ଭୁବନେଶ୍ବର୧୦/୧୧: ଓଡ଼ିଆ ସିନେମାରେ ଗୀତ ଗାଇବେ ଦୁଲେ ରାପର। ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି।

ଦୁଲେ ରାପରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ। ‘ଜିଓ ବାଲା ଆଣ୍ଟି ‘ ଶୀର୍ଷକ ଏହି କମର୍ସିଆଲ ଗୀତଟିକୁ ରଚନା କରିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ। ସୁନୋ ସର୍କାର ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର। ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ।

ବିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ବପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା। ଆଉ ତାଙ୍କର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦ। ଅନେକ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ ସୁଯୋଗ ଦେଇଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ। ଆସନ୍ତାକାଲି ଦିନ ୧୧.୩୦ଟାରେ ଟଙ୍କପାଣି ରୋଡ ସ୍ଥିତ ସ୍ମୃତି ଷ୍ଟଡ଼ିଓରେ ଦୁଲେ ରାପରଙ୍କ କଣ୍ଠରେ ରେକର୍ଡ କରାଯିବ।


