ପୌରାଣିକ ନଗରୀ ଅଯୋଧ୍ୟା ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ତାଙ୍କ ପରବର୍ତ୍ତି ଯୁଗର ଆଜି ମଧ୍ୟ ସ୍ୱାକ୍ଷର ବହନ କରୁଛି। ଦେଶରେ ରାମ ରାଜ୍ୟର କଳ୍ପନା ଏହିଠାରେ ସାକାର ହୋଇଥିଲେ ହେଁ ଧ୍ୱଂସର ବିନାଶ ଲିଳା ବି ଦେଖିଛି ଅଯୋଧ୍ୟା। ଏହା ସତ୍ତ୍ୱେ ମର୍ଯ୍ୟଦାପୁରୁଷୋତ୍ତମଙ୍କ ଏହି ନଗରୀର ବୈଭବ, ପ୍ରାଚୀନତା ଓ ପୌରାଣିକ ଚେହେରାରେ ଆଜି ବି ଧୂଳି ଲାଗିନି। ଅଯୋଧ୍ୟା ସୂର୍ଯ୍ୟବଂଶ ଓ ଏହାର ତେଜସ୍ୱୀ ରାଜା ରାମଚନ୍ଦ୍ରଙ୍କ ଲାଗି ପରିଚିତ। ପୁରାଣ ମାନ୍ୟତା ଅନୁସାରେ ଶ୍ରୀରାମଙ୍କ ଧରାବତରଣ ଭାରତର ଏହି ଭୂ ଖଣ୍ଡରେ ହୋଇଥିଲା, ଏହି ଠାରେ ହିଁ ସରଜୂ କୂଳରୁ ଶ୍ରୀରାମ ସ୍ୱର୍ଗ ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଥିଲେ। ଏହା ପରଠାରୁ ଏଠାରେ ଶ୍ରୀରାମ କେବଳ ପ୍ରତିମା ରୂପରେ ବିରାଜମାନ ଥିଲେ।
କୁହାଯାଏ ମର୍ଯ୍ୟଦାପୁରୁଷୋତ୍ତମଙ୍କ ଧରାତ୍ୟାଗ ସହ ନିର୍ମିତ ହୋଇଥିବା ପ୍ରତିମା ଲାଗି ଅଯୋଧ୍ୟାର ସେହି ସ୍ଥାନରେ ମହାରାଜା ବିକ୍ରମାଦିତ୍ୟ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରିଥିଲେ। ସେଠାରେ ରାମଙ୍କର ପୂଜାର୍ଚ୍ଚନା ହେଉଥିଲା। ତେବେ ଇତିହାସ କୁହେ ୧୫୨୮ ମସିହାରେ ବାବରଙ୍କ ସେନାପତି ମୀର ବାକି ଅଯୋଧ୍ୟାକୁ ଛାରଖାର କରିବା ବେଳେ ମଧ୍ୟପ୍ରଦେଶ ଓରଛାର ମହାରାଣୀ ଅଯୋଧ୍ୟାରେ ବିକ୍ରମାଦିତ୍ୟଙ୍କ ଦ୍ୱାରା ମନ୍ଦିରରେ ସ୍ଥାପିତ ମୂଳ ମୂର୍ତ୍ତିକୁ ନେଇଯାଇଥିଲେ। ଓରଛା ମନ୍ଦିରରେ ଆଜିବି ସେହି ମୂଳ ମୂର୍ତ୍ତି ପୂଜିତ ହେଉଛନ୍ତି। ତେବେ ବର୍ତ୍ତମାନ ରାମ ଜନ୍ମଭୂମିରେ ଯେଉଁ ମୂର୍ତ୍ତି ବିରାଜମାନ ଅଛନ୍ତି ତାହା ସେଠାରେ ୨୨ ଡିସେମ୍ବର ୧୯୪୯ରେ ରଖାଯାଇଥିବା ମୂର୍ତ୍ତି।
ଅଯୋଧ୍ୟାରୁ କିପରି ଓରଛା ଗଲେ ଶ୍ରୀରାମ
ଅଯୋଧ୍ୟାରୁ ଶ୍ରୀରାମଙ୍କ ମୂର୍ତ୍ତି କିପରି ଓରଛା ଗଲେ ଓ ସେଠାକାର ହୋଇ ରହିଗଲେ ତାର ମଧ୍ୟ ରହିଛି ରୋଚକ କାହାଣୀ। ଯାହା ସହ ଜଡିତ ରହିଛି ଜଣେ ହିନ୍ଦୁ ରାଣୀଙ୍କ ରାମଭକ୍ତିର ଅପୂର୍ବ ଗାଥା। ଅଯୋଧ୍ୟା ଉପରେ ବାବର ସେନାଙ୍କ ଆକ୍ରମଣ ବେଳେ ଓରଛାରେ ରାଜା ଥିଲେ ମଧୁକର ଶାହ। ତାଙ୍କ ରାଣୀ ଥିଲେ ଗଣେଶ କୁଅଁର। ଗଣେଶ ଥିଲେ ପ୍ରଭୁ ରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ। ତେବେ ରାଜା ଥିଲେ କୃଷ୍ଣଭକ୍ତ। ଏକଦା ରାଜା ତାଙ୍କ ସହ ବୃନ୍ଦାବନ ଯିବା ଲାଗି ରାଣୀଙ୍କୁ କହିଲେ। ତେବେ ରାଣୀ ରାମଙ୍କୁ ଛାଡି ଯିବାକୁ ରାଜି ହୋଇନଥିଲେ। ରାଣୀଙ୍କ ମନ ଜାଣିବା ପରେ ରାଜା ଅସନ୍ତୁଷ୍ଟ ହୋଇଥିଲେ ଓ କହିଥିଲେ ଯଦି ଏତେ ରାମଭକ୍ତ ଦେଖାଇ ହେଉଛ ଅଯୋଧ୍ୟାରୁ ରାମଙ୍କୁ ନେଇଆସ ।
ରାଜାଙ୍କ କଥା ରାଣୀଙ୍କୁ ଖୁବ ବାଧିଲା। ଏଣୁ ରାଣୀ ରାଜ ନଅର ଛାଡି ଅଯୋଧ୍ୟା ଚାଲିଯାଇଥିଲେ। ସରଜୂ ନଦୀ ତଟରେ କୁଟିର କରି ରାମଙ୍କ ପୂଜା କରିବାକୁ ଲାଗିଲେ। ସେତେବେଳେ ସନ୍ଥ ତୁଳସୀ ଜୀବଦଶାରେ ଥିଲେ। ତାଙ୍କ ଆଶିର୍ବାଦ ପାଇ ରାଣୀଙ୍କ ସାଧନା ଆହୁରି କଠୋର ହୋଇଥିଲା। ହେଲେ ମର୍ଯ୍ୟଦା ପୁରୁଷୋତ୍ତମଙ୍କ ଦର୍ଶନ ପାଇନଥିଲେ ରାଣୀ। ଦୀର୍ଘ ଦିନ ପରେ ବି ସାଧନାରେ ସିଦ୍ଧି ନ ମିଳିବାରୁ ରାଣି ଗଣେଶ କୁଅଁର ସରଜୂରେ ଜଳ ସମାଧି ନେବାକୁ ନିଷ୍ପତ୍ତି ନେଇଥିଲେ।
ସେତେବେଳକୁ ଅଯୋଧ୍ୟା ଉପରେ ବାହ୍ୟ ଆକ୍ରମଣକାରୀଙ୍କ ଆକ୍ରମଣର ଆଶଙ୍କା କରାଯାଉଥାଏ। ଏଣୁ ରାମ ଭକ୍ତମାନେ ମନ୍ଦିରରେ ଥିବା ରାମଙ୍କ ମୂର୍ତ୍ତିକୁ ସରଜୁ ନଦୀଭିତରେ ବାଲିରେ ପୋତି ଦେଇଥିଲେ। ଜଳ ସମାଧି ନେବାକୁ ଯାଇଥିବା ରାଣୀ ପାଣି ତଳେ ରାମଚନ୍ଦ୍ରଙ୍କ ମୂର୍ତ୍ତି ଦର୍ଶନ କରିଥିଲେ। ଏଣୁ ନଦୀରୁ ବାହାରି ଆସି ପ୍ରଭୁ ଶ୍ରୀରାମଙ୍କୁ ଓରଛା ଯିବାକୁ ପ୍ରାର୍ଥନା କରିଥିଲେ। ତେବେ ରାମ ଚନ୍ଦ୍ର ଏଥିଲାଗି ରାଣୀଙ୍କ ନିକଟରେ ୩ଟି ସର୍ତ୍ତ ରଖିଥିଲେ। ରାଣୀଙ୍କ ନିକଟରେ ରାମଙ୍କର ପ୍ରଥମ ସର୍ତ୍ତ ଥିଲା ତାଙ୍କୁ ଯେଉଁ ସ୍ଥାନରେ ରାଣୀ ରଖି ଦେବେ ସେଠାରୁ ସେ ଆଉ ଉଠିବେ ନାହିଁ। ସେହିପରି ଦ୍ୱିତୀୟ ସର୍ତ୍ତ ଥିଲା ଯେଉଁଠାରେ ଅବସ୍ଥାନ କରିବେ ସେଠାରେ ରାମଙ୍କର ରାଜପାଟ ଚାଲିବ। ସେହିପରି ରାମଙ୍କର ତୃତୀୟ ଶର୍ତ୍ତ ଥିଲା ସେ ପୂଷ୍ୟାନକ୍ଷତ୍ରରେ ଅଯୋଧ୍ୟାରୁ ତାଙ୍କର ବାଲ୍ୟାବସ୍ଥାରେ ସାଧୁ ସନ୍ଥଙ୍କ ସହ ଓରଛା ଗମନ କରିବେ।
ଶ୍ରୀରାମଙ୍କ ସବୁ ସର୍ତ୍ତରେ ରାଜି ହୋଇଥିଲେ ରାଣୀ। ସେହି ଅନୁସାରେ ରାଣୀ ସାଧୁସନ୍ଥଙ୍କ ଗହଣରେ ରାମଙ୍କୁ ତାଙ୍କ ବାଲ୍ୟାବସ୍ଥା ରୂପରେ ଧରି ପାଦରେ ଚାଲିଚାଲି ୮ ମାସ ୨୮ ଦିନରେ ଓରଛାରେ ପହଞ୍ଚିଥିଲେ। ସେଠାରେ ଶ୍ରୀରାମଙ୍କୁ ସ୍ଥାପନା ପୂର୍ବକ ସର୍ତ୍ତାନୁସାରେ ସମସ୍ତ ରାଜ୍ୟକାର୍ଯ୍ୟ ତାଙ୍କୁ ସମର୍ପଣ କରିଥିଲେ।
ଏହା ଛଡା ଆଉ ଏକ ଦନ୍ତକଥା ମଧ୍ୟ ରହିଛି। ତାହା ହେଉଛି ପ୍ରଭୁ ଶ୍ରୀରାମ ଚନ୍ଦ୍ର ପିତାଙ୍କ ସତ୍ୟ ପାଳନ ଲାଗି ପତ୍ନୀ ଓ ଭାଇଙ୍କ ସହ ବନକୁ ଗମନ କରିଥିଲେ। ୧୪ ବର୍ଷ ପରେ ବନବାସରୁ ଫେରିବା ବେଳକୁ ତାଙ୍କ ପିତାଙ୍କ ପରଲୋକ ହୋଇସାରିଥିଲା। ତେବେ ଓରଛା ର ରାଜା ମଧୁକର ଶାହ ଓ ତାଙ୍କ ପତ୍ନୀ ଗଣେଶ କୁଅଁର ତାଙ୍କୁ ପୁତ୍ର ଭଳି ମନେ କରୁଥିଲେ। ଏଣୁ ଶ୍ରୀରାମ ଫେରିବାରୁ ତାଙ୍କୁ ବିବାହ ପଞ୍ଚିମୀରେ ବିବାହ କରାଇ ରାଜତିଲକ କରିଥିଲେ।
ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶରୁ ରାଜଶାସନ ହଟିବାର ଅନେକ ବର୍ଷ ବିତିଗଲାଣି, ହେଲେ ଓରଛାରେ ଆଜିବି ରାଜା ରାମଚନ୍ଦ୍ରଙ୍କ ଶାସନ ଚାଲିଛି। ପ୍ରତ୍ୟହ ଶ୍ରୀରାମଙ୍କ ଦରବାର ଅନୁଷ୍ଠିତ ହେଉଥିବା ବେଳେ ଦରବାରରେ ମଧ୍ୟ ପ୍ରଦେଶ ପୋଲିସ ମଧ୍ୟ ମୁତୟନ ରହୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ରାଜା ରାମ ଚନ୍ଦ୍ରଙ୍କୁ ପୋଲିସ ସଲାମୀ ବି ଦେଉଛି।
ଆଉ ଏକ ରୋଚକ କଥା ହେଲା ରାଣୀ ଅଯୋଧ୍ୟାରୁ ରାମଚନ୍ଦ୍ରଙ୍କ ମୂର୍ତ୍ତି ନେଇ ଆସିବା ବେଳେ ରାଜମହଲରେ ରାମଙ୍କ ଲାଗି ସ୍ଥାନ ପ୍ରସ୍ତୁତ ହୋଇ ନଥିଲା। ଏଣୁ ମହଲର ରୋଷେଇ ଘରେ ରାମଙ୍କ ମୂର୍ତ୍ତିକୁ ରଖି ଦିଆଯାଇଥିଲା। ତେବେ ପରେ ସ୍ଥାନ ପ୍ରସ୍ତୁତ କରି ରାମଙ୍କ ମୂର୍ତ୍ତିକୁ ସେଠାରୁ ନେବା ବେଳକୁ ପ୍ରଥମ ସର୍ତ୍ତ ଅନୁସାରେ ମୂର୍ତ୍ତି ଆଉ ହଲି ନଥିଲା। ଏଣୁ ମହଲର ରୋଷେଇ ଶାଳକୁ ରାଜମହଲରେ ରୂପାନ୍ତରିତ କରାଯିବା ସହ ରାମ ରାଜା ମହଲ ନାମରେ ନାମିତ କରାଯାଇଥିଲା।