ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରାଜ୍ୟ ସରକାର ବି ଏ କ୍ଷେତ୍ରରେ ପଛରେ ନାହାନ୍ତି। ୨୦୨୩ ବଜେଟ୍ ନିର୍ବାଚନୀ ବଜେଟ୍ ହେବ। ଏବର୍ଷ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିବା ଲାଗି ବିଭିନ୍ନ ବିଭାଗ ନକ୍ସା ପ୍ରସ୍ତୁତ କରୁଛନ୍ତି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଖୁବ୍ ଶୀଘ୍ର ସରକାର ଚାଷୀ ଭୋଟ୍କୁ କରାୟତ କରିବା ଲାଗି ଗୋଟିଏ ବଡ଼ କାର୍ଡ ଖେଳିବାକୁ ଯାଉଛନ୍ତି। ୨୦୨୩ ସାଧାରଣ ବଜେଟ୍ରେଏହାର ବିଶଦ ରୂପ ଦେଖିବାକୁ ମିଳିପାରେ। ସରକାର ଗୋଟିଏ ବାର୍ତ୍ତା ଦେବେ ଯେ ଆସନ୍ତା ୨୫ବର୍ଷ ଅର୍ଥାତ୍ ୨୦୪୭ ସୁଦ୍ଧା ଓଡ଼ିଶା ଏକ ଜଳସୁରକ୍ଷିତ ରାଜ୍ୟ ହେବ। ବଜେଟ୍ରେ ‘ଜଳ ଭିଜନ@୨୦୪୭’ ନାମରେ ଏହା କାର୍ଯ୍ୟକାରୀ ହେବ। ଏଥିଲାଗି ଜଳସଂପଦ ବିଭାଗ ଆସନ୍ତା ଆର୍ଥିକ ବର୍ଷରେ ପାଖାପାଖି ୫୬୪୪ କୋଟି ୯୧ଲକ୍ଷ ଟଙ୍କାର ଏକ ବିଶାଳ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରି ଇତିମଧ୍ୟରେ ଅର୍ଥ ବିଭାଗକୁ ଧରାଇଛି। ଏଥିରେ ବଡ଼ ବଡ଼ ବ୍ୟାରେଜ୍, ଉଠା ଜଳ ଜଳସେଚନ ପ୍ରକଳ୍ପ, ନଦୀ ଗର୍ଭ ଜଳାଶୟ, ଗଭୀର ନଳକୂପ, ଚେକ୍ ଡ୍ୟାମ୍ ଆଦି କରାଯିବାକୁ ଯୋଜନା ରହିଛି। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ସରକାର ଏ କ୍ଷେତ୍ରରେ ନୂଆ ସ୍ଲୋଗାନ ଦେବାକୁ ଯାଉଛନ୍ତି। ତାହା ହେଲା-‘ଜମିକୁ ଜଳ ଚାଷୀକୁ ବଳ’।
୨୦୨୪ ନିର୍ବାଚନ ପାଇଁ ସରକାରଙ୍କ ମାଷ୍ଟର କାର୍ଡ
ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ୫୬୪୫କୋଟି
୨.୩୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ
ସ୍ମରଣଥାଉକି, ରାଜ୍ୟରେ ଚାଷରୁ ଆରମ୍ଭ କରି ଜଳ ସଂରକ୍ଷଣ ପର୍ଯ୍ୟନ୍ତ ସବୁ ମୌସୁମୀ ବର୍ଷା ଉପରେ ନିର୍ଭର କରୁଛି। ବର୍ଷା ନଥିଲେ ଅଧାରୁ ଅଧିକ ଓଡ଼ିଶାରେ ଚାଷ ନାହିଁ। ଏପରିକି ମୌସୁମୀ ବର୍ଷାରେ ଅନିୟମିତତା ଏବେ ନିୟମିତ ବ୍ୟବଧାନରେ ମରୁଡ଼ି ଆଣୁଛି। ରାଜ୍ୟ ସରକାର ଯେତେ ପାଣି ପାଇପ୍ ବିଛାଇଲେ ବି ସବୁ ଘରକୁ ପାଣି ଦେବାକୁ ପାଣି ମିଳୁନି। ନଦୀ, ନାଳରେ ଭରା ଓଡ଼ିଶାରେ ଜଳସଙ୍କଟ ଦେଖାଦେଲାଣି। ଆଗକୁ ସ୍ଥିତି ଯେପରି ଉତ୍କଟ ନହୁଏ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଜଳସେଚନର ତ୍ବରିତ ବିକାଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଅତିିରିକ୍ତ ୨.୩୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ। ଏଥିରେ ଅଗ୍ରାଧିକାର ଭିତ୍ତିରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟ, ନନ୍ଦାହାଣ୍ଡି ଏବଂ ନବରଙ୍ଗପୁର ବ୍ଲକରେ ପ୍ରାୟ ୨୦ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବା ପାଇଁ ନବରଙ୍ଗପୁର ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହାସହ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକରେ ପ୍ରାୟ ୪୭୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଉପର ଲାନ୍ଥ ପ୍ରକଳ୍ପ, ନୟାଗଡ଼ ଜିଲ୍ଲାରେ ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଓଡ଼ଗାଁ ଓ ନୂଆଗାଁ ବ୍ଲକରେ ପ୍ରାୟ ୨୩୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବା ପାଇଁ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାରେ ପାଲଲହଡ଼ା, କଣିହା ତେଲକୋଇ ବ୍ଲକରେ ପ୍ରାୟ ୯୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବା ପାଇଁ ସାମାକୋଇ ବ୍ୟାରେଜ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
ଏହାବାଦ୍ ୨୦୨୩-୨୪ରେ ନୂତନ, ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା ସୋନୋ, ବ୍ୟାଙ୍କତୀରା, ତୁରୀ-ଗୁଣ୍ଟାତ ଏବଂ ପିପଲପଙ୍କା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। କେବଳ ନୂତନ ପ୍ରକଳ୍ପ ନୁହେଁ, ଯେଉଁ ସବୁ ପ୍ରକଳ୍ପ ଚାଲିଛି ତାକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ମନଯୋର ପ୍ରକଳ୍ପର ବିସ୍ତାରକରଣ ଏବଂ ଘଟକେଶ୍ବର ପ୍ରକଳ୍ପର କାର୍ଯ୍ୟ ଆସନ୍ତା ଆର୍ଥିକ ବର୍ଷରେ ଶେଷ ହେବ। ଏଥିପାଇଁ ପିଏମ୍କେଏସ୍ୱାଇ ଅଧୀନରେ ୨୨୯୦କୋଟି ଏବଂ ଡବ୍ଲ୍ୟୁଏସ୍ଆଇଡିପି ଅଧୀନରେ ୧୧୭୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ରାଜ୍ୟର ଉପର ଅଞ୍ଚଳର ଚାଷୀଙ୍କୁ ଜଳ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ଆଗାମୀ ୫ବର୍ଷରେ ୧୦୭୫୯କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୨.୬୩ଲକ୍ଷ ହେକ୍ଟର ଚାଷ ଜମିରେ ୧୭୦ଟି ନୂତନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ହେବ। କିନ୍ତୁ ୨୦୨୩-୨୪ରେ ଏହି ଯୋଜନା ପାଇଁ ୪୫୦କୋଟି ବ୍ୟୟବରାଦ ପ୍ରସ୍ତାବ ରହିଛି। ୨୦୨୫-୨୬ ସୁଦ୍ଧା ୪୧୯୮କୋଟି ଟଙ୍କାରେ ଲକ୍ଷେ ଗଭୀର ନଳକୂପ ବସାଇବାକୁ ଯୋଜନା ହୋଇଥିବାବେଳେ ୨୦୨୩-୨୪ରେ ୧୨ହଜାର ନଳକୂପ ପାଇଁ ୪୦୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ୧୫୦୦ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବିଜୁ କୃଷକ ବିକାଶ ଯୋଜନାରେ ୪୦୦କୋଟି ଖର୍ଚ୍ଚ ହେବ। ୧୦୦୦ଟି ଅଚଳ ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବାକୁ ୧୯୦.୫୦କୋଟି ଖର୍ଚ୍ଚ ହେବ। ସବୁ ଜମିକୁ ପାଣି ଯୋଜନାରେ ୧୨୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୩୦କୋଟି ଖର୍ଚ୍ଚ ହେବାକୁ ଯୋଜନା ରହିଛି।
ଏସବୁ ବାଦ୍ ନଦୀ ଜଳ ଯେପରି ସମୁଦ୍ରକୁ ବହିନଯିବ, ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ହେବ; ନଦୀରେ ମାଛ ଚାଷ ସହ ଚାଷ ଜମିକୁ ପାଣି ଯୋଗାଣ ହୋଇପାରିବ ସେଥିପାଇଁ ୨୦୨୩-୨୪ରେ ୫୦ଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୫୫୪କୋଟି ୪୧ଲକ୍ଷ ଖର୍ଚ୍ଚ ପ୍ରସ୍ତାବ ରହିଛି। ୨୦୨୨-୨୩ରେ ୪୬ଟି ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଏହାକୁ ଆସନ୍ତା ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୂତଳ ଜଳ ରିଚାର୍ଜ ପାଇଁ ଛତା ଯୋଜନାରେ ୫୨ଟି ବ୍ଲକ ଏବଂ ୨୨ଟି ସହରାଞ୍ଚଳ ପାଇଁ ୨୭୦କୋଟି ଅନୁମୋଦନ ହୋଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ୫୦କୋଟି ଖର୍ଚ୍ଚ ହେବ।
ବାରମ୍ବାର ବନ୍ୟା ଓ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ୭୬୩କୋଟି ମଞ୍ଜୁର କରିବାକୁ ଥିବାବେଳେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ୧୯୯କିମି ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ସହାୟତାରେ ନିର୍ମାଣ ହେବ। ଏହାବାଦ୍ ବିପଦସଙ୍କୁଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ବନ୍ଧ ଏବଂ ଜଳ ନିଷ୍କାସନର ଉନ୍ନତି କାର୍ଯ୍ୟ ମଜବୁତ୍ କରିବା ପାଇଁ ୩୫୧କୋଟି ବରାଦ ହୋଇଛି। ଏହି ଯୋଜନା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦୦କୋଟି ଖର୍ଚ୍ଚ ହେବ। ଏହାସହ ଦକ୍ଷିଣ କୋରିଆର ଗ୍ରିନ୍ କ୍ଲାଇମେଟ୍ ଫଣ୍ଡ ସହଯୋଗରେ ଭୂତଳ ଜଳର ପୂର୍ଣ୍ଣଭରଣ ପାଇଁ ୧୫ଟି ଜିଲ୍ଲାରେ ୧୦ହଜାର ପୋଖରୀକୁ ନବୀକରଣ କରାଯିବ।
କମାଣ୍ଡ ଏରିଆ ଡେଭଲପମେଣ୍ଟ ଓ ଜଳ ପରିଚାଳନା କାର୍ଯ୍ୟ ପାଇଁ କରନାଳୀ ନିର୍ମାଣ କରିବାକୁ ୧୮୦କୋଟି ଖର୍ଚ୍ଚ ହେବ। ପରିବହନ କ୍ଷତିକୁ କମ୍ କରିବା ପାଇଁ କେନାଲ ଲାଇନିଙ୍ଗ୍ ଏବଂ ସିଷ୍ଟମ୍ ପୁନରୁଦ୍ଧାର କାର୍ଯ୍ୟକ୍ରମ ଯୋଜନାରେ ୨୭୦କୋଟି, ନବକୃଷ୍ଣ ଚୌଧୁରୀ ସେଚ ଯୋଜନାରେ ୧୨୫କୋଟି ବ୍ୟୟ ବରାଦ କରାଯିବ। ସେହିପରି ଜଳ ଉତ୍ସଗୁଡ଼ିକର ଠିକ୍ ମୂଲ୍ୟାୟନ, ବନ୍ୟା ପୂର୍ବାନୁମାନ ଏବଂ ପ୍ରକଳ୍ପ ପର୍ଯ୍ୟାଲୋଚନା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପକରଣ କିଣିବା ଓ ସ୍ଥାପନ କରିବାକୁ ୨୦୨୩-୨୪ରେ ୩୦କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି।