ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପିଆଜ ଯାଉଛି କୁଆଡ଼େ? ଆନ୍ଧ୍ରର ଫସଲ ନଷ୍ଟରେ କାନ୍ଦୁଛି ଓଡ଼ିଆ ଖାଉଟି

ଭୁବନେଶ୍ବର: ରାଜ୍ୟର ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ? ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶର ଫସଲ ନଷ୍ଟ ଓଡ଼ିଶାକୁ ପ୍ରଭାବିତ କରିଛି। କାର୍ତ୍ତିକ ମାସରେ ମଧ୍ୟ ପିଆଜ ଦର ଓଡ଼ିଆ ଖାଉଟିଙ୍କୁ କନ୍ଦାଉଛି। ରାଜଧାନୀର ପାଇକାରୀ ବଜାରରେ ବର୍ତ୍ତମାନ ୪୮ରୁ ୫୦ ଟଙ୍କାରେ ପିଆଜ ବିକ୍ରି ହେଉଛି। ଖୁବ ଶୀଘ୍ର ନାସିକ ପିଆଜ ଓଡ଼ିଶା ବଜାରକୁ ଆସିବ ଏବଂ ଦର ହ୍ରାସ ହେବ ବୋଲି ଆଶା କରିଛନ୍ତି ପିଆଜ ପାଇକାରୀ ବ୍ୟବସାୟୀ ସଂଘ ସଭାପତି ଶକ୍ତି ମିଶ୍ର। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୩.୭୫ ଲକ୍ଷ ଟନ୍‌ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ବେ ନାସିକ ପିଆଜ ହିଁ ଓଡ଼ିଶା ବଜାରକୁ କବ୍‌ଜା କରି ରଖିଛି। ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ କହିବା ଅନୁସାରେ, ଦେଶରେ ପିଆଜ ବର୍ଷକୁ ୪ ଥର ହୁଏ। ଥରେ ଉତ୍ପାଦନ ନଷ୍ଟ ହେଲେ ଏହା ପରବର୍ତ୍ତୀ ଋତୁକୁ ପ୍ରଭାବିତ କରେ। ବର୍ଷା ଅଭାବରୁ ଆନ୍ଧ୍ରପ୍ରଦେଶର ପିଆଜ ଉତ୍ପାଦନ ପ୍ରଭାବିତ ହେଲା। ସମୁଦାୟ ଯୋଗାଣ ଚାପ ନାସିକ ପିଆଜ ଉପରେ ପଡ଼ିଛି। ସେପଟେ ଚାହିଦା ଅନୁଯାୟୀ ନାସିକ ଚାଷୀ ପିଆଜ ଯୋଗାଇପାରୁ ନାହାନ୍ତି। ଏଣୁ ଦର ବୃଦ୍ଧି ପାଉଛି। ଦୁର୍ଭାଗ୍ୟଜନକ ସ୍ଥିତି ହେଲା, ଭଞ୍ଜନଗର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଯେଉଁଠି ଦିନେ ବ୍ୟାପକ ପିଆଜ ଉତ୍ପାଦନ ହେଉଥିଲା ସେଠିବି ନାସିକ ପିଆଜ ବିକ୍ରି ହେଉଛି। ତେଣୁ ଆନ୍ଧ୍ରପ୍ରଦେଶ କିମ୍ବା ନାସିକ ଯେଉଁଠି ମଧ୍ୟ ପିଆଜ ଉତ୍ପାଦନର ସମସ୍ୟା ହେଲା ମାତ୍ରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି।

କୃଷି ବିଭାଗ କହିବା ଅନୁସାରେ, ନୂଆପ଼ଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ରବିରେ ପିଆଜ ଚାଷ ହୁଏ। ଏପ୍ରିଲ, ମେ’ ମାସ ବେଳକୁ ଚାହିଦା ଠାରୁ ଅନେକ ପରିମାଣରେ ଏହା ବଜାରକୁ ଆସିଯାଏ। ତେଣୁ ପ୍ରାୟ ଅଳ୍ପ ଦରରେ ସ୍ଥାନୀୟ ବଜାରରେ ବିକ୍ରି ହୋଇଯାଏ, ବାକି ୭୫ ପ୍ରତିଶତ ରପ୍ତାନି ହୁଏ। ଏପରିକି କିଛି ବର୍ଷ ରପ୍ତାନି ବେଳେ ଅଧିକ ଦର ମିଳିଗଲେ, କୌଣସି ପିଆଜ ସଂରକ୍ଷିତ ନରଖି ସବୁ ବାହାରକୁ ପଠାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାଷୀ କେବଳ ଶୀତ ଋତୁରେ ପିଆଜ ଚାଷ ନକରି ନାସିକ ଏବଂ ଆନ୍ଧ୍ରପ୍ରଦେଶ ଭଳି ବର୍ଷକୁ ୩ ଥର ୮ ମାସ ଧରି ଥାକଥାକ କରି ପିଆଜ ଚାଷ କରିବା ଉଚିତ। କମ ବୃଷ୍ଟିପାତ ଅଞ୍ଚଳରେ ଅଧିକ ପିଆଜ ଚାଷ ହେଉଥିଲେ ଏଭଳି ଦର ମଧ୍ୟ ବଢ଼ନ୍ତା ନାହିଁ। ସମ୍ବଲପୁର ଚାଷୀ କୁଶଧ୍ବଜ ଚୌଧୁରୀ କହନ୍ତି, ପ୍ରତିବର୍ଷ ରବିରେ ୧ ଏକର ଜମିରେ ପିଆଜ ଚାଷ କରନ୍ତି। ଏପ୍ରିଲ ବେଳକୁ ନିକଟସ୍ଥ ଦୋକାନରେ ୫ରୁ ୧୦ ଟଙ୍କାରେ ବିକ୍ରି କରି ଦିଅନ୍ତି। ସରକାରଙ୍କ ପକ୍ଷରୁ କ୍ରୟ କରି ଉପଯୁକ୍ତ ଭାବରେ ସଂରକ୍ଷିତ କରି ରଖିଲେ ଅକ୍ଟୋବର, ନଭେମ୍ବରରେ ଏଭଳି ସମସ୍ୟା ହୁଅନ୍ତା ନାହିଁ।

ମାରିଦେଲେ କୋଲା ପିଆଜ
ଓଡ଼ିଶାରେ ନିଜ ଆବଶ୍ୟକତା ପାଇଁ ଘରେ କୋଲା ଏବଂ ବ୍ୟବସାୟ ପାଇଁ ଉଲି ପିଆଜ ଚାଷ ହୁଏ। ବର୍ଷର ଯେକୌଣସି ସମୟରେ ଘର ବଗିଚା, କୂଅ ମୂଳରେ ଗୋଟିଏ କୋଲା ପୋତିଦେଲେ ଖୁବ ଶୀଘ୍ର ଫଳ ବାହାରିଯାଏ। ମଞ୍ଜିରୁ ଚାରା କରିବା ଆବଶ୍ୟକତା ପଡ଼େ ନାହିଁ। ଅତି ଅଳ୍ପ ଖର୍ଚ୍ଚରେ ଗୋଟିଏ ଏକର ଜମିରେ ୬୦ରୁ ୭୦ କ୍ବିଣ୍ଟାଲ କୋଲା ପିଆଜ ଉତ୍ପାଦିତ ହୋଇପାରେ। କିନ୍ତୁ ଉଲି ପିଆଜ ଏକର ପିଛା ୧୦୦ରୁ ୧୮୦ କ୍ବିଣ୍ଟାଲ ପିଆଜ ଉତ୍ପାଦନର କ୍ଷମତା ଥିବାରୁ ସରକାରଙ୍କ ପକ୍ଷରୁ କେବଳ ଉଲି ପିଆଜ ହିଁ ଚାଷ କରିବାକୁ ରିହାତି ସହିତ ପ୍ରୋତ୍ସାହିତ କରାଗଲା। ସ୍ଥିତି ଏଭଳି ହେଲା ଯେ ବିହନ ଠାରୁ ସାର ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ କୋଲା ପିଆଜ ଚାଷକୁ ମାରି ପର ନିର୍ଭରଶୀଳ ଉଲି ଆମ ପାଇଁ ସର୍ବସ୍ବ ହୋଇ ପଡ଼ିଛି। ଗୋଟିଏ ସମୟରେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ଫୁଲବାଣୀ, ନୟାଗଡ଼ରେ ବ୍ୟାପକ ପରିମାଣରେ କୋଲା ପିଆଜ ହେଉଥିଲା।

ନାଫେଡ୍‌ ପକ୍ଷରୁ ୨୫ ଟଙ୍କାରେ ବିକ୍ରି-
ନାଫେଡ୍ ଅଧିକାରୀ ଭାବ୍ୟା ଆନନ୍ଦଙ୍କ କହିବା ଅନୁସାରେ, ଦରକୁ ଦୃଷ୍ଟିରେ ରଖି ନାଫେଡ୍‌ ପକ୍ଷରୁ ମୋବାଇଲ ଗାଡ଼ି ଜରିଆରେ ୨୫ ଟଙ୍କାରେ ପିଆଜ ବିକ୍ରି ହେଉଛି। ଆଇଗିଣିଆ, ସହିଦନଗର ବଜାର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ୩ ଦିନ ମଧ୍ୟରେ ରାଜ୍ୟରେ ୧୦ ଟନ୍‌ ପିଆଜ ବିକ୍ରି କରାଯାଇଛି। ଓମଫେଡ୍‌ ଆଉଟଲେଟ୍‌ରେ ଏହାର ବିକ୍ରି ପାଇଁ ଆଲୋଚନା ଚାଲିଛି। ଭୁବନେଶ୍ବର ସହିତ ଯାଜପୁର, ବଲାଙ୍ଗୀର, ନୂଆପଡ଼ା, କଟକ, ଖୋର୍ଧା, ପୁରୀରେ ମୋବାଇଲ ଗାଡ଼ି ଜରିଆରେ ପିଆଜ ବିକ୍ରି ହେଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ କଟକ, ପୁରୀ ଏବଂ ଭୁବନେଶ୍ବରକୁ ଗୁରୁତ୍ବ ଦିଆଯାଉଛି। ରିଟେଲ୍‌ ଗ୍ରାହକ ମଧ୍ୟ ଯେପରି ଏହାର ସୁବିଧା ନେଇ ପାରିବେ ସେଥିପାଇଁ ଦୃଷ୍ଟି ଦିଆଯାଉଛି।

ଭୁବନେଶ୍ବର: ରାଜ୍ୟରେ ପିଆଜ ଦାମ୍‌ ବଢ଼ି ଚାଲିଥିବାବେଳେ କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରୁଥିବା ଅଭି‌େଯାଗ ହୋଇଛି। ଏହାପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବ୍ୟବସାୟୀମାନେ ବେଆଇନ ଭାବେ ପିଆଜ ମହଜୁଦ୍ ରଖି କଳାବଜାରୀ କରୁଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ। ଏହାସହ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଏବେ ପିଆଜ ଚାଷ ସମୟ। ଏକ ମାସ ମଧ୍ୟରେ ଅମଳ ପିଆଜ ବଜାରକୁ ଆସିବ। ହେଲେ ଏବେ ପିଆଜ ଉତ୍ପାଦନ ଓ ଯୋଗାଣ ମଧ୍ୟରେ କିଛି ସମସ୍ୟା ରହିଥିବାରୁ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଯୋଗାଇବା ପାଇଁ ଏହାର ଉପଯୁକ୍ତ ପରିଚାଳନା ହେବା ଦରକାର। କେତେକ ବ୍ୟବସାୟୀ ବେଆଇନ ଭାବେ ଅଧିକ ପିଆଜ ମହଜୁଦ୍ ରଖିଥିବା ଆମ ନଜରକୁ ଆସିଛି। ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏବେ ପିଆଜର ଦରବୃଦ୍ଧି କେବଳ ଓଡ଼ିଶାରେ ନୁହେଁ, ଅନ୍ୟ କିଛି ରାଜ୍ୟରେ ମଧ୍ୟ ଦେଖାଦେଇଛି। ଆମ ରାଜ୍ୟରେ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।