ଭୁବନେଶ୍ବର : ବର୍ଷ ୨୦୨୩। ଓଡ଼ିଶା ପୁଲିସ ପାଇଁ ମୁଖ୍ୟ ଫୋକସ ହେବ ନକ୍ସଲ, ସାଇବର ଅପରାଧ ଓ ଆଇନଶୃଙ୍ଖଳା। ଏହା ଛଡ଼ା ପୁଲିସ ମଧ୍ୟ ନିଶା କାରବାର, ଅର୍ଥନୈତିକ ଅପରାଧ ଉପରେ କଡ଼ା ନଜର ରଖିବ। ତେବେ ବର୍ଷ ଆରମ୍ଭରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପର ଆୟୋଜନ ପୁଲିସ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିବ। ସେହିପରି ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଚକ୍ରାନ୍ତ ଥିବାର ପ୍ରମାଣ ନାହିଁ। ଭୁବନେଶ୍ବର ରେଳଷ୍ଟେସନ ସମ୍ମୁଖରେ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରତିବାଦ କରୁଥିବା ରୁଷୀୟ ନାଗରିକ ଆଣ୍ଡ୍ର୍ୟୁଙ୍କ ଉପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ପୁଲିସ ନଜର ରଖିଛି।
ନୂଆବର୍ଷ ଅବସରରେ ୨୦୨୩ ମସିହାରେ ଓଡ଼ିଶା ପୁଲିସର ମୁଖ୍ୟ ଫୋକସ୍ କ’ଣ ହେବ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ ଓଡ଼ିଶାରେ ୪.୫ କୋଟି ଲୋକଙ୍କ ସେବା କରିବା ହେଉଛି ଓଡ଼ିଶା ପୁଲିସର ଲକ୍ଷ୍ୟ। ଚଳିତ ବର୍ଷ ଓଡ଼ିଶା ପୁଲିସର ମୁଖ୍ୟ ଫୋକସ ହେବ ନକ୍ସଲ ଓ ସାଇବର ଅପରାଧ। ନକ୍ସଲ ସମସ୍ୟା ହ୍ରାସ କରିବା, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଓଡ଼ିଶା ପୁଲିସର ମୁଖ୍ୟ ଲକ୍ଷ୍ୟ ହେବ। ବର୍ଷ ୨୦୨୧ ତୁଳନାରେ ୨୦୨୨ରେ ମଧ୍ୟ ନକ୍ସଲ ଜନିତ ଅପରାଧ ହ୍ରାସ ପାଇଛି ବୋଲି ଡିଜି ବଂଶଲ କହିଛନ୍ତି।
ସେହିପରି ରାଜ୍ୟରେ ସାଇବର ଅପରାଧ ବହୁ ମାତ୍ରାରେ ବଢ଼ି ଚାଲିଛି। ତେଣୁ ସାଇବର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପୁଲିସ ସଙ୍କଳ୍ପବଦ୍ଧ। ଅଭିଯୋଗକାରୀଙ୍କ ଟଙ୍କା ଫେରି ପାଇବା ଓଡ଼ିଶା ପୁଲିସ ବା ସାଇବର ପୁଲିସର ମୁଖ୍ୟ କାର୍ଯ୍ୟ ହେବ। ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବା ନିଶା କାରବାର ଉପରେ ରୋକ ଲଗାଇବା ମଧ୍ୟ ଚଳିତ ବର୍ଷ ଓଡ଼ିଶା ପୁଲିସ ପାଇଁ ଫୋକସ ହେବ। ନିଶା କାରବାର କରୁଥିବା ନିଶା ମାଫିଆଙ୍କ ବିରୋଧରେ ଓଡ଼ିଶା ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆଗାମୀ ଦିନରେ ଏଭଳି ଆହୁରି ଅଧିକ କଡ଼ା ପଦକ୍ଷେପ ନେବାକୁ ଡିଜି ବଂଶଲ ଓଡ଼ିଶା ପୁଲିସକୁ ନୂଆବର୍ଷ ଅବସରରେ ନିର୍ଦେଶ ଦେଇଛନ୍ତି। ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ଉପରେ ରୋକ ଲଗାଇବା ସହିତ ନିଶା ମାଫିଆଙ୍କୁ ଗିରଫ କରିବାକୁ କୁହାଯାଇଛି। ତେବେ ବର୍ଷ ଆରମ୍ଭରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ ଆୟୋଜନ ରାଜ୍ୟ ପାଇଁ ପ୍ରତିଷ୍ଠାର ବିଷୟ। ଏହା ଓଡ଼ିଶା ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ। ବିଦେଶରେ ରାଜ୍ୟ ଓ ଦେଶର ପ୍ରତିଷ୍ଠା ଅର୍ଜନରେ ମୁଖ୍ୟ ଭୂମିକା ନେବ ହକି ବିଶ୍ବକପର ଆୟୋଜନ।
ସେହିପରି ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟର ତଦନ୍ତ ସମ୍ପର୍କରେ ପୁଲିସ ଡିଜି କହିଛନ୍ତି, କ୍ରାଇମ ବ୍ରାଞ୍ଚର ବଛାବଛା ଅଫିସର ଏହି ମାମଲାର ତଦନ୍ତ କରୁଛନ୍ତି। ଏଯାଏ ତଦନ୍ତରେ କୌଣସି ଫାଉଲ୍ ପ୍ଲେ୍ ହୋଇ ନାହିଁ। ଆବଶ୍ୟକ ପଡ଼ିଲେ ଓଡ଼ିଶା ପୁଲିସ ଇଣ୍ଟରପୋଲର ସହଯୋଗ ନେବ। ସେହିପରି ଭୁବନେଶ୍ବର ରେଳଷ୍ଟେସନ ସମ୍ମୁଖରେ ରୁଷର ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରତିବାଦ କରୁଥିବା ଆଣ୍ଡ୍ର୍ୟୁଙ୍କ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ପୁଲିସ ନଜର ରଖିଛି। ଆବଶ୍ୟକ ପଡ଼ିଲେ ତାଙ୍କ ବିରୋଧରେ ମଧ୍ୟ ଓଡ଼ିଶା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ବୋଲି ପୁଲିସ ଡିଜି ବଂଶଲ କହିଛନ୍ତି।