ୩୮୩, ୪୨୦, ୪୬୮,୪୯୯, ୫୦୩ ଓ ୫୦୬ ସହ ଆଇଟି ଆକ୍ଟ ୨୦୦୦ ଦଫା ୬୬(ଏ), ୬୬(ଇ), ୬୭ ଓ ୬୭(ଏ) ଲଗାଇ ମାମଲାର ତଦନ୍ତ କରୁଛି।

ନିର୍ଦ୍ଦେଶକ/ପ୍ରଯୋଜକ ଦୟାନିଧି ଦାହିମାଙ୍କ ବିରୋଧରେ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିଯୋଗ

ଫେକ୍‌ ଆକାଉଣ୍ଟରେ ଚରିତ୍ର ସଂହାର ଓ ଭିଡ଼ିଓ ଭାଇରାଲ ଧମକର ଅଭିଯୋଗ

ଅଭିନେତ୍ରୀଙ୍କ ଅଭିଯୋଗ ମୁତାବକ, ପାଖାପାଖି ୩ ବର୍ଷ ହେବ ସେ ପ୍ରଯୋଜକ/ନିର୍ଦ୍ଦେଶକ ଦୟାନିଧି ଦାହିମାଙ୍କ ସହ ବିଭିନ୍ନ ପ୍ରୋଜେକ୍ଟରେ କାମ କରିଥିଲେ। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ବି ଥିଲା। ଦୟାନିଧି ଶୀତଲଙ୍କୁ ଜାତୀୟସ୍ତରର ବିଭିନ୍ନ ପ୍ରୋଜେକ୍ଟରେ କାମ ଦେବାକୁ ପ୍ରତିଶ୍ରୁତି ଦେଇ ଅଧିକ ମିଳାମିଶା କରିଥିଲେ। କ୍ରମଶଃ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା। ଏମିତିକି ପାରିବାରିକ ସମ୍ପର୍କ ମଧ୍ୟ ଗଢ଼ିଉଠିଥିଲା। ହେଲେ ସେ ସମ୍ପର୍କ ବେଶି ଦିନ ରହି ନଥିଲା। ଶୀତଲଙ୍କର କିଛି ନିଷ୍ପତ୍ତିକୁ ଦୟା ବିରୋଧ କରିଥିବା ବେଳେ ବ୍ୟକ୍ତିଗତସ୍ତର‌ରେ ଦୟାଙ୍କର ଏଭଳି ହସ୍ତକ୍ଷେପକୁ ସେ ଗ୍ରହଣ କରିପାରି ନଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେବେଠାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା। ଏମିତିକି କଥା ଥାନା ପର୍ଯ୍ୟନ୍ତ ବଢ଼ିଥିଲା। ୩-୪ ମାସ ତଳେ ଶୀତଲ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟ ପକ୍ଷଙ୍କ ଭିତରେ ବୁଝାସୁଝା ପରେ ବୁଝାମଣା ହୋଇ ଯିବାରୁ ମାମଲା ଆଗକୁ ନବଢ଼ି ଏକ ପ୍ରକାର ସମାଧାନ ହୋଇଥିଲା।

ତେବେ କିଛି ଦିନର ନିରବତା ପରେ ଦୟାନିଧି ଅଭିନେତ୍ରୀଙ୍କ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଥିଲେ। ସେ ଅନ୍ୟ ପ୍ରଯୋଜକଙ୍କ ନିକଟରେ ଶୀତଲଙ୍କ ବିରୋଧରେ ବର୍ଷିଥିଲେ। ଏମିତିକି ସୋସିଆଲ୍‌ ମିଡିଆରେ ଶୀତଲଙ୍କ ନାଁରେ ନକଲ ଆକାଉଣ୍ଟ ଖୋଲି ତାଙ୍କର ଚରିତ୍ର ସଂହାର କରିଥିଲେ। ସୁଟିଂ ସେଟ୍‌କୁ ଯାଇ ତାଙ୍କୁ ଅପମାନିତ କରିଥିଲେ। ଫୋନ୍‌ରେ ତାଙ୍କୁ ଓ ତାଙ୍କର ସାନ ଭାଇଙ୍କୁ ଧମକ ଦେଇଥିଲେ। ଶୀତଲଙ୍କର କିଛି ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ୍‌ କରିବାଲାଗି ଧମକ ମଧ୍ୟ ଦେଇଥିଲେ। ବାରମ୍ବାର ଏଭଳି କରି ଅପମାନିତ କରିବା ସହ ତାଙ୍କର ପ୍ରୋଜେକ୍ଟକୁ ବାତିଲ୍‌ କରାଇଥିଲେ। ଏହାଦ୍ବାରା ଶୀତଲଙ୍କ କ୍ୟାରିୟରରେ କଳାଦାଗ ପଡ଼ିଥିଲା। ଦୟାନିଧିଙ୍କ ନିର୍ଯାତନାରେ ଅଣନିଶ୍ବାସ ହେବାପରେ ଶୀତଲ ଶେଷରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ୭ଦିନ ମଧ୍ୟରେ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ନେବାକୁ ୩ ଦିନ ତଳେ ଅଦାଲତ ନିର୍ଦେଶ ଦେବାପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରିଛି। ଏହାପରେ ପୁଲିସ ଦୟାନିଧିଙ୍କୁ ଥାନାକୁ ଡ଼ାକିବା ପାଇଁ ଚେଷ୍ଟା କରିଥିଲେ ବି ସେଥିରେ ସଫଳତା ମିଳି ନଥିଲା। ତେବେ ଖୁବ୍‌ଶୀଘ୍ର ତାଙ୍କୁ ଜେରା କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପି ଶ୍ୟାମସୁନ୍ଦର ରାଓ କହିଛନ୍ତି। ଅନ୍ୟପଟେ ଘଟଣାରେ ଦୟାନିଧିଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ବି ଉତ୍ତର ମିଳିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।