ପୁରୀ ୨୦/୧୨ : ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରୀ ଅପର୍ଣ୍ଣା ଫ୍ୟାସନ୍ ଡ଼ିଜାଇନିଂ କୋର୍ସ କରି ଭବିଷ୍ୟତରେ ଏହି ଦିଗରେ ମାର୍କେଟିଂ ସହ ମିସ୍ ଫେମିନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପୁରୀର ଶ୍ରୀକାନ୍ତ ଦାଶ ଓ ସ୍ୱାଧିନା ଦାଶଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଅପର୍ଣ୍ଣା ଦାଶ। ପୁରୀ ବ୍ଲେସ୍ଡ ସାକ୍ରମେଣ୍ଟ ହାଇସ୍କୁଲରୁ ଦଶମ ପାସ୍ କରିବା ପରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଦ୍ୱାଦଶ ପଢ଼ି ବର୍ତ୍ତମାନ ପଞ୍ଜାବ ଜଳନ୍ଧରର ଏକ ବିଶ୍ୱବିଦ୍ୟାଳୟରେ ଫେସନ୍ ଡ଼ିଜାଇନର ସ୍ନାତକ ଶିକ୍ଷା ଗ୍ରହଣ କରୁଛନ୍ତି।

ଗତ ନଭେମ୍ୱର ମାସରେ ଗୋଆରେ ଅନୁଷ୍ଠିତ ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ସେ ବିଜୟୀ ହେବା ସହ ମିସ୍ ଇଣ୍ତିଆ ଚାର୍ମିଂ ପ୍ରତିଯୋଗୀତାରେ ରନର୍ସ ଅପ୍ ହୋଇଛନ୍ତି।

ପୁରୀରୁ ଗୋଆ ଅପର୍ଣ୍ଣାଙ୍କ ପାଇଁ ଏକ ଯାତ୍ରା ଥିବା ସହ ନିଜ ଜୀବନରେ ପ୍ରଥମ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସେ ଏହି ସଫଳତା ପାଇଛନ୍ତି। ମିସ୍ ଇଣ୍ତିଆ ଚାର୍ମିଂ ପ୍ରତିଯୋଗୀତା ତାଙ୍କ ପାଇଁ ଏକ ସଂଯୋଗ ଥିଲା। ନିଜ ବାପା, ମାଙ୍କ ପ୍ରେରଣା ଓ ସମର୍ଥନ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି।

ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ସ୍ଥାନରୁ ୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭରଚୁଆଲ ମୋଡ଼ରେ ଅନଲାଇନ ମିସ ଇଣ୍ତିଆ ଚାର୍ମିଂ ପ୍ରତିଯୋଗୀତା ପାଇଁ ଚୟନ ହୋଇଥିଲା। ସେଥିରୁ ଅପର୍ଣ୍ଣାଙ୍କ ସମେତ ଦେଶର ବଛା ବଛା ୩୭ ଜଣ ଯୁବତୀ ଗୋଆ ଯାଇ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ପିଲା ଦିନରୁ ଅପର୍ଣ୍ଣାଙ୍କ ଫ୍ୟାସନ୍ ପାଇଁ ଇଛା ଓ ଆଗ୍ରହ ଥିବାରୁ ବାପା, ମା ତାଙ୍କୁ ବେଶ ସହଯୋଗ କରିଥିଲେ।

ଶେଷରେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ପ୍ରତିଭା ପାଇଁ ଝିଅ ପ୍ରଥମ ଉଦ୍ୟମରେ ସଫଳତା ପାଇଥିବାରୁ ପରିବାର ଲୋକଙ୍କ ସହ ବାପା ମା ଖୁସିରେ ଆତ୍ମହରା। ସେ ପୁରୀ ଓ ଓଡ଼ିଶା ପାଇଁ ଗର୍ବ ଆଣିପାରିଛି। ଭବିଷ୍ୟତରେ ମଧ୍ୟ ଝିଅର ଲକ୍ଷ ଓ ଇଛା ପୂରଣ ପାଇଁ ସେମାନେ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

ଏହି ପ୍ରତିଯୋଗୀତା ବେଶ କଷ୍ଟକର ଥିଲା। ତେବେ ନିଜ ପ୍ରତିଭା ପାଇଁ ଅପର୍ଣ୍ଣା ସଫଳତା ଲାଭ କରି ସବୁଆଡ଼ୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଭବିଷ୍ୟତରେ ମିସ ଫେମିନା ପ୍ରତିଯୋଗୀତାରେ ଭାଗ ନେବାକୁ ଲକ୍ଷ ରଖିଥିବା କହିଛନ୍ତି।